
ବାଲେଶ୍ୱର,(ବି.ବି.ନୁ୍ୟଜ): ପାରିବାରିକ କଳହ କାଳ ହେଲା । ଜଣେ ନିÂୁର ପୁଅ ଅତି ନିର୍ମମ ଭାବେ ପିଟି ପିଟି ନିଜ ଜନ୍ମକଲା ବାପାଙ୍କୁ ଜୀବନରୁ ମାରି ଦେଲା । ମୃତ ବାପା ହେଉଛନ୍ତି ଭରତ ଦାସ (୫୬) । ଏଭଳି ଅମାନୁଷିକ କାଣ୍ଡ ମଙ୍ଗଳବାର ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଧୀନ ବାଲିଆ ଗ୍ରାମରେ ଘଟିଛି । ତେବେ ପିତୃହନ୍ତା ପୁଅ ଦେବଜ୍ୟୋତି ଦାସ(୨୭)କୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି । ତେବେ ଏଭଳି ଘଟଣା ବାଲେଶ୍ୱର ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ଖବରରୁ ପ୍ରକାଶ, ଗୋଟିଏ ଘରୋଇ କମ୍ପାନିରେ କାମ କରୁଥିବା ଦେବଜ୍ୟୋତି ଦେଢ଼ବର୍ଷ ପୂର୍ବେ ସ୍ଥାନୀୟ ସମଲପୁର ଗ୍ରାମରୁ ବିବାହ କରିଥିଲା । ଅଧିକାଂଶ ବେଳେ ଦେବଜ୍ୟୋତି ବଦଖର୍ଚ୍ଚ କରି ପାଣି ପରି ଟଙ୍କା ଉଡ଼ାଉଥିଲା । ଏହାକୁ ପତ୍ନୀ ବିରୋଧ କରୁଥିଲେ । ଏହାକୁ ନେଇ ଅଧିକାଂଶ ବେଳେ ଦମ୍ପତିଙ୍କ ମଧ୍ୟରେ ପାଟିତୁଣ୍ଡ ହୁଏ । ଅନ୍ୟପଟେ ସେମାନଙ୍କର କୌଣସି ସନ୍ତାନସନ୍ତତି ହେଉ ନଥିଲା । ଏନେଇ ମଙ୍ଗଳବାର ସନ୍ଧ୍ୟାରେ ଡାକ୍ତର ଦେଖାଇବାକୁ ଉଭୟେ ବାହାରିଥିଲେ । ମାତ୍ର କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏତିକିବେଳେ ବାପା ଭରତ ଘରକୁ ଆସି ପାଟିତୁଣ୍ଡ ଶୁଣିଥିଲେ । ପୁଅକୁ ଆକଟ କରିବାକୁ ସେ ଚେଷ୍ଟା କରିଥିଲେ । ମାତ୍ର ଦେବଜ୍ୟୋତି ଏଥିରେ ଉତ୍ତେଜିତ ହୋଇ ଭରତଙ୍କୁ ମନ ଇଚ୍ଛା ବିଧା, ଗୋଇଠା ମାରି ଚାଲିଥିଲା । ଏଥିରେ ତାଙ୍କର ମୁଣ୍ଡ ଫାଟି ଯାଇଥିଲା । ଏହାଦେଖି ମାଆ ଅନୀତା ଅଟକାଇଥିଲେ । ତେବେ ଉତ୍ତ୍ୟକ୍ତ ପୁଅ ସମ୍ମୁଖରୁ ମା’ ମଧ୍ୟ ବର୍ତ୍ତି ନଥିଲେ । ତାଙ୍କୁ ମାଡ଼ ମାରି ଦେବଜ୍ୟୋତି ଗୁରୁତର କରି ପକାଇଥିଲା । ରକ୍ତମୁଖା ପୁଅ କବଳରୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଉଭୟଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ବାପା ଭରତଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଗୁରୁତର ଅବସ୍ଥାରେ ଅନୀତା ଚିକିତ୍ସାଧୀନ ଅଛନ୍ତି ।
ଖବରପାଇ ସହଦେବଖୁଣ୍ଟା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦେବଜ୍ୟୋତିକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଜାଣିବାକୁ ପୁଲିସ ତନାଘନା ଆରମ୍ଭ କରିଛି । ଖବର ଲେଖା ହେବା ବେଳକୁ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିଲା ।


Comments are closed, but trackbacks and pingbacks are open.