ଗୁଳିମାଡ଼ରେ କୁଖ୍ୟାତ ଅପରାଧୀ ତ୍ରିଦେବ ଆହତ

Get real time updates directly on you device, subscribe now.

ସମ୍ବଲପୁର,(ବି.ବି.ନୁ୍ୟଜ୍): ଅପରାଧୀଙ୍କୁ ଦମନ ପାଇଁ ଆକ୍ସନ୍ ମୁଡ୍ରେ ଜିଲ୍ଲା ପୁଲିସ୍ । ମାତ୍ର ୮ ଦିନର ବ୍ୟବଧାନ ପରେ ଆଜି ପୁଣି ଥରେ ଅପରାଧୀଙ୍କୁ କାବୁ କରିବା ପାଇଁ ପୁଲିସ୍ ବନ୍ଧୁକରୁ ଗୁଳି ଫୁଟିଛି । ପୁଲିସ ଗୁଳିରେ ଦୁର୍ଦ୍ଧାନ୍ତ ଅପରାଧୀ ତ୍ରିଦେବ ବାଗ ଆହତ ହୋଇଛି । ଆହତ ତ୍ରିଦେବଙ୍କୁ ସ୍ଥାନୀୟ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ, ଘଟଣାସ୍ଥଳରୁ ଜଣେ ନାବାଳକଙ୍କ ସମେତ ତ୍ରିଦେବର ୨ ଜଣ ସହଯୋଗୀ ଗିରଫ ହୋଇଥିବା ବେଳେ ଆଉ ୨ ଜଣ ଫେରାର ହୋଇଯାଇଛନ୍ତି । ପ୍ରାତଃ ଭ୍ରମଣରେ ବାହାରୁଥିବା ଲୋକଙ୍କ ଠାରୁ ସୁନା ଚେନ୍ ଲୁଟ୍ ପାଇଁ ଯୋଜନା କରୁଥିବା ବେଳେ ପୁଲିସ ଚଢାଉ କରିବାରୁ ଏହି ଗୁଳି ବିନିମୟ ହୋଇଥିବା ଏସ୍ପି ସୂଚନା ଦେଇଛନ୍ତି । ଏମାନଙ୍କ ଠାରୁ ଗୋଟିଏ ପିସ୍ତଲ, ଗୋଟିଏ ଖୋକା, ଜୀବନ୍ତ ଗୁଳି ସହ ନଗଦ ୩୦ ହଜାର ଟଙ୍କା ଓ ୩ଟି ସୁନା ଚେନ୍ ଆଦି ଜବତ ହୋଇଛି । ଏହାଛଡା ପୁଲିସର ଟାର୍ଗେଟ୍ରେ ଆହୁରି ଅନେକ ଅପରାଧୀ ଥିବା ସୂଚନା ଦିଆଯାଇଛି ।
ଅପରାଧୀଙ୍କୁ ରୋକିବା ପାଇଁ ଫୁଲ ଦମ୍ରେ ଲାଗିପଡ଼ିଛି ଜିଲ୍ଲା ପୁଲିସ । ନୂତନ ଏସ୍ପି ଭାବେ କନୱର ବିଶାଲ ସିଂହ ଯୋଗ ଦେବା ପରେ ସମ୍ବଲପୁର ସହରକୁ ଅପରାଧମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଗଣେଶ ପୂଜା ଦିନ ଭୋର୍ ସମୟରୁ କୁଖ୍ୟାତ ଅପରାଧୀ ବିଟ୍ଟୁକୁ ସିଟି ଷ୍ଟେସନ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ଏନକାଉଣ୍ଟର କରି ଗିରଫ କରିଥିଲା ପୁଲିସ । ପରେ ବିଭିନ୍ନ ଡକାୟତି ଯୋଜନାରେ ସଂପୃକ୍ତ ଥିବା ଅନ୍ୟ ୩୦ ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ତେବେ ଆଜି ଦୀର୍ଘ ୮ ଦିନର ବ୍ୟବଧାନ ଭିତରେ ପୁଣି ଥରେ ଅପରାଧୀ- ପୁଲିସ ମଧ୍ୟରେ ଗୁଳି ବିନିମୟରେ ଫାଟକ ଦେହିରିପାଲି ଅଞ୍ଚଳର କୁଖ୍ୟାତ ଅପରାଧୀ ତ୍ରିଦେବ ବାଗ୍ ( ୨୫) ଗୁରୁତର ଆହତ ହୋଇଛି ।

ଏକାଧିକ ଅପରାଧିକ ମାମଲାରେ ସଂପୃକ୍ତ ଥିବା ତ୍ରିଦେବ ୭ ବର୍ଷ ଜେଲ ଭିତରେ ରହିବା ପରେ ଗତ କିଛି ଦିନ ହେବ ଜେଲରୁ ଖଲାସ ହୋଇଥିଲା । ଆଉ ଖଲାସ ହେବା ପରେ ପୁଣି ତା’ର ଅପରାଧିକ କାର୍ଯ୍ୟକଳାପ ଆରମ୍ଭ କରିଥିଲା । କିଛି ନବାଗତ ଯୁବକଙ୍କୁ ଧରି କରିଥିଲା ନୁଆ ଚେନ୍ ଲୁଟେରା ଗ୍ୟାଙ୍ଗ୍ । ଆଉ ଏମାନଙ୍କ ଟାଗେର୍ଟରେ ଥିଲେ ପ୍ରାତଃଭ୍ରମଣରେ ବାହାରୁଥିବା ମହିଳା । କିଛି ସମୟ ପିଛା କରିବା ପରେ ସୁଯୋଗ ଦେଖି ଚେନ୍ ଲୁଟ କରି ଫେରାର ମାରିଥାନ୍ତି । ତେବେ ଗତ ୫ ତାରିଖ ଦିନ ଅଇଁଠାପାଲି, ୬ ଏବଂ ୯ ତାରିଖ ଦିନ ଧନୁପାଲି ଅଞ୍ଚଳରୁ ଏମାନେ ମହିଳାଙ୍କଠୁ ଚେନ୍ ଲୁଟ୍ କରି ଫେରାର ମାରିଥିଲେ । ଏନେଇ ମହିଳା ଧନୁପାଲି ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଟାଗେର୍ଟରେ ଥିଲେ ଏହି ଗ୍ୟାଙ୍ଗ୍ ।

ତେବେ ଆଜି ସକାଳ ସମୟରେ ଗ୍ୟାଙ୍ଗ୍ କୁଲୁତକାନି-ଧନକଉଡା ରାସ୍ତାରେ ଲୁଟ୍ ପାଇଁ ଯୋଜନା କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସ୍ପେଶାଲ ସ୍ୱାର୍ଡ ଏବଂ ଧନୁପାଲି ଥାନା ପୁଲିସ ଚଢାଉ କରିଥିଲେ । ବିଭିନ୍ନ ଜାଗାରେ ପୁଲିସ୍ ଭାଗ ଭାଗ ହେବା ସହ ଚାରିପଟୁ ଘେରିଯାଇଥିଲେ । ତେବେ ପୁଲିସକୁ ଦେଖି ଅପରାଧୀମାନେ ଛତ୍ରଭଙ୍ଗ ଦେଉଥିବା ବେଳେ ଗ୍ୟାଙ୍ଗ୍ ଲିଡର୍ ତ୍ରିଦେବ ପ୍ରଥମେ ପୁଲିସ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା । ପୁଲିସର ପାଲଟା ଗୁଳି ତ୍ରିଦେବର ବାମ ଗୋଡରେ ବାଜିଥିବା ବେଳେ ତାକୁ ପୁଲିସ୍ ଗୁରୁତର ଅବସ୍ଥାରେ ସଦର ମେଡିକାଲରେ ଭର୍ତ୍ତି କରିଛି । ତେବେ ଏଥିରେ ସଂପୃକ୍ତ ପ୍ରମୋଦ ମଣ୍ଡଳ ନାମକ ଦେହେରିପାଲିର ଆଉ ଜଣେ ଅପରାଧିକ ଗୋÂୀର ଯୁବକ ସହ ଆଉ ଜଣେ ନାବାଳକ ଘଟଣାସ୍ଥଳରୁ ଗିରଫ ହୋଇଛନ୍ତି । ସେହିପରି ଅନ୍ୟ ୨ ଜଣ ଘଟଣାସ୍ଥଳରୁ ଫେରାର ମାରିଛନ୍ତି । ତ୍ରିଦେବ ଠାରୁ ଏକ ଦେଶୀ ପିସ୍ତଲ, ଗୋଟିଏ ଖୋକା, ୨ଟି ଜୀବନ୍ତ ଗୁଳି, ୩୦ ହଜାର ନଗଦ ଟଙ୍କା, ୩ଟି ସୁନା ଚେନ୍, ଏକ ଖେଳଣା ବନ୍ଧୁକ, ମୋବାଇଲ ଏବଂ ଏକ ବାଇକ୍ ଜବତ ହୋଇଛି ।
ଗିରଫ ତ୍ରିଦେବ ନାଁରେ ଦେବଗଡ ଏବଂ ବରଗଡ ଅଞ୍ଚଳରେ ଏକାଧିକ ମାମଲା ଥିବା ଜଣାପଡିଛି । ଖୁବ ଶୀଘ୍ର ଅନ୍ୟ ଅପରାଧୀମାନଙ୍କୁ ଗିରଫ କରାଯିବ ବୋଲି ଏସ୍ପି କନୱର ବିଶାଲ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons