ଗ୍ରାମସାଥୀଙ୍କୁ ଅପହରଣ, ୧୨ ଘଣ୍ଟା ପରେ ଖଲାସ

Get real time updates directly on you device, subscribe now.

ଫୁଲବାଣୀ, (ବି.ବି.ନୁ୍ୟଜ୍): କନ୍ଧମାଳରେ ପୁଣି ମାଓବାଦୀ ନିଜର ସ୍ଥିତି ଜାହିର କରିଛନ୍ତି । ଲଗାତର ୩ ଦିନ ଧରି ମାଓ ସଂଗଠନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉପସ୍ଥିତି ଜାହିର କରି ପୁଲିସକୁ ଚାଲେଞ୍ଜ ଦେଇଛି । ଜୁନ୍ ମାସରେ ପୁଲିସ ଗୁଳିରେ ନିହତ ୭ ମାଓବାଦୀଙ୍କ ମୃତୁ୍ୟ ଘଟଣାରେ ମାଓବାଦୀ ରକ୍ତମୁଖା ହୋଇଥିବା ଅନୁମାନ କରାଯାଇଛି । ଆଜି ସୁମେରୁବନ୍ଧ ପଞ୍ଚାୟତ ରତମାସ୍କା ଗ୍ରାମର ଗ୍ରାମସାଥୀ ଛବିଳ କହଁରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଅବଶ୍ୟ ପ୍ରାୟ ୧୨ ଘଣ୍ଟା ପରେ ଅପହୃତ ଗ୍ରାମସାଥୀଙ୍କୁ ମାଓବାଦୀ ଖଲାସ କରିଥିବା ଜଣାପଡ଼ିଛି । ଏହାସହିତ ଫିରିଙ୍ଗିଆ ଥାନା ଅନ୍ତର୍ଗତ ପକାରୀ ଘାଟିରେ ଗଛକାଟି ଫୁଲବାଣୀ-କଣ୍ଟାମାଳ ରାସ୍ତା ଅବରୋଧ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ପକାରୀ ଘାଟିରେ ଏକ ବିରାଟ ଗଛ କାଟି ରାସ୍ତାରେ ପକାଇ ମାଓ ବ୍ୟାନେର ଓ ପୋଷ୍ଟର ଲଗାଇଛନ୍ତି ମାଓବାଦୀ । ସୁମେରୁବନ୍ଧ ପଞ୍ଚାୟତର ରତମାସ୍କା ଗ୍ରାମର ଗ୍ରାମସାଥୀ ଛବିଳ କହଁରଙ୍କୁ କିଛି ମାଓବାଦୀ ଗତକାଲି ସକାଳେ ଅପହରଣ କରିଥିଲେ । କିନ୍ତୁ ସନ୍ଧ୍ୟାରେ ଖଲାସ କରି ଦେଇଥିବା ଜଣାପଡିଛି । ଏହି ଘଟଣା ପରେ ଫିରିଙ୍ଗିଆ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏନେଇ ଫିରିଙ୍ଗିଆ ଥାନା ଅଧିକାରୀ ପି. ଶ୍ୟାମସୁନ୍ଦର ରାଓଙ୍କୁ ପଚାରିବାରେ କହିଛନ୍ତି ଯେ ଅପହରଣ ପରେ ଛାଡ଼ି ଦିଆଯାଇଥିବା ସୂଚନା ପାଇଛନ୍ତି । ଏନେଇ ତଦନ୍ତ ଚାଲିଛି ଏବଂ ତଦନ୍ତ ପରେ ଏହାର ସତ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି । ପୁଲିସ୍ ମଧ୍ୟ କମ୍ବିଂ ଅପରେସନକୁ ଜୋରଦାର କରିଥିବା ଏସ୍ପି ବିନୀତ୍ ଅଗ୍ରୱାଲ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ କିଛି ଦିନର ନିରବତା ପରେ ମାଓବାଦୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାନର, ପୋଷ୍ଟର ମାରିବା ସହ ପୋଡ଼ାଜଳା, ରାସ୍ତା ଅବରୋଧ, ଅପହରଣ ଭଳି ଘଟଣା ଘଟାଇଛନ୍ତି । ଦୁଇ ଦିନ ତଳେ ବାଲିଗୁଡ଼ା ଅଞ୍ଚଳରେ ଏକ ରାସ୍ତା ନିର୍ମାଣ ଠିକା ସଂସ୍ଥାର ୫ଟି ଗାଡ଼ି ଜାଳି ଦେଇଥିଲେ । ପୂର୍ବରୁ ବାଲିଗୁଡ଼ା କଲେଜ ଛକ ଓ କାଟ୍ରିଙ୍ଗିଆରେ ମାଓ ପୋଷ୍ଟର ଓ ବ୍ୟାନର ଲାଗଇ ସ୍ଥିତି ଜାହିର କରିଥିଲେ । ମାଓବାଦୀ ପୁଣି ସକ୍ରିୟ ହୋଇଥିବା ଏହି ଘଟଣା ପ୍ରମାଣିତ କରିଛି । ଗତ ଜୁନ୍ ୪ ଓ ୫ ତାରିଖରେ ତକ୍ରାଳୀନ ଏସ୍ପି ପ୍ରତୀକ୍ ସିଂଙ୍କ ନିଦେ୍ର୍ଧଶରେ ଏସ୍ଓଜି ଓ ଡିବିଏଫ ଟିମ୍ ତୁମୁଡିବନ୍ଧର ସିର୍ଲା ଜଙ୍ଗଲରେ କମ୍ବିଂ ଅପରେସନ ହୋଇଥିଲା । ଏହି ସମୟରେ ମାଓବାଦୀଙ୍କ ସାମନା କରିଥିଲା ମିଳିତ ପୁଲିସ ଟିମ୍ । ପୁଲିସ ସହ ଗୁଳି ବିନିମୟ ହୋଇଥିଲା । ଏଥିରେ ୫ ଜଣ ମାଓବାଦୀଙ୍କ ମୃତୁ୍ୟ ହୋଇଥିଲା । ପୁଣି ଜୁନ୍ ୨୪ରେ ସେହି ଜଙ୍ଗଲରେ ଏସ୍ଓଜି ଯବାନ୍ ଗୁଳିରେ ଆଉ ଦୁଇ ଜଣ ମାଓବାଦୀଙ୍କ ମୃତୁ୍ୟ ହୋଇଥିଲା । କମ୍ ଦିନ ବ୍ୟବଧାନରେ ୭ ଜଣ କ୍ୟାଡର ସାଥିଙ୍କୁ ହରାଇ ମାଓବାଦୀ ସଂଗଠନ କେକେବିଏନ ଡିଭିଜନ୍ ଏବେ ପ୍ରତିଶୋଧ ପରାୟଣ ହୋଇଥିବା ଅନୁମାନ କରାଯାଇଛି । ନିହତ ସାଥିଙ୍କୁ ସହୀଦ୍ କହିବା ସହ ପୁଲିସ କୌଣସି ଚେତବନୀ ନଦେଇ ହତ୍ୟା କରିଥିବା ଅଭିଯୋଗ କରିଛି ସଂଗଠନ । ଏହାର ପ୍ରତିବାଦରେ ଅଗଷ୍ଟ ୧୮ରୁ ୨୪ ପର୍ଯ୍ୟନ୍ତ ସହିଦ୍ ସପ୍ତାହ ଓ ବନ୍ଦ ପାଳନ ଡାକରା ଦେଇଛି । ଦୁଇ ଦିନ ତଳେ କେ. ନୂଆଗାଁ ଓ ବାଲିଗୁଡ଼ା ଥାନା ଅଞ୍ଚଳରେ ବ୍ୟାନର ଲଗା ଯାଇଥିଲା । ଏଥିସହ ବାଲିଗୁଡ଼ା ଥାନା ଅନ୍ତର୍ଗତ ଖମନଖୋଲ ପଞ୍ଚାୟତରେ ରାସ୍ତା କାମ କରୁଥିବା ଏକ ଠିକା ସଂସ୍ଥାର କ୍ୟାମ୍ପରେ ମାଓବାଦୀମାନେ ପଶି ୫ଟି ଗାଡ଼ିି ପୋଡି ଦେବା ସହ କର୍ମଚାରୀମାନଙ୍କୁ ଧମକ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons