
କୋରାପୁଟ,(ସତ୍ୟ ନାରାୟଣ ସହୁଙ୍କ ସହ ବାସୁଦେବ ଜେନାଙ୍କ ରିପୋର୍ଟ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟରେ ମାଓହିଂସା କମିବାର ନା ଧରୁନି । ସୀମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି । ଘରୁ ଉଠାଇ ନେଇ ଜଣେ ଡିଆର୍ଜି ଯବାନଙ୍କୁ ଗଳାକାଟି ନିର୍ମମ ଭାବେ ହତ୍ୟା କରିଛନ୍ତି । ମୃତ ଯବାନ ସୁକୁମା ଜିଲ୍ଲା ଦର୍ନାପାଲ ଥାନାର ଡିଆର୍ଜି ଯବାନ ବେଟି ଭୀମା ।
ସେ ତାଙ୍କ ଗାଁ ପେଟା ଗ୍ରାମକୁ ଯାଇଥିଲେ । ଏହି ଖବରପାଇ ମଙ୍ଗଳବାର ରାତିରେ ପ୍ରାୟ ୧୫ରୁ ୨୦ ମାଓବାଦୀ ସେହି ଗ୍ରାମରେ ପହଞ୍ଚି ଭୀମାଙ୍କୁ ବନ୍ଧୁକ ଦେଖାଇ ଘରୁ ଜଙ୍ଗଲକୁ ଉଠାଇ ନେଇଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କଲା ପରେ ମଧ୍ୟ ତାଙ୍କୁ ପାଇ ନ ଥିଲେ । ଆଜି ସକାଳେ ପେଟା ଗ୍ରାମ ଜଙ୍ଗଲ ମୁଣ୍ଡରେ ଭୀମାଙ୍କ ମୃତ ଶରୀର ପଡ଼ିଥିବାର କେତେକ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ସଙ୍ଗେସଙ୍ଗେ ତାଙ୍କ ପରିବାରକୁ ଜଣାଇଥିଲେ । ମୃତଶରୀର ନିକଟରେ ମାଓବାଦୀମାନେ ଏକ ହାତଲେଖା ପୋଷ୍ଟର ଛାଡ଼ି ଦେଇ ଯାଇଥିଲେ । ସେଥିରେ ଉଲ୍ଲେଖ ରହିଛି ଯେ, ଭୀମା ପୁଲିସରେ କାମ କଲା ପରଠାରୁ ସେ ମାଓ ସଂଗଠନକୁ ଦମନ କରିବା ଆରମ୍ଭ କରିଥିଲା । ଏଣୁ ତାଙ୍କୁ ପ୍ରଜାକୋର୍ଟରେ ମୃତୁ୍ୟଦଣ୍ଡ ଦିଆଯାଇଛି । ପରିବାର ଲୋକେ ସେଠାକୁ ଯାଇ ଭୀମାଙ୍କ ମୃତ ଶରୀର ନିଜ ଘରକୁ ନେଉଥିବା ବେଳେ ଦର୍ନାପାଲ ଥାନା ପୁଲିସ ସେଠାରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ତଦନ୍ତ ଆରମ୍ଭ କରିଛି । ମାଓବାଦୀମାନେ ପ୍ରଥମେ ଭୀମାଙ୍କୁ ପଥରରେ ଛେଚି ନିର୍ଯାତନା ଦେବା ପରେ ତାଙ୍କ ଗଳାକାଟି ହତ୍ୟା କରିଥିବା ଜଣାପଡ଼ିଛି ।
Comments are closed, but trackbacks and pingbacks are open.