ଜୟପୁର: କରୋନା ସଂକ୍ରମଣ ଧୀରେ ଧୀରେ କାବୁ ହେଉଛି । ଏଭଳି ମୁହୂର୍ତ୍ତରେ ସ୍ଥାନୀୟ କୋଭିଡ୍ ହସ୍ପିଟାଲ୍ରୁ ଆସିଛି ଆଉ ଏକ ଭଲ ଖବର । ଦୀର୍ଘ ୨୦ ବର୍ଷ ହେବ ଗୋଟିଏ କିଡ୍ନୀରେ ବଞ୍ଚିଥିବା ଜଣେ ଯୁବକ କରୋନାକୁ ହରାଇଛନ୍ତି । କିଡ୍ନୀକୁ ସଂକ୍ରମଣ ଏବଂ ମହାମାରୀ କବଳରୁ ନିଜକୁ ବଞ୍ଚାଇଛନ୍ତି । ୧୮ ଦିନ ପରେ ସୁସ୍ଥ ହୋଇ ପରିବାର ଲୋକଙ୍କ ପାଖକୁ ଫେରିଛନ୍ତି । ଏଥିଲାଗି ପ୍ରଶାସନ, ହସ୍ପିଟାଲ୍ର ଡାକ୍ତର ଏବଂ ସମସ୍ତ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଯୁବକ ଜଣଙ୍କ ହେଉଛନ୍ତି କୁନ୍ଦୁରା ବ୍ଲକ ଡଙ୍ଗରପାଉଁସୀର ପ୍ରମିତ୍ କୁମାର ପରିଛା(୪୨) । କରୋନାକୁ ଭୟ ନ କରି ମୁକାବିଲା ମନୋଭାବ ସହ ମନ ଆଣ୍ଟ କଲେ ମହାମାରୀ ଉପରେ ବିଜୟ ସମ୍ଭବ ବୋଲି କହିଛନ୍ତି ।
ପ୍ରମିତ୍ଙ୍କ କହିବା ଅନୁଯାୟୀ, ପେସାରେ ସେ ଜଣେ ବ୍ୟବସାୟୀ । ଘରେ ବାପାମାଆ, ସ୍ତ୍ରୀ ଏବଂ ୮ ବର୍ଷର ଝିଅଟିଏ । ୨୦୦୧ରେ ତାଙ୍କ ୨ଟି ଯାକ କିଡ୍ନୀ ନଷ୍ଟ ହୋଇଯାଇଥିଲା । ବଞ୍ଚିବା ଆଶା କ୍ଷୀଣ ଥିବାରୁ ତାଙ୍କ ମା’ କୁସୁମ ପରିଛା ଗୋଟିଏ କିଡ୍ନୀ ଦେଇଥିଲେ । ଟ୍ରାନସ୍ପ୍ଲାଣ୍ଟେସନ୍ ପରେ ତାଙ୍କୁ ନୂଆ ଜୀବନ ମିଳିଥିଲା । ଏବେ ମହାମାରୀକୁ ହରାଇ ଆଉ ଏକ ଜୀବନ ପାଇଥିବା କହିଲେ ଭୁଲ୍ ହେବନି । ଗତମାସ ୨୦ ତାରିଖରେ ସେ ଅସୁସ୍ଥ ଅନୁଭବ କରିଥିଲେ । ସର୍ଦ୍ଧି, ଜ୍ୱର ଲକ୍ଷଣ ଦେଖାଯିବାରୁ ଦୋକାନରୁ କିଛି ଔଷଧ କିଣି ଖାଇଥିଲେ । ସାମାନ୍ୟ ଉପଶମ ମିଳିଥିଲେ ବି ସେ ସୁସ୍ଥ ହୋଇ ନ ଥିଲେ । ୨୫ ତାରିଖରେ ବାଧ୍ୟ ହୋଇ କୁନ୍ଦୁରା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । ତାଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିଥିଲା । ଡାକ୍ତରଖାନାରେ ଥିବା ବେଳେ ହଠାତ୍ ତାଙ୍କ ମୁଣ୍ଡ ଘୂରାଇ ଦେଇଥିଲା । ଦୁର୍ବଳ ଲାଗିବାରୁ ଅକ୍ସିଜେନ୍ ମାତ୍ରା ଯାଞ୍ଚ୍ କରାଯାଇଥିଲା । ଶରୀରରେ ଅମ୍ଳଜାନସ୍ତର ୮୩କୁ ଖସି ଆସିଥିଲା । ଘରକୁ ନନେଇ ତୁରନ୍ତ ଏକ ଆମ୍ବୁଲାନ୍ସରେ ତାଙ୍କୁ ଏଠାକାର କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ଶରୀରରେ କୋଭିଡ୍ ଲକ୍ଷଣ ଅମ୍ଳଜାନ କମ୍ ଥିବାରୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ୧୫ ଦିନ କାଳ ଆଇସିୟୁରେ ରହିବା ପରେ ଆଉ ୩ ଦିନ ସାଧାରଣ ବେଡ୍ରେ ରଖିବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ସୁସ୍ଥ ହେବାରୁ ୨ ଦିନ ତଳେ ତାଙ୍କୁ ଡିସ୍ଚାର୍ଜ କରାଯାଇଥିଲା ।
ସେ ଆହୁରି କହିଛନ୍ତି, ଆଇସିୟୁରେ ଥିବାରୁ ଆଖ ପାଖରେ ଥିବା ରୋଗୀଙ୍କ ସହ କଥା ହୋଇପାରୁନଥିଲେ । ଆଖପାଖରେ ଥିବା ରୋଗୀଙ୍କ ମଧ୍ୟରୁ କିଏ ଯନ୍ତ୍ରଣାରେ ଛଟପଟ ହେଉଥିଲେ ତ ଆଉ କିଏ ଚିକ୍ରାର କରୁଥିଲେ । ଆଖି ଆଗରେ କାହାର ଜୀବନ ଚାଲି ଯାଉଥିଲା । ଏଭଳି ପରିବେଶରେ ଯେ କେହି ବି ବିଚଳିତ ହୋଇଯିବ । ତଥାପି ଧୈର୍ଯ୍ୟ ନ ହରାଇ ଭଗବାନଙ୍କୁ ଡାକିଥିଲେ । ମନ ଆଣ୍ଟ କରି କରୋନାକୁ ହରାଇବେ ବୋଲି ଦୃଢ଼ମନା ହୋଇଥିଲେ । ମୁକାବିଲାରେ ନ ଡରି ସେମାନଙ୍କୁ ସହଯୋଗ କରିବାକୁ ଡାକ୍ତର ଏବଂ ନର୍ସମାନେ କହିଥିଲେ । କେବଳ ଡାକ୍ତର ଚାହିଁଲେ ରୋଗୀ ଭଲ ହେବନି । ରୋଗୀଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ । ଡାକ୍ତର, ନର୍ସ, ଆଟେଣ୍ଡାଣ୍ଟ୍, ସଫେଇ କର୍ମଚାରୀ ସମସ୍ତେ ସବୁବେଳେ ସେବା ଯୋଗାଇ ଦେଇଥିଲେ । ବିଶେଷକରି ଡାକ୍ତର ଆଶିଷ ପାଣିଗ୍ରାହୀ, ଡାକ୍ତର ସିଦ୍ଧାର୍ଥ ଏବଂ ଅନ୍ୟ ସମସ୍ତ କର୍ମଚାରୀ ଧନ୍ୟବାଦର ପାତ୍ର । ଡାକ୍ତରଖାନାରୁ ଘରକୁ ଫେରିବା ବେଳେ ଡାକ୍ତର ପୋଷ୍ଟ୍ କୋଭିଡ୍ ବାବଦରେ ପରାମର୍ଶ ଦେଇଥିଲେ । ଅତି କମ୍ରେ ୧୫ ଦିନ ବିଶ୍ରାମ ନେବା ସହ ପରିଶ୍ରମ ନ କରିବାକୁ କହିଥିଲେ । ସାଧାରଣ ଖାଦ୍ୟ ଖାଇବା, ସିଡ଼ି ଚଢ଼ିବା ବେଳେ ସାବଧାନତା ଅବଲମ୍ବନ କରିବାକୁ ବୁଝାଇଥିଲେ ବୋଲି କହିଛନ୍ତି ପ୍ରମିତ ।
ରିପୋର୍ଟ: ସତ୍ୟ ନାରାୟଣ ସାହୁ
Comments are closed, but trackbacks and pingbacks are open.