ଗୋଆରେ କଂଗ୍ରେସ ବିଧାୟକଙ୍କ ବିଦ୍ରୋହ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ପରାଜୟ ପରେ କଂଗ୍ରେସର ବହୁ ବରିଷ୍ଠ ନେତା, ସାଂସଦ ଓ ବିଧାୟକ ଦଳ ଛାଡି ଅନ୍ୟ ଦଳରେ ସାମିଲ ହେବା ଘଟଣା ପ୍ରତିଦିନ ବଢ଼ିବାରେ ଲାଗିଛି । କର୍ଣ୍ଣାଟକରେ ଜେଡିଏସ୍ ମେଣ୍ଟ ସରକାରରୁ ୧୩ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ ସେଠାରେ ଏବେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି । ସେହି କଣ୍ଣ ର୍ାଟକର ଏହି ନିଆଁ ଏବେ ପଡୋଶୀ ରାଜ୍ୟ ଗୋଆକୁ ବ୍ୟାପିଛି । ଗୋଆ କଂଗ୍ରେସ ଆଜି ବିଭାଜିତ ହୋଇଛି । ରାଜ୍ୟର ମୋଟ ୧୫ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ଅର୍ଥାତ ୧୦ ଜଣ ଦଳ ଛାଡି ବିଜେପିରେ ମିଶିଛନ୍ତି ।
ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି କଂଗ୍ରେସର ୧୦ ବିଧାୟକ ମିଶିବା ପରେ ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ନିଜ ନିର୍ବାଚନମଣ୍ଡଳୀ ତଥା ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସେମାନେ ବିଜେପିରେ ମିଶିଛନ୍ତି । କିନ୍ତୁ ଏଥିପାଇଁ ସେମାନେ କୌଣସି ସର୍ତ୍ତ ରଖିନାହାନ୍ତି । ନିଃସର୍ତ୍ତ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିରେ ମିଶିବା ପରେ ବିଧାନସଭାରେ ପୂର୍ବରୁ ବିରୋଧୀ ଦଳର ନେତା ଥିବା ଚନ୍ଦ୍ରକାନ୍ତ କାଭଲେକର କହିଛନ୍ତି ମୁଖ୍ୟମନ୍ତ୍ରୀ ଭଲ କାମ କରୁଛନ୍ତି । କଂଗ୍ରେସ ବିଧାୟକମାନଙ୍କ ନିର୍ବାଚନମଣ୍ଡଳୀରେ କୌଣସି ଉନ୍ନୟନ କାର୍ଯ୍ୟ ହେଉନାହିଁ । ଯଦି କାର୍ଯ୍ୟ ହେବ ନାହିଁ ତେବେ ଲୋକମାନେ ଆରଥରକୁ ଆମକୁ କାର୍ହିଁକି ବାଛିବେ? ବିଧାନସଭା ନିର୍ବାଚନରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିଲା । ଅନେକ ସୁଯୋଗ ଥିଲେ ମଧ୍ୟ ଦଳ ସରକାର ଗଠନ କରିପାରିଲା ନାହିଁ । କଂଗ୍ରେସର କିଛି ବରିଷ୍ଠ ନେତାଙ୍କ ଯୋଗୁ ଏହା ସମ୍ଭବ ହେଲା ନାହିଁ ବୋଲି ସେ ଅଭିଯୋଗ କରିିଛନ୍ତି ।
ପୂର୍ବରୁ ଆଜି ସନ୍ଧ୍ୟାରେ କାଭଲେକରଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକମାନେ ବିଧାନସଭା ବାଚସ୍ପତି ରାଜେଶ ପଟନେକରଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିବା ସହ ସେମାନେ ବିଜେପିରେ ମିଶିବା ନେଇ ଚିଠି ମଧ୍ୟ ଦେଇଥିଲେ । କଂଗ୍ରେସ ଛାଡିଥିବା ଅନ୍ୟ ବିଧାୟକଙ୍କ ମଧ୍ୟରେ ଅଛନ୍ତି ଆଟାନାସିଓ ମଞ୍ଜରେଟ୍, ଜେନିଫର ମଞ୍ଜରେଟ୍, ଫ୍ରାନ୍ସିସି ସିଲଭୈରା, ଫିଲିପ ନେରୀ ରୋଡ୍ରିଗସ୍, କ୍ଲିଓଣ୍ଡାସିଓ ଡାୟାସ, ୱିଲଣ୍ଡ୍ରେଡ ଡିସୁଜା, ନୀଳକଙ୍କ ହଲରଙ୍କର ଏବଂ ଇସିଦୋର ଫର୍ଣ୍ଣାଣ୍ଡିସ୍ । ସେମାନେ ବିଧାନସଭା ବାଚସ୍ପତିଙ୍କୁ ଇସ୍ତଫାପତ୍ର ଦେବା ବେଳେ ମୁଖ୍ୟମନ୍ତ୍ରୀ ସାୱନ୍ତ ଓ ଉପବାଚସ୍ପତି ମାଇକେଲ ଲୋବୋ ଉପସ୍ଥିତ ଥିଲେ । ବାଚସ୍ପତି କହିଛନ୍ତି କଂଗ୍ରେସ ବିଧାୟକମାନେ ବିଜେପିରେ ମିଶିବା ନେଇ ଦେଇଥିବା ଚିଠିକୁ ସେ ଗ୍ରହଣ କରିଛନ୍ତି । ସେହିଭଳି ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟା ୨୭କୁ ବୃଦ୍ଧି ପାଇଥିବା ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ଅନ୍ୟ ଏକ ଚିଠିକୁ ମଧ୍ୟ ସେ ସ୍ୱୀକାର କରିଛନ୍ତି ।
ବର୍ତ୍ତମାନ ବିଧାନସଭାରେ କଂଗ୍ରେସର ୫ ଜଣ ବିଧାୟକ ଅଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରତାପ ସିଂହ ରାଣେ, ଦିଗମ୍ବର କାମାତ, ରବି ନାୟକ, ଲୁଇଜିନୋ ଫାଲେରୋ ଏବଂ ଆଲେକ୍ସୋ ରେଜିନାଲ୍ଡୋ ଲୌରେନ୍କୋ । ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟା ପୂର୍ବରୁ ୧୭ ରହିଥିଲା ବେଳେ ଗୋଆ ଫରୱାର୍ଡ ପାର୍ଟିର ୩, ସ୍ୱାଧୀନ ସଦସ୍ୟ ୩ ଏବଂ ଏନ୍ସିପି ଓ ଏମ୍ଜିପିର ଜଣେ ଲେଖାଏଁ ବିଧାୟକ ଥିଲେ । କଂଗ୍ରେସ ବିଧାୟକମାନେ ବିଜେପିରେ ମିଶିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ କ୍ୟାବିନେଟରେ ସାମିଲ ଥିବା ମେଣ୍ଟ ସହଯୋଗୀ ଗୋଆ ଫରୱାର୍ଡ ପାର୍ଟି(ଜିଏଫପି)ର ୩ ସଦସ୍ୟଙ୍କୁ ବାହାର କରି ସେମାନଙ୍କ ସ୍ଥାନରେ ୫ ଜଣ ନୂଆ ସଦସ୍ୟଙ୍କୁ ସାମିଲ କରିବେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons