କଟକ,(ବି.ବି.ବୁ୍ୟରୋ): ଗ୍ୟାଙ୍ଗଷ୍ଟର୍ ମହମ୍ମଦ ସକିଲ୍ର ପୂରା ପରିବାର ଏବେ ଜେଲରେ । ସକିଲ ନିଜେ ଜେଲରେ ରହି ତାର ପରିବାର ଲୋକଙ୍କ ଦ୍ୱାରା ଅପରାଧ ସାମ୍ରାଜ୍ୟ ବିସ୍ତାର କରିଚାଲିଥିବା ବେଳେ ପୁଲିସ ଏବେ ତାର ଗୋଟିଏ ପରେ ଗୋଟିଏ ସହଯୋଗୀଙ୍କୁ ବାନ୍ଧିବାରେ ଲାଗିଛି । ପୂର୍ବରୁ ସକିଲ୍ର ବାପା, ଭାଇ ଓ ପ୍ରେମିକାଙ୍କୁ ପୁଲିସ ଗିରଫ କରିଥିଲାବେଳେ ଆଜି ସକିଲର ଅନ୍ୟତମ ପ୍ରେମିକା ତଥା ଭାବିପତ୍ନୀ କୁହାଯାଉଥିବା ରେଶ୍ମା ଓରଫ ନସିମ୍ ଓରଫ ନିଖାତ ନସିମ୍ (୨୫)କୁ ଗିରଫ କରିଛି । ରେଶ୍ମା ଗିରଫ ହେବା ପରେ ସକିଲଙ୍କ ଏକାଧିକ ପ୍ରେମିକା ଥିବା ସ୍ପଷ୍ଟ ହୋଇଛି । ତେବେ ରେଶ୍ମାକୁ ବିବାହ କରିବା ପାଇଁ କିଛି ଦିନ ତଳେ ଉଭୟଙ୍କ ନିର୍ବନ୍ଧ ହୋଇଥିବା ଜଣାଯାଇଛି । ରେଶ୍ମାର ଘର କେଶରପୁର ଅଞ୍ଚଳରେ । ତେବେ ସକିଲ୍ର ନେଟୱର୍କରେ ଆଉ କେଉଁମାନେ ଅଛନ୍ତି ସେ ନେଇ ମଧ୍ୟ ପୁଲିସ ଖୋଳତାଡ଼ ଜୋରଦାର କରିଛି ।
ଚୌଦ୍ୱାର ଜେଲ୍ ଭିତରୁ ସକିଲ ନିଜର ଅପରାଧିକ ସାମ୍ରାଜ୍ୟ ଚଳାଇ ଆସୁଥିଲା । ସେହିକ୍ରମରେ ସେ ଗତ ଡିସେମ୍ବର ୧୪ ତାରିଖରେ ବକ୍ସିବଜାର ଆନନ୍ଦ ସ୍ପୋର୍ଟସ୍ର ମାଲିକ ଯୋଗେଶ ଅଗ୍ରୱାଲ୍ଙ୍କୁ ଫୋନ୍ କରି ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା । ଏପରିକି ଉକ୍ତ ଦୋକାନକୁ ତାର ତିନି ସହଯୋଗୀଙ୍କୁ ପଠାଇ ଧମକ ଦେଇଥିଲା । ମାତ୍ର ଶ୍ରୀ ଅଗ୍ରୱାଲ୍ ବଟି ନଦେଇ ଘଟଣା ବିଷୟରେ ଥାନାରେ ଏତଲା ଦାଏର କରିବାରୁ ପୁଲିସ ସକିଲ୍ର ବାପା, ତାର ଭାଇ ଓ ତିନି ସହଯୋଗୀଙ୍କୁ ଗିରଫ କରି ଜେଲ୍ ପଠାଇଥିଲା । ପରେ ସକିଲ ତାର ଗାର୍ଲ ଫ୍ରେଣ୍ଡ୍ ଡେଜି ଜରିଆରେ ବଟି ମାଗିଥିଲା । ଫଳରେ ଗତ ୧ ତାରିଖ ଦିନ ଡେଜିକୁ ଗିରଫ କରି ପୁଲିସ ଜେଲ୍ ପଠାଇ ଦେଇଛି । ମାତ୍ର ସକିଲ୍ର ବାପା ଓ ଭାଇ ଗିରଫ ପରେ ବି ଆନନ୍ଦ ସ୍ପୋଟର୍ସ ମାଲିକ ଯୋଗେଶ ଅଗ୍ରୱାଲ୍ଙ୍କ ସାନ ଭାଇ ସୁରଜ ଅଗ୍ରୱାଲ୍ ପାଖକୁ ଧମକ ଭରା ଫୋନ୍ ଯାଇଥିଲା । ୫ ଲକ୍ଷ ଟଙ୍କା ବଟି ଦେବାକୁ ଏହି ଫୋନ୍ ଯାଇଥିଲା । ଏହି ଫୋନ୍ କଲ୍ ପଛରେ ମାଷ୍ଟର ମାଇଣ୍ଡ୍ ଥିଲା ସକିଲ୍ର ବାନ୍ଧବୀ ତଥା ଭାବିପତ୍ନୀ ରେଶମା । ଏପରିକି ଏହି ଫୋନ୍ କରିବା ଘଟଣାରେ ରେଶ୍ମା ଆଉ କିଛି ସହଯୋଗୀଙ୍କୁ ନିୟୋଜିତ କରିଥିଲା । ଏହି ସହଯୋଗୀଙ୍କ ମଧ୍ୟରୁ ଗତ ଡିସେମ୍ବର ୩୧ ତାରିଖରେ କନିକା ଛକର ରାଜନ ପରିଡ଼ା ଗିରଫ ହୋଇ ଜେଲ୍ ଯାଇଛି । ମାତ୍ର ରେଶମା ଫେରାର୍ ଥିବାରୁ ପୁଲିସ ତାକୁ ଧରିପାରି ନଥିଲା । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇ ସ୍ପେସାଲ୍ ସ୍କ୍ୱାଡ୍ ଚଢ଼ଉ କରି ରେଶମାକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି । କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ରେଶମାକୁ ଚୌଦ୍ୱାର ଜେଲ୍ ପଠାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏପିପି ବିଶ୍ୱଜିତ୍ ବରାଳ ଏହି ମାମଲା ପରିଚାଳନ କରିଥିଲେ । ପୁଲିସର ସୂଚନା ଅନୁସାରେ, ଏହି ଦାଦାବଟି ଘଟଣାରେ ସକିଲ୍ର ଆଉ କିଛି ସହଯୋଗୀ ଖୁବ୍ଶୀଘ୍ର ଗିରଫ ହେବେ । ଏଥିପାଇଁ ସ୍ପେସାଲ୍ ସ୍କ୍ୱାଡ୍ର ଏକାଧିକ ଟିମ୍ କଟକ ଓ ଏହାର ଆଖପାଖରେ ଚଢ଼ଉ କରୁଛି । ଏପରିକି ଦରଘାବଜାର ଥାନା ପୁଲିସ ପକ୍ଷରୁ ମଧ୍ୟ ଦୁଇଟି ଟିମ୍ ଗଠନ କରାଯାଇଛି । ଏହି ତଦନ୍ତକୁ ନିଜେ ଡିସିପି ଅଖିଳେଶ୍ୱର ସିଂହ ଅନୁଧ୍ୟାନ କରୁଛନ୍ତି ।


Comments are closed, but trackbacks and pingbacks are open.