ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଜିଲ୍ଲାରେ ଦିନକୁ ଦିନ କାୟା ବିସ୍ତାର କରିଚାଲିଛି କରୋନା । ଶନିବାର ଗୋଟିଏ ଦିନରେ ୧୯ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ପହଞ୍ଚିଛି ୩୫ରେ । ଆଜି ଚିହ୍ନଟ ହୋଇଥିବା ୧୯ ପଜିଟିଭ୍ ମଧ୍ୟରୁ ସର୍ବାଧିକ ୧୦ ଜଣ ହେଉଛନ୍ତି ଉମରକୋଟ ସହର ସମେତ ଏହାର ଆଖପାଖ ଅଞ୍ଚଳର । ଉମରକୋଟ ବାଦ୍ ଜିଲ୍ଲାର ଅନ୍ୟ ୪ଟି ବ୍ଲକରେ ପ୍ରବେଶ କରିସାରିଛି କରୋନା । ଝରିଗାଁ ବ୍ଲକରେ ୩ ଜଣ, ଡାବୁଗାଁ ବ୍ଲକରେ ୨ଜଣ, ପାପଡାହାଣ୍ଡି ବ୍ଲକରେ ୨ ଜଣ ଏବଂ କୋଷାଗୁମଡା ବ୍ଲକରେ ୨ ଜଣ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ତାମିଲନାଡୁ, ତେଲେଙ୍ଗାନା ଓ କେରଳ ଫେରନ୍ତା । ସମସ୍ତେ ଉମରକୋଟ ବ୍ଲକ ଭଣ୍ଡାରୀଗୁଡା କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହୁଥିଲେ । ଅବଧି ସାରି ଘରକୁ ଫେରିବା ପରେ କରୋନ ପଜିଟିଭ ବାହାରିଛି । କିନ୍ତୁ ସେମାନଙ୍କ ପାଖରେ କରୋନାର କୌଣସି ଲକ୍ଷଣ ଦେଖାଯାଇନଥିଲା ।
ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଉମରକୋଟ ବ୍ଲକ ସମେତ ୨୪ଟି ପଞ୍ଚାୟତକୁ ଶୁକ୍ରବାର ରାତି ୧୨ଟାରୁ ୨୯ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ୭୨ ଘଣ୍ଟା ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଥିବା ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ପହଞ୍ଚିଛି ୩୫ରେ । ସେମାନଙ୍କ ମଧ୍ୟରୁ ୮ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ଅନ୍ୟ ଏକ ରୋଗରେ ମୃତୁ୍ୟ ହୋଇଥିଲା । ବଳକା ୨୬ଜଣ କରୋନା ରୋଗୀ ଏବେ ନବରଙ୍ଗପୁର କୋଭିଡ ହସ୍ପିଟାଲ ଏବଂ ଭୁବନେଶ୍ୱରର ସମ୍ ହସ୍ପଟିଲାରେ ଚିକିତ୍ସାଧୀନ ଅଛନ୍ତି । କରୋନା ସଂକ୍ରମଣ ରୋକିବା ଲାଗି ଆକ୍ରାନ୍ତ ହୋଇଥିବା ଲୋକଙ୍କ ଅଞ୍ଚଳଗୁଡିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସେଭଳି ଆକ୍ରାନ୍ତମାନଙ୍କ କଣ୍ଟାକ୍ଟ ଟ୍ରେସିଂ ପରେ ପରୀକ୍ଷା ପାଇଁ ସ୍ୱାବ୍ ସଂଗ୍ରହ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଅନ୍ୟପକ୍ଷରେ ୨୬ ତାରିଖ ସୁଦ୍ଧା ଜିଲ୍ଲାକୁ ୧୧ ହଜାର ୩୮୭ ଜଣ ପ୍ରବାସୀ ଫେରିଛନ୍ତି । ସେମାନଙ୍କ ସଂଖ୍ୟା ଯେତେ ବଢୁଛି, ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ସେହି ଅନୁପାତରେ ବଢି ଚାଲିଛି । ଯାହା ଜିଲ୍ଲାବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।
Comments are closed, but trackbacks and pingbacks are open.