
ଆସିକା,(ବି.ବି.ନୁ୍ୟଜ): ବନ୍ଦ କୋଠରୀ ଭିତରୁ ସକାଳୁ ଶୁଣିବାକୁ ମିଳିଲା ଶିଶୁର ଅବିଶ୍ରାନ୍ତ କାନ୍ଦ । ସାହି ପଡେ଼ାଶୀ କବାଟ ବାଡେ଼ଇ ଡାକିଲେ ବି କେହି ଶୁଣିଲେ ନାହିଁ । କବାଟ ଭାଙ୍ଗିବା ପରେ ଘର ଭିତରେ ଦେଖିବାକୁ ମିଳିଥିଲା ଏକ ହୃଦୟ ବିଦାରକ ଦୃଶ୍ୟ । ମା’ର ମୃତୁ୍ୟ ହୋଇଯାଇଥିବାବେଳେ କୋଳରେ ଥିବା ୨ ମାସର ଶିଶୁ କାନ୍ଦି କାନ୍ଦି ଅଣାୟତ୍ତ ଅବସ୍ଥାରେ । ଘଟଣା ଘଟିଛି ଆସିକା କଲେଜ ଛକ ନିକଟ ଗୋଲାପଲ୍ଲୀରେ । ମୃତକ ସଞ୍ଜୟ ସାହୁଙ୍କ ପତ୍ନୀ ଝିଲ୍ଲୀ ସେଠୀ(୩୦) । ଦେଖିବା ପରେ ବି କରୋନା ଭୟରେ ସାହି ପଡେ଼ାଶୀ ଘର ଭିତରକୁ ଯାଇ ନ ଥିଲେ । ତେବେ ଥାନା ଅଧିକାରୀ ପ୍ରଶାନ୍ତ ସାହୁ ଶିଶୁକୁ ଉଦ୍ଧାର କରିଛନ୍ତି ।
ଆଇଆଇସିଙ୍କ ସୂଚନା ଅନୁଯାୟୀ, ଆସିକା ବ୍ଲକ୍ ମାମୁଢିଅ ଗାଁର ସଞ୍ଜୟ ସାହୁ କିଛି ବର୍ଷ ପୂର୍ବେ ଧରାକୋଟ ବ୍ଲକ୍ ପାଣିବନ୍ଧ ଗାଁର ଝିଲ୍ଲୀଙ୍କୁ ବିବାହ କରିଥିଲେ । ବିବାହ ପରେ ଉଭୟ ଗୋଲାପଲ୍ଲୀର ଅଭିମନୁ୍ୟ ପାଳଙ୍କ ଘରେ ଭଡ଼ାରେ ରହୁଥିଲେ । ଝିଲ୍ଲୀ ୨ ମାସର ଶିଶୁକୁ ଧରି ଗୋଲାପଲ୍ଲୀରେ ରହୁଥିବାବେଳେ ସଞ୍ଜୟ ସୁରଟରେ କାମ କରନ୍ତି । ଝିଲ୍ଲୀଙ୍କ ମୃତୁ୍ୟର କାରଣ ଜଣାଯାଇନି । ସକାଳେ ଶିଶୁଟି ଘଣ୍ଟା ଘଣ୍ଟା ଧରି ରାହା ଧରି କାନ୍ଦୁଥିବାରୁ ସାହି ପଡେ଼ାଶୀଙ୍କ ସନେ୍ଦହ ହୋଇଥିଲା । ଥାନାରେ ଖବର ଦେବା ପରେ ଆଇଆଇସିଙ୍କ ସମେତ ଅନ୍ୟମାନେ ପହଞ୍ଚିଥିଲେ । କରୋନା ସନେ୍ଦହରେ ଘର ଭିତରକୁ କୌଣସି ସାହି ପଡେ଼ାଶୀ ପଶି ନ ଥିଲେ । ଆଇଆଇସି ୨ମାସର ଶିଶୁକୁ ଉଦ୍ଧାର କରିଛନ୍ତି । କେତେବେଳେ, କାହିଁକି, କିପରି ମୃତୁ୍ୟ ହୋଇଛି ଏପରି ଅନେକ ପ୍ରଶ୍ନର ଉତ୍ତର ମିଳିପାରି ନାହିଁ । ବରଗାଁ ସରପଞ୍ଚ ପ୍ରତିନିଧି ତଥା ସମିତିସଭ୍ୟ ଶିବ ନାହାକ ସ୍ୱେଚ୍ଛାସେବୀଙ୍କୁ ନେଇ ପିପିଇ କିଟ୍ ପିନ୍ଧି ଶବ ଉଦ୍ଧାର କର୍ଯ୍ୟରେ ସହଯୋଗ କରିଥିଲେ । ମୃତକଙ୍କ ସମ୍ପର୍କୀୟଙ୍କୁ ଖବର ଦିଆଯାଇଥିଲେ ମଧ୍ୟ କେହି ପହଞ୍ଚି ନ ଥିଲେ । ଝିଲ୍ଲୀଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି । ବିଡିଓ ରୋଶନ ଶତପଥୀ ଓ ସିଡିପିଓ ଭାରତୀ ମହାପାତ୍ର ଏବଂ ତାଙ୍କ ଟିମ୍ ସୁପରଭାଇଜର, ଅଙ୍ଗନବାଡ଼ି କର୍ମୀ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପଠାଇ ଦେଇଛନ୍ତି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଶିଶୁକୁ ବ୍ରହ୍ମପୁର ବାଳାଶ୍ରମକୁ ପଠାଇ ଦିଆଯାଇଥିବା ସିଡିପିଓ ସୂଚନା ଦେଇଛନ୍ତି । ଆସିକା ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ କରୁଛି ।


Comments are closed, but trackbacks and pingbacks are open.