ଗୋଆ ମନ୍ତ୍ରିମଣ୍ଡଳରେ ଅଦଳବଦଳ

Get real time updates directly on you device, subscribe now.

ପାନାଜୀ: ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଜି ତାଙ୍କ କ୍ୟାବିନେଟ ଅଦଳ ବଦଳ କରିଛନ୍ତି । ସେଥିରେ ୪ ଜଣ ପୁରୁଣା ମନ୍ତ୍ରୀଙ୍କୁ ବିଦା କରିବା ସହ ୪ ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରିଛନ୍ତି । ନୂଆ ମନ୍ତ୍ରୀମାନଙ୍କୁ ଆଜି ଅପରାହ୍ନରେ ରାଜଭବନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ମୃଦୁଳା ସିହ୍ନା ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।
ନୂଆ ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ଚନ୍ଦ୍ରକାନ୍ତ କାଭଲେକର, ଜେନିଫର ମନ୍ଜରେଟ, ଫିଲିପ ନେରି ରୋଡ୍ରିଗସ ଏବଂ ମାଇକେଲ ଲୋବୋ । ଏମାନଙ୍କ ମଧ୍ୟରୁ କାଭଲେକର, ମନ୍ଜରେଟ ଓ ରୋଡ୍ରିଗସଙ୍କ ସମେତ ୧୦ ବିଧାୟକ କଂଗ୍ରେସ ଛାଡି ନିକଟରେ ବିଜେପିରେ ସାମିଲ ହୋଇଥିଲେ । ବିଜେପି ସଦସ୍ୟ ଲୋବୋ ଉପବାଚସ୍ପତି ପଦରୁ ଇସ୍ତଫା ଦେଇ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । ସେହିଭଳି ବିଦା ହୋଇଥିବା ୪ ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ବିଜୟ ସରଦେଶାଇ, ରାଜସ୍ୱ ମନ୍ତ୍ରୀ ରୋହନ ଖାଉଣ୍ଟେ, ଗ୍ରାମୀଣ ବିକାଶ ମନ୍ତ୍ରୀ ବିନୋଦ ପାଲେନକର ଓ ବନ୍ଦର ମନ୍ତ୍ରୀ ଜୟେସ ସାଲଗାଓଁକର । ସେମାନଙ୍କ ମଧ୍ୟରେ ସରଦେଶାଇ, ପାଲେନକର ଓ ସାଲଗାଓଁକର ବିଜେପିର ମେଣ୍ଟ ସହଯୋଗୀ ଗୋଆ ଫରୱାର୍ଡ ପାର୍ଟି (ଜିଏଫପି) ବିଧାୟକ ହୋଇଥିଲା ବେଳେ ଖାଉଣ୍ଟେ ସ୍ୱାଧୀନ ସଦସ୍ୟ ଭାବେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ । ପରେ ନୂଆ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯିବ ।
ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ସେମାନଙ୍କୁ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । ମାତ୍ର ସେମାନେ ଇସ୍ତଫା ନଦେବାରୁ ସେମାନଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଛି । ୨୦୧୭ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ନ ମିଳିବାରୁ ଜିଏଫପି ସହାୟତାରେ ବିଜେପି ସରକାର ଗଢ଼ିଥିଲା । ମାତ୍ର ନିକଟରେ କଂଗ୍ରେସର ୧୦ ବିଧାୟକ ଦଳ ଛାଡି ବିଜେପିରେ ମିଶିବା ପରେ ସରକାରଙ୍କ ପାଖରେ ୨୭ ବିଧାୟକଙ୍କ ସମର୍ଥନ ରହିଥିଲା । ତେଣୁ ସରକାର ଆଉ ଜିଏଫପିର ସମର୍ଥନ ଦରକାର କରିନଥିଲେ । ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ ଏବେ ବିଜେପିର ସଦସ୍ୟ ସଂଖ୍ୟା ୨୭ ହୋଇଥିଲା ବେଳେ କଂଗ୍ରେସର ୫, ଜିଏଫପିର ୩, ୩ ସ୍ୱାଧୀନ ଓ ଜଣେ ଏନ୍ସିପି ସଦସ୍ୟ ଅଛନ୍ତି । ଅନ୍ୟପକ୍ଷରେ ସରଦେଶାଇ କହିଛନ୍ତି ଯେ କଂଗ୍ରେସର ୧୦ ବିଧାୟକଙ୍କୁ ବିଜେପି ନିଜ ଦଳରେ ସାମିଲ କରିବା ଯୋଗୁ ପାରିକର (ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକର)ଙ୍କର ରାଜନୈତିକ ବିରାସତର ମୃତ୍ୟୁ ଘଟିଛି । ମାର୍ଚ୍ଚ ୧୭ରେ ପାରିକରଙ୍କ ଶରୀରର ମୃତ୍ୟୁ ଘଟିଥିଲା । ଆଜି ତାଙ୍କର ରାଜନୈତିକ ବିରାସତର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons