ନୂଆପଡ଼ା,(ବି.ବି.ନ୍ୟୁଜ୍): ନୂଆପଡ଼ା ଜିଲ୍ଲା ଲଖନା ଥାନା କୁରୁମପୁରୀ ଗ୍ରାହକ ସେବା କେନ୍ଦ୍ର(ସିଏସପି)ରେ କୋଟିଏ ଟଙ୍କା ଚଳୁ ଘଟଣାର ଜିଲ୍ଲା ପୁଲିସ ପର୍ଦ୍ଦାଫାସ କରିଛି । ସିଏସପିର ଶାଖା ପରିଚାଳକ ଲଖନାର ଦାଶରଥୀ ସୁନାନୀ(୩୦)କୁ ଗିରଫ କରି ୧୦ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆହୁତ ଖବରଦାତା ସମ୍ମିଳନୀରେ ଏସପି ସ୍ମିତ୍ ପି ପରମାର ସୂଚନା ଦେଇଛନ୍ତି ।
ଏସ୍ପିଙ୍କ ସୂଚନା ମୁତାବକ, ୨୦୧୭ରୁ ଦାଶରଥୀ କୁରୁମପୁରୀରେ ସିଏସପି ଖୋଲି ବ୍ୟାଙ୍କ କାରବାର କରୁଥିଲା । ଜୁଲାଇ ୧୫ରେ କୋମନା ଥାନା କାଶିପଲା ଗାଁର ଲାଲୁ ଶବର ଓ ଅନ୍ୟ ୧୪ ଗ୍ରାହକ ତାଙ୍କର ଲକ୍ଷାଧିକ ଟଙ୍କା କୁରୁମପୁରୀ ସିଏସପିରେ ଶାଖା ପରିଚାଳକ ଦାଶରଥୀ ଠକେଇ କରି ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସଡିପିଓ ପ୍ରଶାନ୍ତ ପଟ୍ଟାନାୟଙ୍କ ନେତୃତ୍ୱରେ ଲଖନା ଆଇଆଇସି ତପନ ଦାସ, ସଦର ଆଇଆଇସି ଆଦିତ୍ୟ ମହାକୁଡ, ଡିଆଇଓସି ଦେବାଶିଷ ରାଉତ, ଅରବିନ୍ଦ ମୁଦୁଲିଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଛତିଶଗଡ଼ର ରାୟପୁର, ଦୁର୍ଗ ଓ ପୁରୀର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ । ଗତକାଲି ଏହି ଟିମ ଲଖନା ସ୍ଥିତ ଦାଶରଥୀର ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲେ । ୧୦ ଲକ୍ଷ ୪ ହଜାର ୩ ଶହ ଟଙ୍କା ନଗଦ ସହ ଗ୍ରାହକ ସେବା କେନ୍ଦ୍ରରୁ କମ୍ପ୍ୟୁଟର, ପ୍ରିଣ୍ଟର ଓ ବହୁ ଜରୁରୀ କାଗଜାତ ଜବତ କରିଥିଲେ । ଅଧିକ ତଦନ୍ତ ପରେ ଆଜି ଅପରାହ୍ନରେ ତାକୁ କୋର୍ଟ ଚାଲାଣ କରିଥିବା ଏସ୍ପି ଶ୍ରୀ ପରମାର ସୂଚନା ଦେଇଛନ୍ତି । ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତ ପଠାଇ ଦିଆଯାଇଛି ।
ପ୍ରକାଶ ଯେ, ୧୩ ତାରିଖରେ କୁରୁମପୁରୀ, ଦଲଦଲି, କୁଶଦହନା, ଲଟକନପଡା, ଚୌକପଡ଼ା, ଘାଟିପଡା, କର୍ଲାପଡା ଭଳି ଗାଁର ୯୫ ଜଣ ଗ୍ରାହକ କୋଟିଏରୁ ଉର୍ଦ୍ଧ ଟଙ୍କାର ଠକେଇ ହୋଇଥିବା ଲଖନା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏବେ ପୁଲିସ ୧୫ ଜଣଙ୍କ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା କହୁଛି । ତେବେ ଅନ୍ୟ ଗ୍ରାହକଙ୍କ ଟଙ୍କା ଗଲା କୁଆଡ଼େ । ସେମାନେ ତାଙ୍କର କଷ୍ଟ ଉପାର୍ଜିତ ଟଙ୍କା କେମିତି ଫେରି ପାଇବେ ତାକୁ ନେଇ ଚିନ୍ତାରେ । ଅନ୍ୟପକ୍ଷେ ଏହି ଠକେଇରେ କେବଳ ଜଣେ ମାତ୍ର ସିଏସପି ପରିଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମାତ୍ର ୧୦ ଲକ୍ଷ ଟଙ୍କା ଜବତ ହୋଇଛି ।


Comments are closed, but trackbacks and pingbacks are open.