ନୟାଗଡ଼,(ବି.ବି.ନୁ୍ୟଜ୍): ଦେଶ ସ୍ୱାଧୀନ ହେବାର ଦୀର୍ଘ ଦଶନ୍ଧି ପରେ ମଧ୍ୟ ନୟାଗଡ଼ ଜିଲ୍ଲାର କେତେକ ଗ୍ରାମରେ କଙ୍ଗାରୁ କୋର୍ଟ ମାଧ୍ୟମରେ ଗରିବ ଲୋକମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯିବା ସହ ଶୋଷଣ କରାଯାଉଛି । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବଡ଼ଗୋଠ ପଞ୍ଚାୟତ ବ୍ରଜସୁନ୍ଦରପୁର ଗ୍ରାମରେ ଏଭଳି ଅମାନବୀୟ ଘଟଣା ଘଟିଛି । ଗାଁରୁ ବାସନ୍ଦ ପରିବାରଙ୍କ ସହିତ କଥା ହେବା ଏବଂ ମହିଳା ସ୍ୱୟଂ ସହାୟିକା ଗୋÂୀର ସଭ୍ୟାମାନଙ୍କୁ ଘରେ ବସାଇବାରୁ ଏକ ଦିନମଜୁରିଆ ପରିବାରକୁ ୫ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି । ଏପରିକି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏକ ବଡ଼ ହଣ୍ଡା ମୁଣ୍ଡାଇ ଗାଁରେ ବୁଲିବାକୁ ପଡ଼ିଲା । ଖବର ପାଇ ପୁଲିସ ଗ୍ରାମରେ ପହଞ୍ଚିଥିଲା । ହେଲେ ଏଭଳି କଙ୍ଗାରୁ ଆଦେଶ ଦେଇଥିବା ଲୋକଙ୍କ ଉପରେ କୌଣସି କାର୍ଯ୍ୟାନୁÂାନ ଗ୍ରହଣ ନକରି ଫେରି ଯାଇଥିଲା । ଏହି ଘଟଣାର ଭିଡିଓ ରେକର୍ଡିଂ ଭାଇରାଲ ହୋଇଥିବା ବେଳେ ଜିଲ୍ଲାବ୍ୟାପି ଚର୍ଚ୍ଚାର ବିଷୟ ହୋଇଛି ।
ଘଟଣା ଅନୁଯାୟୀ, ବ୍ରଜସୁନ୍ଦରପୁର ଗ୍ରାମରେ ୪୫ ପରିବାର ବାସ କରନ୍ତି । ୬ମାସ ତଳେ ଗ୍ରାମର ବ୍ରଜବନ୍ଧୁ ସାହୁଙ୍କ ସହିତ ଅନ୍ୟ ଏକ ପରିବାରର ସାମାନ୍ୟ ପାଟିତୁଣ୍ଡ ଲାଗିଥିଲା । ଏହି ଘଟଣା ଗ୍ରାମସଭାରେ ଆଲୋଚନା କରାଯାଇ ବ୍ରଜବନ୍ଧୁଙ୍କୁ ଅକଥନୀୟ ଦଣ୍ଡ ବିଧାନ କରାଯାଇଥିଲା । ତେବେ ଗ୍ରାମସଭାର ଏଭଳି ଦଣ୍ଡକୁ ଶ୍ରୀ ସାହୁ ଗ୍ରହଣ ନକରିବାରୁ ତାଙ୍କୁ ଗ୍ରାମରୁ ଏକଘରିକିଆ ହେବାକୁ ପଡ଼ିଥିଲା । ବ୍ରଜବନ୍ଧୁଙ୍କ ପତ୍ନୀ କବିତା ସାହୁ ମା’ତାରିଣୀ ମହିଳା ସ୍ୱୟଂ ସହାୟିକା ଗୋÂୀର ସଭାନେତ୍ରୀ ଅଛନ୍ତି । ଏହି ଗୋÂୀରେ ଗ୍ରାମର ୧୦ ଜଣ ମହିଳା ସଭ୍ୟା ରହିଛନ୍ତି । ତେବେ ଗ୍ରାମରୁ ଏକଘରିକିଆ ରହିଥିବା ବ୍ରଜବନ୍ଧୁଙ୍କ ଘରକୁ କେହି ଯିବେ ନାହିଁ କି କେହି ତାଙ୍କ ସହିତ କଥା ହେବେ ନାହିଁ ବୋଲି ଗ୍ରାମରେ ସଭା ବସି ନିଷ୍ପତ୍ତି ହୋଇଥିଲା । ଗ୍ରାମସଭାର ଏଭଳି କଡ଼ା ନିଦେ୍ର୍ଧଶକୁ ପାଳନ କଲେ ଗୋÂୀକୁ ମିଳିଥିବା ବ୍ୟାଙ୍କ ଋଣ ପରିଶୋଧ ହୋଇପାରିବ ନାହିଁ । ଏହାକୁ ଦୃଷ୍ଟିରେ ରଖି ଗ୍ରୁପ୍ର ସଭ୍ୟା ଉର୍ମିଳା ସାହୁ ବ୍ରଜବନ୍ଧୁଙ୍କ ଘରକୁ ନଯାଇ ଗ୍ରାମର ଅନ୍ୟ ଜଣେ ସଭ୍ୟା ମାଟିଆଣି ଦାଶଙ୍କ ଘରେ ଗ୍ରୁପ୍ର ସଭା କରି ମାସିକ କିସ୍ତି ଟଙ୍କା ଆଦାୟ କରିବା ପରେ ସଭାନେତ୍ରୀ କବିତାଙ୍କ ଘରକୁ ଗତ ରବିବାର ଯାଇ ଆଦାୟ ଟଙ୍କା ଦେଇଥିଲେ ।
ଏହି ଘଟଣାକୁ ନେଇ ସୋମବାର ମଧ୍ୟାହ୍ନରେ ଗାଁ’ଦାଣ୍ଡରେ ଏକ ଗ୍ରାମସଭାହୋଇଥିଲା । ମାଟିଆଣି ଦାଶ କାହିଁକି ତା’ଘରେ ଗ୍ରୁପ୍ର ସଭା କରାଇଲା ସେଥିପାଇଁ ତାଙ୍କୁ ୫ହଜାର ଟଙ୍କା ଜରିମାନା କରାଯିବା ସହିତ ତାଙ୍କ ସ୍ୱାମୀ ଦୀନବନ୍ଧୁ ଦାଶଙ୍କୁ ଗ୍ରାମରେ ହଣ୍ଡା ମୁଣ୍ଡାଇ ବୁଲିବାକୁ ନିଦେ୍ର୍ଧଶ ଦିଆଗଲା । ଯଦି ଗ୍ରାମସଭାର ଦଣ୍ଡାଦେଶ ପାଳନ ନକରିବେ ତେବେ ଘର ସମ୍ମୁଖରେ କଣ୍ଟା ଛଟାଯିବ ଏବଂ ଦୁଆରେ ମଳତ୍ୟାଗ କରାଯିବ ବୋଲି ଧମକ ଦିଆଗଲା । ଏଭଳି ଅମାନୁଷିକ ଦଣ୍ଡ ପ୍ରଦାନ ନକରିବାକୁ ଦୀନବନ୍ଧୁ ହାତ ଯୋଡ଼ି ସଭାରେ କାକୁତିମିନତି ହୋଇଥିଲେ । ଏହା ସତ୍ତେ୍ୱ କେହି ତାଙ୍କ ଗୁହାରି ଶୁଣି ନଥିଲେ । ମୂଲ ଲାଗି ପରିବାର ଚଳାଉଥିବା ଦୀନବନ୍ଧୁ ଧାରକରଜ କରି ବହୁ କଷ୍ଟରେ ଅଢେ଼ଇ ହଜାର ଟଙ୍କା ଯୋଗାଡ଼ କରି ସଭାରେ ପ୍ରଦାନ କରିଥିଲେ । ବାକି ଅଢେ଼ଇ ହଜାର ଟଙ୍କା ପରେ ଦେବାକୁ ମହଲତ ମାଗିଥିଲେ । ସଭାରେ ହୋଇଥିବା ଦ୍ୱିତୀୟ ଦଣ୍ଡାଦେଶ ଅନୁଯାୟୀ ତାଙ୍କୁ ଏକ ବଡ଼ ହଣ୍ଡା ମୁଣ୍ଡାଇ ଗାଁ’ରେ ବୁଲିବାକୁ ପଡ଼ିଥିଲା ।
ଏହି ଖବର ପାଇଁ ନୂଆଗାଁ ପୁଲିସ ପାଖରେ ପହଞ୍ଚିଥିଲା । ପୁଲିସ ବାବୁମାନେ ଗାଁକୁ ଗଲେ । ହେଲେ କଙ୍ଗାରୁ କୋର୍ଟର ତଥାକଥିତ ବିଚାରକମାନେ ସେମାନଙ୍କୁ ଏହି ଘଟଣା ଉପରେ ମିଛ କଥା କହି ବିଦା କରିଦେଇଥିଲେ । କୌଣସି ବ୍ୟକ୍ତି ବାହାରେ ଏହି ଘଟଣାକୁ ପ୍ରଘଟ କଲେ ଦୀନବନ୍ଧୁ ଭଳି ଦଶା ଭୋଗିବାକୁ ପଡ଼ିବ ବୋଲି ମଧ୍ୟ ଧମକ ଦିଆଯାଇଛି । ଏସବୁ ଘଟଣା ଦୀନବନ୍ଧୁଙ୍କ ଦୁଆରେ ଘଟୁଥିବାବେଳେ ଜଣେ ବ୍ୟକ୍ତି ନିଜ ମୋବାଇଲ ଦ୍ୱାରା ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ । ଏହି ଭିଡିଓ ଏବେ ଭାଇରାଲ ହୋଇଛି । ଜିଲ୍ଲାବ୍ୟାପି ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି । ଏଭଳି କଙ୍ଗାରୁ କୋର୍ଟ ମାଧ୍ୟମରେ ଗରିବ ଖଟିଖିଆମାନଙ୍କୁ ଶୋଷଣ କରାଯିବା ସହ ଅମାନୁଷିକ ଦଣ୍ଡ ବିଧାନ କରାଯାଉଛି । ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ କଡ଼ା ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।
Comments are closed, but trackbacks and pingbacks are open.