ବଲାଙ୍ଗୀର,(ବି.ବି.ନୁ୍ୟଜ୍): ଗତ ୨୨ତାରିଖ ରାତି ସାଢେ଼ ୯ଟା ବେଳେ ବ୍ୟବସାୟୀ ଆନନ୍ଦ ଅଗ୍ରୱାଲଙ୍କ କର୍ମଚାରୀଙ୍କଠାରୁ ଲୁଟ୍ ଘଟଣାର ଆଜି ପର୍ଦ୍ଧାଫାସ କରିଛି ବଲାଙ୍ଗୀର ପୁଲିସ । ଘଟଣାରେ ସମୁଦାୟ ୬ଜଣ ଅଭିଯୁକ୍ତ ସାମିଲ ଥିବାବେଳେ ସେମାନଙ୍କଠାରୁ ଏକ ଦେଶୀ ବନ୍ଧୁକ, ଗୁଳି ଏବଂ ସାଢେ଼ ୬ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ସମୀର ବଡ଼ମଲ୍ଲିକ(୨୦), ରାଜୁ ଭୁଏ(୨୪), ଆକାଶ ଶରଭଙ୍ଗ(୩୨), ଅଭିଶେକ ସାହୁ(୧୯), ସାହିଲ ସୁନା(୧୮), ପପୁ ସାହୁ(୨୦) । ସମସ୍ତ ଅଭିଯୁକ୍ତ ଟାଉନ ଥାନା ଅଞ୍ଚଳର ହୋଇଥିବା ବେଳେ ସମୀର ଉକ୍ତ ଲୁଟ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ । ଅନଲାଇନରେ ସେ ଗୋଳମରିଚ ଗୁଣ୍ଡ ସ୍ପେ୍ର କିଣିବା ପରେ ଲୁଟ୍ କରିବାକୁ ଯାଇଥିବା ଅଭିଶେକ, ସାହିଲ ଏବଂ ପପୁଙ୍କୁ ଦେଇଥିଲେ । ବ୍ୟବସାୟୀ ଶ୍ରୀ ଅଗ୍ରୱାଲ ଆଗରେ ଯାଉଥିବା ବେଳେ ପଛରେ ଯାଉଥିବା ତାଙ୍କର କର୍ମଚାରୀଙ୍କ ଉପରେ ଲୁଟେରାମାନେ ଉକ୍ତ ଗୁଣ୍ଡ ଛିଞ୍ଚି ଟଙ୍କା ବ୍ୟାଗ ଲୁଟିନେଇଥିଲେ । ପରେ ବିଭିନ୍ନ ଗୁଇନ୍ଦା ସୂଚନାକୁ ଆଧାର କରି ପୁଲିସ ସେମାନଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି । ବଲାଙ୍ଗୀର ଏସପି ମଡ଼କର ସନ୍ଦିପ ସମ୍ପତ ଟାଉନ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ପ୍ରତିଦିନ ବ୍ୟବସାୟୀ ଶ୍ରୀ ଅଗ୍ରୱାଲ ରାତି ସାଢେ଼ ୯ଟାରେ ଦୋକାନ ବନ୍ଦ କରି ରାଧାରାଣୀପଡ଼ା ସ୍ଥିତ ନିଜ ଘରକୁ ଯାଇଥାନ୍ତି । ବ୍ୟବସାୟୀ ଶ୍ରୀ ଅଗ୍ରୱାଲଙ୍କ ଦୋକାନ ନିକଟରେ ଥିବା ଅନ୍ୟ ଦୋକାନରେ କାର୍ଯ୍ୟରତ ଦୁଇ କର୍ମଚାରୀ ରାଜୁ ଏବଂ ଆକାଶ ପ୍ରତିଦିନ ଏହି ଟଙ୍କା ନେବା ଆଣିବା ଦେଖୁଥିଲେ । ସେମାନେ ଯାଇ ସମୀରଙ୍କୁ କହିବା ପରେ ସେ ଲୁଟ କରିବାର ଯୋଜନା କରିଥିଲେ । ପୂର୍ବରୁ ଅନେକ ଥର ସମସ୍ତେ ମିଶି ଯୋଜନାକୁ ସଫଳ କରିବା ପାଇଁ ଅଭ୍ୟାସ ମଧ୍ୟ କରିଥିଲେ । ଶେଷରେ ଗତ ୨୨ତାରିଖ ରାତି ପ୍ରାୟ ୯ଟା୪୦ରେ ବ୍ୟବସାୟୀ ଶ୍ରୀ ଅଗ୍ରୱାଲ ଆଗରେ ନିଜ ସ୍କୁଟିରେ ଯାଉଥିବା ବେଳେ ପଛରେ ତାଙ୍କର ଦୋକାନ କର୍ମଚାରୀ ଟଙ୍କା ବ୍ୟାଗ ଧରି ସାଇକଲରେ ଯାଉଥିଲେ । ଟଙ୍କା ବ୍ୟାଗ ଧରି ସେମାନେ ଦୋକାନରୁ ବାହାରିବା ଦେଖି ରାଜୁ ଏବଂ ଆକାଶ ନିଜନିଜ ଭିତରେ ଖବର ଦେଇଥିଲେ । କିଛି ସମୟ ପରେ ଏକ ସାଇକେଲରେ ସମୀର ସେଠାରେ ପହଞ୍ଚି ଅନ୍ୟ ୩ଅଭିଯୁକ୍ତଙ୍କୁ ରାସ୍ତା ଖାଲି ଥିବା କହିଥିଲେ । ସେହି ସମୟରେ ଏକ ବାଇକରେ ପପୁ, ସାହିଲ ଏବଂ ଅଭିଶେକ ଦ୍ରୁତଗତିରେ ଆସି ଦୋକାନ କର୍ମଚାରୀଙ୍କ ଉପରେ ଉକ୍ତ ଗୋଳମରିଚ ଗୁଣ୍ଡ ସ୍ପେ୍ର କରିଥିଲେ । କର୍ମଚାରୀଙ୍କ ଆଖି ଜଳପୋଡ଼ା ହେବାରୁ ସେ ତଳେ ପଡ଼ି ଯାଇଥିଲେ । ତାହାର ସୁଯୋଗ ପାଇ ଲୁଟେରାମାନେ ଟଙ୍କା ବ୍ୟାଗଟି ଲୁଟି ଫେରାର ହୋଇଥିଲେ । ଗତକାଲି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ସମସ୍ତଙ୍କୁ ଘରୁ ଏବଂ ବିଭିନ୍ନ ସ୍ଥାନରୁ ଗିରଫ କରିଥିଲା । ତେବେ ଲୁଚାଇଥିବା ଟଙ୍କା ଉଦ୍ଧାର କରିବାକୁ ଯାଇଥିବା ବେଳେ ଅଭିଯୁକ୍ତ ଅଭିଶେକ ସାହୁ ପୁଲିସ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ମାଡ କରିଥିଲା । ତେବେ ନିକଟରେ ଥିବା ପୁଲିସ କର୍ମଚାରୀମାନେ ତାକୁ କାବୁ କରିଥିଲେ । ପରେ ସେ ଲୁଚାଇଥିବା ଟଙ୍କା ଏବଂ ବନ୍ଧୁକ ଜବତ ହୋଇଥିଲା । ଆଜି ସମସ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଏସପି ଶ୍ରୀ ସମ୍ପତ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.