ଘରୋଇ କଳହର କରୁଣ ପରିଣତି :ଏକାଠି ବିଷ ପିଇଲେ ବୃଦ୍ଧ ଦମ୍ପତି

Get real time updates directly on you device, subscribe now.

ନୂଆପଡ଼ା,(ବି.ବି.ନୁ୍ୟଜ୍): ଘରୋଇ କଳହର ପୁଣି ଏକ କରୁଣ ପରିଣତି ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବେଲଟୁକୁରି ଥାନା ଭୋଥା ଗାଁରେ । ସାମାନ୍ୟ କଳିକଜିଆକୁ କେନ୍ଦ୍ରକରି ମୃତୁ୍ୟର ପଥ ବାଛି ନେଇଛନ୍ତି ବୃଦ୍ଧ ଦମ୍ପତି । ଜୀବନ ହାରିବା ପାଇଁ ସ୍ୱାମୀ ଓ ସ୍ତ୍ରୀ ଏକ ସଙ୍ଗେ ବିଷ ପାନ କରିଥିବା ଅଭିଯୋଗ ହୋଇଛି । ଏଥିରେ ମହିଳାଙ୍କ ଜୀବନ ଚାଲି ଯାଇଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଅବସ୍ଥାରେ ଏସ୍ଏନ୍ସିୟୁରେ ଜୀବନ ଓ ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି । ମୃତ ମହିଳା ଜଣକ ହେଲେ ଭୋଥା ଗାଁର ବୁଗୁଲି ପାଣ୍ଡେ(୬୦) ଓ ଗୁରୁତର ସ୍ୱାମୀ ଜଣକ ହେଲେ ବୁଧୁରାମ ପାଣ୍ଡେ(୬୨) । ଏନେଇ ବେଲଟୁକୁରି ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ମହିଳାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ବେଲଟୁକୁରି ଥାନା ଭୋଥା ଗାଁର ସ୍ୱାମୀ ବୁଧୁରାମ, ସ୍ତ୍ରୀ ବୁଗୁଲି, ପୁଅ ଲଛମନ (୨୫) ଓ ପୁତ୍ରବଧୁଙ୍କ ସହ ରହୁଥିଲେ । ପୁଅ ଲଛମନ ସଦର ଥାନା ମହୁଲଭଟା ଗାଁରେ ମିସ୍ତ୍ରୀ ଭାବେ କାମ କରି କିଛି ଦିନ ହେଲା ସେଠାରେ ରହୁଥିଲେ । ପୁତ୍ରବଧୁ ଦଶହରା ପାଇଁ ନିଜ ମା ଘରକୁ ଯାଇଥିଲେ । ଘରେ ଏକୁଟିଆ ଥିଲେ ବୁଧୁରାମ ଓ ବୁଗୁଲି । ଗତକାଲି ରାତିରେ ଉଭୟେ ସ୍ୱାମୀ ସ୍ତ୍ରୀ ଖାଇ ପିଇ ଶୋଇବା ସମୟରେ ପାଟି ତୁଣ୍ଡ ଆରମ୍ଭ ହୋଇଥିଲା । ଧିରେ ଧିରେ ଉଭୟଙ୍କ ଝଗଡ଼ା ଭୟଙ୍କର ରୂପ ନେଇଥିଲା । ବିଳମ୍ବିତ ରାତିରେ ଉଭୟେ ଘରୋଇ କୀଟନାଷକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସକାଳୁ ଉଭୟେ କବାଟ ନ ଖୋଲିବାରୁ ପଡେ଼ାାୀମାନେ ତାଙ୍କୁ ଡାକିଥିଲେ । ହେଲେ କେହି ଶୁଣି ନଥିଲେ । ଶେଷରେ ଗାଁ ଲୋକେ କବାଟ ଭାଙ୍ଗି ଭିତରକୁ ପଶିବାରୁ ଉଭୟ ବିଷ ପିଇ ଗୁରୁତର ଅବସ୍ଥାରେ ଘରେ ପଡି ରହିଥିଲେ । ତୁରନ୍ତ ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ । ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ଞ୍ଚି କରାଯାଇଥିଲା । ସେଠାରେ ବୁଗୁଲିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ବୁଧୁରାମଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ଞ୍ଚି କରିଥିଲେ । ମଧ୍ୟାହ୍ନରେ ବୁଧୁରାମଙ୍କ ସ୍ୱାସ୍ଥାବସ୍ଥା ସଙ୍କଟ୍ଟାପନ୍ନ ହେବାରୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏବେ ବି ବୁଧୁରାମଙ୍କ ଅବସ୍ଥା ସଙ୍କଟ୍ଟାପନ୍ନ ରହିଥିବା ଡାକ୍ତର ସୂଚନା ଦେଇଛନ୍ତି । ଅପରାହ୍ନରେ ବୁଗୁଲିଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ପୁଲିସ ହସ୍ତାନ୍ତର କରାଯାଇଛି । ଏନେଇ ବେଲଟୁକୁରୀ ଥାନାରେ ଏକ ଅପମୃତୁ୍ୟ ମାମାଲ ରୁଜୁ କରି ତଦନ୍ତ ଚାଲିଥିବା ଆଇଆଇସି ଶୁଭଙ୍କର ସେଠ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons