
ଦିଗପହଣ୍ଡି,(ବି.ବି.ନୁ୍ୟଜ): ଅସୁରକ୍ଷିତ ଦିଗପହଣ୍ଡି ସବ୍ରେଜିଷ୍ଟ୍ରାର ଅଫିସ ପରିସର । ଦଶ ମିନିଟ୍ ଧରି ଆତଙ୍କ ଦେଖିବାକୁ ମିଳିଥିଲା । ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ କାତିରେ ହାଣିଲେ ଦୁର୍ବୃତ୍ତ । ଯୁବକଙ୍କ ସହ ଆସିଥିବା ଆଉ ଦୁଇ ଜଣଙ୍କ ମହିଳାଙ୍କୁ ମଧ୍ୟ ଛାଡ଼ିଲେନି । ମୁଣ୍ଡକୁ ହାତକୁ ବାରମ୍ବାର ଚୋଟ ପକାଇ ଚାଲିଥାନ୍ତି । ରକ୍ଷାକର ବୋଲି ସେମାନେ ଚିକ୍ରାର କରୁଥିଲେ । ମାତ୍ର କେହି ଛଡ଼ାଇବାକୁ ଆସିଲେ ତାଙ୍କର ମଧ୍ୟ ଏହି ଅବସ୍ଥା ହେବ ବୋଲି ଦୁର୍ବୃତ୍ତମାନେ ଧମକ ଦେଇଥିଲେ । ଶହଶହ ଲୋକ ଦେଖୁଥିଲେ ମଧ୍ୟ କେହି ଉଦ୍ଧାର କରିବାକୁ ସାହସ କରିନଥିଲେ । ଏଭଳି ଏକ ଲୋମଟାଙ୍କୁରା ଘଟଣା ଆଜି ଦିଗପହଣ୍ଡି ସବ୍ରେଜିଷ୍ଟ୍ରାର ଅଫିସ୍ ଭିତରେ ଘଟିଛି । ଆହତମାନେ ହେଲେ ସାନଖେମୁଣ୍ଡି ବ୍ଲକ ପୋଡାମାରୀ ଗ୍ରାମର ପୂର୍ବତନ ସରପଞ୍ଚ ବି.ନାରାୟଣ ରାଓ(୬୪) ସ୍ତ୍ରୀ ତଥା ପୂର୍ବତନ ସାନଖେମୁଣ୍ଡି ବ୍ଲକ ଉପାଧ୍ୟକ୍ଷା ବି.ଜ୍ୟୋତି ରାଓ(୫୮) ଓ ତାଙ୍କ ଭଉଣୀ ଏମ୍.ସାରଦା(୬୫) ଗୋପାଳପୁର ସହରର ବୋଲି ଜଣାପଡିଛି । ଏନେଇ ଥାନାରେ ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ବସନ୍ତ ସେଠୀ କହିଛନ୍ତି ।
ସମ୍ପୂର୍ଣ୍ଣ ଘଟଣା ଥିଲା ଏମିତି, ଆଜି ମଧ୍ୟାହ୍ନ ପ୍ରାୟ ସାଢେ଼ ୧୨ଟା । ଜମିଜମା ରେଜିଷ୍ଟେ୍ରସନ୍ ପାଇଁ ସବ୍ରେଜିଷ୍ଟ୍ରାର ଅଫିସ୍ରେ ପ୍ରବଳ ଭିଡ଼ ରହିଥିଲା । ଉପନିବନ୍ଧକ ଅଧିକାରୀ ପଞ୍ଜୀକୃତ ହେଉଥିବା ବିଭିନ୍ନ ଦଲିଲ୍ର ଶୁଣାଣି କରୁଥାନ୍ତି । ଏହି ସମୟରେ ଛାତି ଥରେଇଲା ଭଲି ଘଟଣା ଘଟିଗଲା । ଜଣେ ଦୁର୍ବୃତ୍ତ ନାରାୟଣଙ୍କୁ ଗୋଡ଼ାଇ ଗୋଡ଼ାଇ କାତିରେ ଆକ୍ରମଣ କରିଛି । ସେହିପରି ଜ୍ୟୋତି ଓ ସାରଦାଙ୍କୁ ମଧ୍ୟ ସେଠାରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଶହଶହ ଲୋକଙ୍କ ଭିଡ଼ରେ ଏହି ଘଟଣା ଘଟିଛି । ରକ୍ଷା କରିବା ପାଇଁ ଚିକ୍ରାର କରୁଥିଲେ ମଧ୍ୟ ଛଡ଼ାଇବାକୁ କେହି ସାହାସ ଜୁଟାଇ ପାରିନଥିଲେ । ରକ୍ତ ରଞ୍ଜିତ ହୋଇଗଲା ସବ୍ରେଜିଷ୍ଟ୍ରାର ଅଫିସ୍ ପରିସର । ସବୁଆଡେ଼ ରକ୍ତର ଛିଟା । ଦିନ ଦ୍ୱିପହରରେ ଏଭଳି ବର୍ବର ଆକ୍ରମଣ ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ସମ୍ପତ୍ତି ଲୋଭରେ ଏଭଳି ବର୍ବର ଆକ୍ରମଣ ଦିଗପହଣ୍ଡିରେ ଆଜି ଚର୍ଚ୍ଚାର ବିଷୟ ହୋଇଛି । ନାରାୟଣ, ଜ୍ୟୋତି ଓ ସାରଦାଙ୍କ ଶରୀରରେ ଗଭୀର ଆଘାତ ଲାଗିଛି । ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ପ୍ରଥମେ ଦିଗପହଣ୍ଡି ପରେ ବ୍ରହ୍ମପୁର ମେଡିକାଲ୍ ସ୍ଥାନାନ୍ତରିତ କରାଯାଇଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛି ।
ଆକ୍ରମଣରେ ଶିକାର ହୋଇଥିବା ଏମ୍.ସାରଦାଙ୍କ କହିବା ପ୍ରକାରେ ତାଙ୍କ ବାପା ଜି.ମାର୍କଣ୍ଡ ରାଓ ଓ ତାଙ୍କ ଦାଦା ଜି.ଲଛମନ୍ ରାଓ ମଧ୍ୟରେ ଥିବା ସମସ୍ତ ସମ୍ପତ୍ତି ଭାଗ ବଣ୍ଟନ ହୋଇଯାଇଛି । ଜି.ମାର୍କଣ୍ଡ ତାଙ୍କୁ ମିଳିଥିବା ଭାଗ ସମ୍ପତ୍ତିକୁ ଦୁଇ ଝିଅ ଏମ୍ ସାରଦା ଓ ବି.ଜ୍ୟୋତିଙ୍କ ନାମରେ ରେକର୍ଡଭୁକ୍ତ କରିଦେଇଥିଲେ । ସାରଦା ତାଙ୍କ ଜମିକୁ ବିକ୍ରି କରିବା ପାଇଁ ଦିଗପହଣ୍ଡି ଉପନିବନ୍ଧକ କାର୍ଯ୍ୟାଳୟକୁ ଆସିଥିବା ବେଳେ ଯୋଜନା ମୁତାବକ ତାଙ୍କ ସମ୍ପର୍କୀୟ ଭାଇ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ।
ଉପନିବନ୍ଧକ ଅଧିକାରୀ ତଥା ଅତିରିକ୍ତ ତହସିଲ୍ଦାର ରମେଶ ଚନ୍ଦ୍ର ବେହେରାଙ୍କ ସୂଚନା ପ୍ରକାରେ ଏମ୍. ସାରଦା ପୋଡାମାରୀ ମୌଜାରେ ଥିବା ଖାତା ନଂ-୮୬୮/୨୩୫୬ ପ୍ଳଟ୍ ନଂ-୧୮୫୩/୮୧୧୯ ର ୦୦୦୩୭ ଡେସିମିଲ୍ ଜମିକୁ ସେହି ଗ୍ରାମର ସୁନିତା ପ୍ରଧାନଙ୍କୁ ବିକ୍ରି କରିବା ପାଇଁ ଆଜି ଦିଗପହଣ୍ଡି ଉପନିବନ୍ଧକ କାର୍ଯ୍ୟାଳୟକୁ ଆସିଥିଲେ । ଏଥିପାଇଁ ଭଉଣୀ ବି.ଜ୍ୟୋତି ଓ ତାଙ୍କ ଜ୍ୱାଇଁ ବି.ନାରାୟଣ ରାଓଙ୍କୁ ସାରଦା ଡାକିଥିଲେ । ଏଥିମଧ୍ୟରେ ସମସ୍ତ ଦଲିଲ୍ କାର୍ଯ୍ୟ ଶେଷ ହୋଇ ଶୁଣାଣି ମଧ୍ୟ ଶେଷ ହୋଇଥିଲା । କାର୍ଯ୍ୟାଳୟ ବାହାରେ ପ୍ରବଳ ପାଟିତୁଣ୍ଡ ହୋଇଥିବା ସେ ଶୁଣିବାକୁ ମିଳିଥିଲା । ଏଥିମଧ୍ୟରେ ଜଣେ ଯୁବକ ଗୋଡେଇ ଗୋଡେ଼ଇ ନାରାୟଣଙ୍କୁ ଆକ୍ରମଣ କରୁଥିଲେ । ଏହି ସମୟରେ ସେ ଅଫିସ୍ ଭିତରକୁ ପଶି ଆସିଥିଲେ ବୋଲି ଉପନିବନ୍ଧକ ଅଧିକାରୀ ରମେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.