ବାରିପଦା,(ବି.ବି.ନୁ୍ୟଜ୍): ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜିଉ ବିଜେ ମହାପ୍ରଭୁ ଭକ୍ତ ମାନଙ୍କ ପାଇଁ ଖୁସି ଖବର । ଏଣିକି ଘରେ ବସି ଭକ୍ତମାନେ ଅନଲାଇନ୍ରେ ମହାପ୍ରଭୁଙ୍କ ଠାରେ ଲାଗି ହୋଇଥିବା ପ୍ରସାଦ ଓ ଭୋଗ ପାଇ ପାରିବେ । ଦେବୋତ୍ତର ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାରୁ ଭକ୍ତମାନେ ବେଶ ଆନନ୍ଦିତ ହୋଇଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ‘ଶ୍ରୀ ଶ୍ରୀ ହରିବଳଦେବ ଡଟ୍ ଇନ୍’ ନାମରେ ଏକ ୱେବ୍ ସାଇଟ୍କୁ ଲଞ୍ଚ କରିଛନ୍ତି । ଏହି ୱେବ ସାଇଟ୍ ମାଧ୍ୟମରେ ଭକ୍ତମାନେ ଏହାର ଭରପୁର ଲାଭ ଉଠାଇ ପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସୂଚନା ମୁତାବକ ଏହି ୱେବସାଇଟ୍ ଜରିଆରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବ ଜିଉ ବିଜେ ମହାପ୍ରଭୁଙ୍କର ଇତିବୃତ ସମେତ ସମସ୍ତ ନୀତିକାନ୍ତି ଓ ପର୍ବପର୍ବାଣୀ ବାବଦରେ ସବୁ କିଛି ଘରେ ବସି ଜାଣି ହେବ । ଶ୍ରୀ ଶ୍ରୀ ହରିବଳଦେବ ଜିଉ ବିଜେ ମହାପ୍ରଭୁଙ୍କ ମନ୍ଦିର(ବଡ ଜଗନ୍ନାଥ ମନ୍ଦିର) ସମେତ ବାରିପଦାରେ ଥିବା ୧୦ଟି ମନ୍ଦିର ଓ ୧୦ଟିମଠର ସବିଶେଷ ବିବରଣୀ ମଧ୍ୟ ଏହି ୱେବ ସାଇଟ୍ରେ ଉପଲବ୍ଧ ହେବ । ଏହି ୱେବସାଇଟ୍ ମାଧ୍ୟମରେ ୫୦୦ ଟଙ୍କା ଅନ୍ ଲାଇନ୍ ଡିପୋଜିଟ୍ କରି ଯେକୌଣସି ଭକ୍ତ ମହାପ୍ରଭୁଙ୍କ ନିକଟରେ ଭୋଗ ଲାଗି କରିପାରିବ । ମହାପ୍ରଭୁଙ୍କ ଠାରେ ଏହି ଭୋଗ ଲାଗି ହେବା ପରେ ପାର୍ସଲ ଯୋଗେ ଭକ୍ତଙ୍କ ଘରେ ଏହି ଭୋଗ ପହଞ୍ଚାଇବାର ବ୍ୟବସ୍ଥା ରହିଛି । ଏହା ବ୍ୟତୀତ ଏହି ୱେବସାଇଟ୍ ମାଧ୍ୟମରେ ଯେ କୌଣସି ଭକ୍ତ ନିଜର ଦାନ ରାଶି ମହାପ୍ରଭୁଙ୍କୁ ଅନଲାଇନ୍ ମାଧ୍ୟମରେ ପୈଠ କରିବାର ବ୍ୟବସ୍ଥା ରହିଛି । ମହାପ୍ରଭୁଙ୍କୁ ଦାନ ଦେଉଥିବା ବ୍ୟକ୍ତି ଆୟକର ଛାଡ ପାଇବାର ବ୍ୟବସ୍ଥା ମଧ୍ୟ ରହିଛି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ଶ୍ରୀଶ୍ରୀ ହରିବଳଦେବ ଜିଉ ବିଜେ ମହାପ୍ରଭୁଙ୍କର ସେବାୟତମାନଙ୍କୁ ୨୦୧୯-୨୦୨୦ବର୍ଷ ନିମନ୍ତେ ବୀମା ଭୁକ୍ତ କରାଯାଇଥିବା ନେଇ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରିଛନ୍ତି । ସୂଚନା ମୁତାବକ ୫୦ବର୍ଷରୁ କମ ବୟସର ସେବାୟତ ମାନଙ୍କ ପାଇଁ ୪ଲକ୍ଷଟଙ୍କାର ବୀମା ରାଶି ଧାର୍ଯ୍ୟ କରାଯାଇଥିବା ବେଳେ ୫୦ରୁ ୭୦ବର୍ଷ ଭିତରେ ଥିବା ସେବାୟତଙ୍କ ପାଇଁ ୩ଲକ୍ଷ ଏବଂ ୭୦ବର୍ଷରୁ ଅଧିକ ବୟସର ସେବାୟତଙ୍କ ଲାଗି ୨ଲକ୍ଷ ଟଙ୍କାର ବୀମାରାଶି ଧାର୍ଯ୍ୟ କରାଯାଇଛି । ଏହି ଧାର୍ଯ୍ୟ ବୀମାରାଶି ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ସେବାୟତଙ୍କୁ ତିନିବର୍ଷ ଲାଗି ପ୍ରିମିୟମ ଦେଇ ବୀମାଭୁକ୍ତ କରାଯିବ ବୋଲି ଉଲ୍ଲେଖ କରାଯାଇଛି । ଏହି ୱେବ ସାଇଟ୍ ଲଞ୍ଚ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସ୍ୱଧାଦେବ ସିଂ, ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ବିଶ୍ୱରଞ୍ଜନ ମହାନ୍ତି ଓ ଦେବୋତ୍ତର ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ । ଶ୍ରୀ ଶ୍ରୀ ହରିବଳଦେବ ଜିଉ ବିଜେମହାପ୍ରଭୁଙ୍କ ମନ୍ଦିରର ସେବାୟତମାନଙ୍କ ମଧ୍ୟରେ ମୁଖ୍ୟପୂଜକ ଅରୁଣ ମିଶ୍ର, କାମେଶ୍ୱର ତ୍ରିପାଠୀ, ରାଧାଶ୍ୟାମ ମହାପାତ୍ର, ଦେବକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.