ଗୋଚାଲାଣର ନୂଆ ଉପାୟ:ଗୋରୁଙ୍କୁ ନଦୀରେ ଭସାଇ ସୀମା ପାର କରାଯାଉଛି

Get real time updates directly on you device, subscribe now.

କୋଲକାତା: ପଶ୍ଚିମବଙ୍ଗ ଦେଇ ବାଂଲାଦେଶକୁ ବେଆଇନ ଭାବେ ଗୋରୁଚାଲାଣ କରୁଥିବା ଦଲାଲ ଓ ଅପରାଧୀମାନେ ଏବେ ଗୋରୁଚାଲାଣ କରିବା ପାଇଁ ଏକ ନୂଆ ଉପାୟ ବାହାର କରିଛନ୍ତି । ସଡ଼କମାର୍ଗରେ ଗୋରୁଚାଲାଣ ବେଳେ ବିଭିନ୍ନ ସ୍ଥାନରେ ଚେକିଂ ହେଉଥିବାରୁ ତା’କୁ ଏଡାଇବା ପାଇଁ ସେମାନେ ଏବେ ଜଳମାର୍ଗରେ ଏପରି ହରକତ କରୁଛନ୍ତି । ସେମାନେ ଗୋରୁଙ୍କ ବେକରେ କଦଳୀ ଗଛର ଗଣ୍ଡିକୁ ଦଉଡିରେ ବାନ୍ଧି ନଦୀରେ ଭସାଇ ଦେଉଛନ୍ତି । ଗୋରୁଗୁଡିକ ଏଭଳି ଭାବେ ନଦୀରେ ଭାସି ଭାସି ଯାଉଥିଲାବେଳେ ସେମାନେ ସ୍ଥଳଭାଗରେ ସେମାନଙ୍କୁ ଅନୁସରଣ କରିଥାନ୍ତି । ପଶ୍ଚିମବଙ୍ଗରେ ପ୍ରବାହିତ ଅନେକ ନଦୀ ଭାରତ-ବାଂଲାଦେଶ ସୀମା ଦେଇ ବହିଥାନ୍ତି । ତେଣୁ ଗୋରୁଗୁଡିକୁ ସେମାନେ ଏଭଳି ଭାବେ ସୀମା ପାର କରାଇଥାଆନ୍ତି । ବାଂଲାଦେଶ ସୀମା ଭିତରକୁ ଚାଲିଗଲା ପରେ ସେମାନେ ଗୋରୁମାନଙ୍କୁ ନଦୀ ଭିତରୁ ବାହାର କରିଥାନ୍ତି ଏବଂ କଂସେଇଖାନାକୁ ନେଇଥାନ୍ତି ।
କେବଳ ଗତ ବୁଧବାର ଠାରୁ ବିଏସଏଫ ଯବାନମାନେ ଭାରତ-ବାଂଲାଦେଶ ସୀମାରୁ ଏଭଳି ଉପାୟରେ ଚାଲାଣ କରାଯାଉଥିବା ୩୬୫ଟି ଗୋରୁଙ୍କୁ ଉଦ୍ଧାର କରିଛନ୍ତି । ମାଲଦା, ମୁର୍ଶିଦାବାଦ, ନଦିଆ ଏବଂ ଉତ୍ତର ୨୪ ପ୍ରଗଣା ଜିଲାରେ କେତେକ ଗୋଚାଲାଣକାରୀ ଏଭଳି ଉପାୟ ଅବଲମ୍ବନ କରୁଛନ୍ତି ବୋଲି ଜଣାପଡିଛି ।
ଖାଲି ସେତିକି ନୁହେଁ, ବିଏସଏଫ ଯବାନମାନେ କାଳେ ଗୋଚାଲାଣରେ ବାଧା ଦେବେ, ତେଣୁ ସେମାନଙ୍କୁ ପ୍ରତିହତ କରିବା ପାଇଁ ଗୋଚାଲାଣକାରୀମାନେ ଗୋରୁଙ୍କ ବେକରେ ଆଇଇଡି ଖଂଜି ଦେଉଛନ୍ତି । ଯଦି ଗୋରୁଙ୍କୁ ଉଦ୍ଧାର କରିବା ସମୟରେ ସାମାନ୍ୟ ବି ଅସାବଧାନତା କେହି କରେ, ତାହାହେଲେ ଉକ୍ତ ଆଇଇଡି ବିସ୍ଫୋରିତ ହେବାର ସମ୍ଭାବନା ଥାଏ । ଏହାଯୋଗୁ ଗୋରୁଙ୍କ ସହିତ ଯବାନମାନେ ବି ମୃତାହତ ହେବେ । ଗତ ଗୁରୁବାର ଯବାନମାନେ ଏଭଳି ବୋମା ଖଂଜାଯାଇଥିବା ଗୋଟିଏ ଗାଈକୁ ନଦୀ ଭିତରୁ ଉଦ୍ଧାର କରିଛନ୍ତି । ଏହାପରେ ବିଏସଏଫ ତରଫରୁ ଗୋଚାଲାଣକାରୀଙ୍କ ଏଭଳି ଷଡ଼ଯନ୍ତ୍ରକୁ ପଣ୍ଡ କରିବା ପାଇଁ ବ୍ୟାପକ ଉଦ୍ୟମ ଆରମ୍ଭ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons