ଗ୍ରାମ୍ୟ ଉନ୍ନୟନ ଟେଣ୍ଡର ଅନିୟମିତତା:ଠିକାଦାର ଗିରଫ, ୨ ଫେରାର

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ): ଜାଲିଆତି କାଗଜପତ୍ର ଜରିଆରେ ଟେଣ୍ଡର ହାତେଇବା ଉଦ୍ୟମ ଠିକାଦାରଙ୍କୁ ମହଙ୍ଗା ପଡ଼ିଛି । ଠିକାଦାରଙ୍କ ବାଲାନସ୍ ସିଟ୍ ଓ ଲସ୍ ଆଣ୍ଡ ପ୍ରଫିଟ୍ ଷ୍ଟେଟ୍ମେଣ୍ଟ ନକଲି ବୋଲି ଜଣାପଡିବା ପରେ ଗୁରୁବାର କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷକ ଯନ୍ତ୍ରୀ ପ୍ରଦୀପ କୁମାର ମିଶ୍ର ଥାନାରେ ଏତଲା ଦେଇଥିଲେ । ଅଭିଯୋଗକୁ ଆଧାର କରି ପୁଲିସ ଠିକାଦାର ଦେବେନ୍ଦ୍ର କୁମାର ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଠିକାଦାରଙ୍କ ଗିରଫ ପରେ ଅନୁକମ୍ପା ଦେଖାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଓ କର୍ମଚାରୀମାନେ ସନେ୍ଦହ ଘେରକୁ ଆସିଛନ୍ତି ।
କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପ୍ୟାକେଜ୍ ନଂ ଓଆର ୧୭-୬୪୨ କାମକୁ ହାତେଇବା ପାଇଁ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ପଞ୍ଚୁପଲ୍ଲୀ ଗ୍ରାମର ଦେବେନ୍ଦ୍ର କୁମାର ଜେନା ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିଲେ । କିନ୍ତୁ ଟେଣ୍ଡର ହାତେଇବାକୁ ଦେବେନ୍ଦ୍ର ଜାଲି କାଗଜପତ୍ର ଦାଖଲ କରିଥିବା ପ୍ରମାଣ ମିଳିଥିଲା । ଠିକାଦାର ଜଣକ ବାରମ୍ବାର ଏଭଳି ଜାଲିଆତି କାମ କରୁଥିବା ବେଳେ ଏବେ ଅନ୍ଲାଇନ୍ ବ୍ୟବସ୍ଥା ଯୋଗୁ ଧରାପଡି ଯାଇଥିଲେ । ପୂର୍ବରୁ ଅଫ୍ଲାଇନ୍ ଜରିଆରେ ଟେଣ୍ଡର ପ୍ରକ୍ରିୟା ହେଉଥିବାରୁ ଅସାଧୁ କର୍ମଚାରୀଙ୍କ ଦ୍ୱାରା ଘଟଣାକୁ ଚାପି ଦେଉଥିଲେ । ଏବେ କିଛି ଠିକାଦାର କାମ ପାଇବାରୁ ବଞ୍ଚିତ ହେବା ପରେ ସେମାନେ ଘଟଣାକୁ ପ୍ରଘଟ କରିଥିଲେ । ଫଳରେ ଜାଲିଆତିର ଖୋଳତାଡ଼ ହୋଇଥିଲା ।
ଶ୍ରୀ ଜେନା ସାମଲ ଆସୋସିଏଟସ୍ ପକ୍ଷରୁ ଟେଣ୍ଡର ସମୟରେ ବାଲାନସ୍ ସିଟ୍ ପ୍ରସ୍ତୁତ କାଗଜପତ୍ର ଦାଖଲ କରିଥିଲେ । ଟେଣ୍ଡର କାଗଜପତ୍ର ଯାଞ୍ଚ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗରୁ ସନେ୍ଦହ କରାଯାଇ ସମ୍ପୃକ୍ତ ଚାଟାର୍ଡ ଆକାଉଣ୍ଡାଣ୍ଟ ଫାର୍ମ ସାମଲ ଆସୋସିଏଟ୍କୁ ଏହାର ସ୍ପଷ୍ଟୀକରଣ ମାଗିଥିଲେ । ଚାଟାର୍ଡ ଆକାଉଣ୍ଟାଣ୍ଟ ନିକଟରୁ ଯେଉଁ ଲସ୍ ଆଣ୍ଡ ପ୍ରଫିଟ୍ ବିବରଣୀ ସଂଗ୍ରହ କରାଯାଏ, ସେଥିରେ ୟୁଡିଆଇଏନ୍ ନମ୍ବର (ୟୁନିକ୍ ଡକୁ୍ୟମେଣ୍ଟ ଆଇଡେଣ୍ଟିଫିକେସନ ନମ୍ବର) ରହିବା ନିୟମ ରହିଛି । ମାତ୍ର ଦେବେନ୍ଦ୍ର ଦାଖଲ କରିଥିବା କାଗଜପତ୍ରରେ ତାହା ନଥିଲା । ତେଣୁ ଗ୍ରାମ୍ୟ ଉନ୍ନୟନ ପକ୍ଷରୁ ସନେ୍ଦହ କରାଯାଇ ପତ୍ର ନଂ ୩୨୩ ତା ୨୭ା୧ା୨୧ ରିଖରେ ସାମଲ ଆସୋସିଏଟସ୍ ଠାରୁ ଏହାର ସତ୍ୟସତ୍ୟ ଜାଣିବାକୁ ଚାହିଁଥିଲେ । ସାମଲ ଆସୋସିଏଟସ୍ ଲସ୍ ଆଣ୍ଡ ପ୍ରଫିଟ୍ ବିବରଣୀ ନକଲି ବୋଲି ସ୍ପଷ୍ଟ କରିଥିଲେ । ଫଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଜାଲିଆତି କାଗଜପତ୍ର ଜରିଆରେ ଟେଣ୍ଡର ହାତେଇବାକୁ ଉଦ୍ୟମ କରୁଥିବାରୁ ଗୁରୁବାର ଅଧୀକ୍ଷକ ଯନ୍ତ୍ରୀ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ୫୬ା୨୧ରେ ମାମଲା ରୁଜୁ କରିଥିଲା । ଗୁରୁବାର ଘସିପୁରା ପୁଲିସ ଦ୍ୱାରା ଅଭିଯୁକ୍ତକୁ ତାଙ୍କ ଘରୁ ଗିରଫ କରାଯାଇ ଟାଉନ ପୁଲିସକୁ ହସ୍ତାନ୍ତର କରାଯାଇଥିଲା । ସନ୍ଧ୍ୟାରେ ପୁଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ପ୍ରଥମଥର ପାଇଁ ଟେଣ୍ଡର ଜାଲିଆତି ଘଟଣାରେ ଠିକାଦାର ଗିରଫ ହେବା ଚର୍ଚ୍ଚାର ବିଷୟ ହୋଇଛି ।
ସୂଚନାଯୋଗ୍ୟ, ଗତ ୩୧ ତାରିଖରେ ଟାଉନଥାନାରେ ଅନ୍ୟ ଦୁଇ ଜଣ ଠିକାଦାରଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଜାଲିଆତି କାଗଜପତ୍ର ଜରିଆରେ କାମ ହାତେଇବାକୁ ଉଦ୍ୟମ କରୁଥିବା ଠିକାଦାର ଗଦାଧର ନାୟକ ଓ ସୁରେନ୍ଦ୍ର ଭୂୟାଁଙ୍କ ନାମରେ ୨ଟି ମାମଲା ଥାନାରେ ରୁଜୁ ହୋଇଛି । ଅଭିଯୁକ୍ତମାନେ ଫେରାର ରହିଥିବା ବେଳେ ଗୁରୁବାର ପୁଣି ଏକ ମାମଲାରେ ଦେବେନ୍ଦ୍ରଙ୍କୁ ପୁଲିସ ଗିରଫ କରିଛି । ଏହି ଘଟଣା ପରେ ଜାଲିଆତି କାଗଜପତ୍ର ଜରିଆରେ ଟେଣ୍ଡର ହାତେଇଥିବା ଠିକାଦାରମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଆଗକୁ ଏହି ଘଟଣା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି । ଠିକାଦାର ମାନଙ୍କ ମଧ୍ୟରେ ବିବାଦ ପରେ ଏହି ଘଟଣା ପଦାକୁ ଆସିଛି ।
ଏ ସମ୍ପର୍କରେ ଗିରଫ ହୋଇଥିବା ଠିକାଦାର ଦେବେନ୍ଦ୍ର ଗଣମାଧ୍ୟମ ଆଗରେ ମୁହଁ ଖୋଲି କହିଛନ୍ତି ଯେ, ୩୩ଟି କାମରେ ସମସ୍ତ ଠିକାଦାର ଜାଲିଆତି କରି ଟେଣ୍ଡର ହାତେଇଛନ୍ତି । ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ଉଚିତ ବୋଲି ସେ ଦାବି କରିଛନ୍ତି । ଟାଉନ ଥାନାଧିକାରୀ ପ୍ରମୋଦିନୀ ସାହୁଙ୍କ କହିବାନୁସାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷକ ଯନ୍ତ୍ରୀଙ୍କ ଅଭିଯୋଗ ମୂଳେ ୩ଟି ମାମଲା ଥାନାରେ ରୁଜୁ ହୋଇଛି । ସେଥିମଧ୍ୟରୁ ଜଣେ ଠିକାଦାରଙ୍କୁ ଗିରଫ କରାଯାଇଛି । ଖୁବଶୀଘ୍ର ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons