କେନ୍ଦ୍ରାପଡ଼ା,(ବି.ବି.ନ୍ୟୁଜ୍): ସପ୍ତାହକ ଭିତରେ ସମାନ ଧରଣର ଦ୍ୱିତୀୟ ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅଞ୍ଚଳରେ । ଗୋବରୀ ନଦୀରୁ ଉଦ୍ଧାର କରାଯାଇଛି ମା’, ଝିଅଙ୍କର ମୃତଦେହ । ମହାକାଳପଡ଼ା ବ୍ଲକର ତନ୍ତିଆପାଳ ସାମୁଦ୍ରିକ ଥାନାର ଗୋଗୁଆ ଗ୍ରାମରେ ଆଜି ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମୃତକ ଦୁହେଁ ହେଲେ ଗ୍ରାମର ଯଦୁମଣି ଜେନାଙ୍କ ସ୍ତ୍ରୀ ନେଉଳି ଜେନା (୪୫) ଓ ତାଙ୍କ ଝିଅ ଝୁନି ଜେନା (୭) ।
ଆଜି ସକାଳ ପ୍ରାୟ ୭ଟା ବେଳେ କେତେକ ମାଛ ଧରାଳି ନଦୀରେ ଜାଲ ପକାଉଥିବା ବେଳେ ଶିଶୁ କନ୍ୟାର ମୃତଦେହକୁ ଉଦ୍ଧାର କରିଥିଲେ । କିଛି ସମୟ ପରେ ନଦୀରୁ ମା’ନେଉଳି ଜେନାଙ୍କ ମୃତଦେହ ବି ଉଦ୍ଧାର କରାଯାଇଥିଲା । ମା-ଝିଅଙ୍କ ମୃତ୍ୟୁକୁ ନେଇ ନାନା କଥା ଶୁଣିବାକୁ ମିଳୁଛି । ପ୍ରକୃତରେ ସେମାନେ କେତେବେଳେ, କେଉଁ କାରଣରୁ ନଦୀକୁ ଆସିଥିଲେ ଓ ଏ ଘଟଣା ପଛର ରହସ୍ୟ କଣ, ତାହା ଜଣାପଡ଼ିନଥିଲେ ବି ଉଭୟଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଆଜି ଦିନ ତମାମ ଚର୍ଚ୍ଚା ଲାଗିରହିଥିଲା । ନେଉଳି ଜେନାଙ୍କ ଭାଇ ଛତର ଗ୍ରାମର ଶରତ ଜେନାଙ୍କ ଅଭିଯୋଗ ଅବଶ୍ୟ ସବୁ ଚର୍ଚ୍ଚା, ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇଛି ।
ଶରତଙ୍କ କହିବା କଥା, ଗୋଗୁଆ ଗ୍ରାମରେ ସପରିବାର ରହିଆସୁଥିଲେ ତାଙ୍କ ଭଉଣୀ । ତାଙ୍କ ଭଉଣୀ, ଭାଣିଜୀ ଆଜି ନିତ୍ୟକର୍ମ ସମ୍ପାଦନ ପାଇଁ ପାହାନ୍ତାରେ ନଦୀକୁ ଯାଇଥିଲେ । ଏହି ସମୟରେ ଭାଣିଜୀର ଗୋଡ଼ ଖସିଯାଇଥିଲା । ତାକୁ ଉଦ୍ଧାର କରିବାକୁ ଯାଇ ଭଉଣୀ ନଦୀକୁ ପଶିଥିଲା । କିଛି ସମୟ ବ୍ୟବଧାନରେ ସେମାନେ ଦୁହେଁ ବୁଡ଼ି ଯାଇଥିଲେ । ଆଖପାଖରେ କେହି ନଥିବାରୁ ଦୁହିଙ୍କୁ ଉଦ୍ଧାର କରାଯାଇ ପାରିନଥିଲା । ଝିଅ ସହ ସଲିଳ ସମାଧି ନେଇଥିଲେ ତାଙ୍କ ଭଉଣୀ ।
ତନ୍ତିଆପାଳ ପୁଲିସ ବୟାନ ସଂଗ୍ରହ କରି ମା’, ଝିଅଙ୍କ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ମାତ୍ର କିଛି ଦିନ ଆଗରୁ ଗଲା ଅଗଷ୍ଟ ପହିଲାରେ ମହାକାଳପଡ଼ା ବ୍ଲକ୍ରେ ଆଉ ଦୁଇ ଜଣ ମା’-ଝିଅ ପ୍ରାଣ ହରାଇଥିଲେ । ମହାକାଳପଡ଼ା ବ୍ଲକ କରଞ୍ଜ ଗ୍ରାମରେ ଦେଖିବାକୁ ମିଳିଥିଲା ଏଭଳି ଅଘଟଣ । ଦାରିଦ୍ର୍ୟର ତାଡ଼ନା, ଘରେ ଲାଗିରହିଥିବା କଳି, ନିଶାସକ୍ତ ସ୍ୱାମୀର ଅତ୍ୟାଚାର ସହିନପାରି ଦେଢ଼ ବର୍ଷର ଝିଅକୁ ଧରି ଲୁଣା ନଈକୁ ଡେଇଁ ପଡ଼ିଥିଲେ ଜଣେ ମହିଳା । ତେବେ ଏ ସଂକ୍ରାନ୍ତରେ ମୃତା ମହିଳା ସସ୍ମିତା ସେଠୀଙ୍କ ଦାଦା ରମେଶ ସେଠୀ ମାର୍ଶାଘାଇ ଥାନାରେ ହତ୍ୟା ଅଭିଯୋଗ ଆଣିଥିଲେ । ତାଙ୍କ ଝିଆରୀକୁ ମାରି ପରେ ନଈରେ ଫିଙ୍ଗି ଦିଆଯାଇଥିବା ସେ ଥାନାରେ ଏତଲା ଦାଏର କରିଥିଲେ । ପୁଲିସ ଉକ୍ତ ମାମଲାର ତଦନ୍ତ ଚଳାଇଛି ।
Comments are closed, but trackbacks and pingbacks are open.