ଗୋଟିଏ ଜୁଇରେ ଜଳିଲା ସିତୁ, ଟୁଟୁଙ୍କ ଚିତା

Get real time updates directly on you device, subscribe now.

ରାଜନଗର,(ବି.ବି.ନ୍ୟୁଜ୍): କଣ୍ଡିରା ଗାଁ ମଶାଣିରେ ଶନିବାର ଶୋକାକୁଳ ପରିବେଶରେ ଜାତୀୟ ସାହସିକତା ପୁରସ୍କାର ବିଜୟୀ ବାଳକ ସିତୁ ମଳିକ (୧୬) ଏବଂ ତାଙ୍କ ପିଉସୀ ପୁଅ ଭାଇ ଦୁର୍ଯ୍ୟୋଧନ ମଳିକ ଓରଫ ଟୁଟୁ (୧୯)ଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗୋଟିଏ ଜୁଇରେ ସିତୁ ଓ ଟୁଟୁଙ୍କ ଚିତା ଜଳିଛି । ଉଭୟଙ୍କ ଶେଷକୃତ୍ୟ ସମ୍ପନ୍ନ ବେଳେ ବିଧାୟକ ଧ୍ରୁବ ସାହୁଙ୍କ ସମେତ ସିତୁ ପଢ଼ୁଥିବା ବାସୁଦେବ ଉଚ୍ଚ ବିଦ୍ୟାପୀଠର ଶିକ୍ଷକ ଶିକ୍ଷୟିତ୍ରୀ, ଶତାଧିକ ବିଶିଷ୍ଟ ବ୍ୟକ୍ତି ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।
ରାଜନଗର ବ୍ଲକ କଣ୍ଡିରା ଗାଁର ସିତୁ ଚଳିତ ବର୍ଷ ଜାନୁଆରୀ ୨୫ରେ ଦିଲ୍ଲୀଠାରେ ରାଜନଗର ମାଟି ପାଇଁ ଗୌରବ ଆଣିଥିଲେ ଓ ଜାତୀୟ ସାହସିକତା ପୁରସ୍କାର ପାଇଥିଲେ । ଗତକାଲି ସଂଧ୍ୟାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସିତୁଙ୍କ ସମେତ ତାଙ୍କ ପିଉସୀ ପୁଅ ଭାଇ ରାଜକନିକା ବ୍ଲକ ଖୁଣ୍ଟା ଗାଁର ଦୁର୍ଯ୍ୟୋଧନ ମଳିକ(୧୯)ଙ୍କ ମୃତ୍ୟୁ ଘଟିଥିଲା । ଏଥିସହ ପଦ୍ମନାଭପୁର ଗାଁର ଦୁଇ ଯୁବକ ଆହତ ହୋଇଥିଲେ । ଆଜି ସିତୁ ଓ ଟୁଟୁଙ୍କ ଶବ ବ୍ୟବଚ୍ଛେଦ ହୋଇ ଗାଁରେ ପହଞ୍ôଚବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସାହସୀ ବାଳକ ସିତୁ ଅମର ରହେ ଧ୍ୱନିରେ ଗାଁ ଶ୍ମଶାନ କମ୍ପି ଉଠିଥିଲା । ସିତୁ ଓ ଟୁଟୁଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଶ୍ମଶାନରେ ବ୍ରହ୍ମଧ୍ୱନି ସହିତ ଉପସ୍ଥିତ ଜନସାଧାରଣ ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ । ବିଧାୟକ ଶ୍ରୀ ସାହୁ ସାହସୀ ବାଳକ ସିତୁଙ୍କ ଘରେ ପହଞ୍ଚି ବାପା, ମାଆ ଓ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଥିଲେ । ସିତୁ ପଢୁଥିବା ବାସୁଦେବ ବିଦ୍ୟାପୀଠରେ ସିତୁର ଅକାଳ ବିୟୋଗରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଶୋକସଭା କରାଯାଇ ତାଙ୍କର ଆତ୍ମା ପ୍ରତି ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons