ଘାଟିରୁ ବସ୍ ଖସି ୩୫ ମୃତ

Get real time updates directly on you device, subscribe now.

କିସ୍ତୱାଡ଼: ଜମ୍ମୁ-କାଶ୍ମୀରର କିସ୍ତୱାଡ ଜିଲ୍ଲା କିଶୱାନ ନିକଟ ଘାଟି ରାସ୍ତା ଅତିକ୍ରମ କରୁଥିବା ବେଳେ ଆଜି ସକାଳେ ଏକ ମିନିବସ୍ ଭାରସାମ୍ୟ ହରାଇ ଗଭୀର ଖାତକୁ ଖସିିପଡ଼ିଛି । ଏଥିରେ ଡ୍ରାଇଭର ସମେତ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଉଦ୍ଧାରକାରୀ ଦଳ ଏବଂ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଆହତ ଲୋକମାନଙ୍କୁ ଦୁର୍ଘଟଣାଗ୍ରସ୍ତ ବସ୍ରୁ ଉଦ୍ଧାର କରାଯାଇ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିସ୍ତୱାଡ ଏସ୍ଏସ୍ପି ଶକ୍ତି ପାଠକ କହିଛନ୍ତି ଯେ ବସ୍ଟି କିଶୱାନରୁ ଯାତ୍ରୀଙ୍କୁ ଧରି କିସ୍ତୱାଡା ଯାଉଥିଲା ବେଳେ ସକାଳ ୭ଟା ୩୦ରେ ଏହି ଦୁର୍ଘଟଣା ଘଟିଛି । ବସର ଯାତ୍ରୀ ପରିବହନ କ୍ଷମତା ୨୮ ଥିଲା ବେଳେ ଏଥିରେ ୫୨ରୁ ଊଦ୍ଧ୍ୱର୍ ଯାତ୍ରୀ ଥିଲେ । କ୍ଷମତାଠାରୁ ଅଧିକ ଲୋକଙ୍କୁ ନେଇଯାଉଥିବାରୁ ଏହା ଭାରସାମ୍ୟ ହରାଇ ରାସ୍ତାତଳ ଖାତକୁ ଖସିପଡ଼ିଛି । ଘଟଣାସ୍ଥଳରେ ୨୦ ଜଣ ଯାତ୍ରୀ ପ୍ରାଣ ହରାଇଥିଲା ବେଳେ ହସ୍ପିଟାଲରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି । ଗୁରୁତର ଆହତଙ୍କୁ ହେଲିକପ୍ଟର ସହାୟତାରେ ଜମ୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ପ୍ରମୁଖ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ରାଜ୍ୟପାଳ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାର ପାଇଁ ୫ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ଏଥିସହ ଆହତଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇଦେବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons