ଚନ୍ଦ୍ରକୁ ଦ୍ୱିତୀୟ ଯାତ୍ରା

Get real time updates directly on you device, subscribe now.

ଶ୍ରୀହରିକୋଟା: ଭାରତର ସ୍ୱର୍ଣ୍ଣିମ ଇତିହାସରେ ଆଜି ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । ଚନ୍ଦ୍ରକୁ ଦ୍ୱିତୀୟ ଯାତ୍ରା ଭାବେ ଭାରତ ଏହାର ଚନ୍ଦ୍ରୟାନ-୨ ପଠାଇ ବିଶ୍ୱବାସୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଅନେକ ସ୍ୱପ୍ନ ନେଇ ଧାବମାନ ହୋଇଛି ଚନ୍ଦ୍ରୟାନ-୨ । ସକାଳେ ପାଠକେ ଖବର ପଢ଼ିଲା ବେଳକୁ ସମ୍ଭବତଃ ଚନ୍ଦ୍ର ଅଭିମୁଖେ ଚନ୍ଦ୍ରୟାନ-୨ ଅନେକ ବାଟ ଅତିକ୍ରମ କରିସାରିଥିବ!
୧୪ ଜୁଲାଇ ରାତି ୨ଟା ୫୧ରୁ ଚନ୍ଦ୍ରୟାନ-୨ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଛି । ଯାତ୍ରା ଆରମ୍ଭ ହେବାର ଠିକ୍ ୫୨ ଦିନ ପରେ ଏହା ଚନ୍ଦ୍ରପୃଷ୍ଠରେ ପାଦ ଥାପିବ । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଏହି ମହତ୍ତ୍ୱାକାଂକ୍ଷୀ ମିଶନ୍ ପାଇଁ ଆଜି ଦେଶବାସୀ ବେଶ୍ ଉତ୍ସାହିତ ଅଛନ୍ତି । ଭାରତର ସବୁଠୁ ଶକ୍ତିଶାଳୀ ଉତ୍ପ୍ରେକ୍ଷକ (ରକେଟ୍ ଲଞ୍ଚର୍) ଜିଏସ୍ଏଲ୍ଭି ଏମ୍କେ-୩ (ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ୍ ଭେଇକିଲ୍ ମାର୍କ-୩) ବା ‘ବାହୁବଳୀ’ ଦ୍ୱାରା ଏହାକୁ ଉତ୍କ୍ଷେପଣ କରାଯାଇଛି ।
ଉତ୍କ୍ଷେପଣ ପରେ ଚନ୍ଦ୍ରୟାନ-୨ ପୃଥିବୀର କକ୍ଷପଥରେ ପହଞ୍ଚିବ । ୧୬ ଦିନ ପର୍ଯ୍ୟନ୍ତ ଏହା ପୃଥିବୀର ପରିକ୍ରମା କରିବା ପରେ ଚନ୍ଦ୍ର ଅଭିମୁଖେ ବାହାରିବ । ଏହି ସମୟରେ ଚନ୍ଦ୍ରୟାନ-୨ର ସର୍ବାଧିକ ଗତି ସେକେଣ୍ଡ ପିଛା ୧୦ କିଲୋମିଟର ହେବ । ସର୍ବନିମ୍ନ ଗତି ସେକେଣ୍ଡ ପିଛା ୩ କିଲୋମିଟର ହେବ ବୋଲି ଜଣାପଡ଼ିଛି ।
ଇସ୍ରୋର ଜଣେ ବରିଷ୍ଠ ଅଧିକାରୀ ଏ ବାବଦରେ ସୂଚନା ଦେଇ କହିଛନ୍ତି, ୧୬ ଦିନ ପରେ ଚନ୍ଦ୍ରୟାନ-୨ ପୃଥିବୀର କକ୍ଷପଥରୁ ବାହାରିବ । ଠିକ୍ ଏହି ସମୟରେ ଏହାକୁ ଉତ୍କ୍ଷେପଣ କରାଇଥିବା ବାହୁବଳୀ ‘ଜିଏସ୍ଏଲ୍ଭି ଏମ୍କେ-୩’ ପୃଥକ୍ ହୋଇଯିବ । ଏହାର ୫ ଦିନ ପରେ ଚନ୍ଦ୍ରୟାନ-୨ ଚନ୍ଦ୍ରର କକ୍ଷପଥରେ ପହଞ୍ଚିବ । ଏହି ସମୟରେ ଏହାର ସର୍ବାଧିକ ଗତି ସେକେଣ୍ଡ ପିଛା ୧୦ କିଲୋମିଟର ହେବ । ଚନ୍ଦ୍ରର କକ୍ଷପଥରେ ପହଞ୍ଚିବା ପରେ ଏହା ଚନ୍ଦ୍ରର ଚାରିପଟେ ଚକ୍କର କାଟିବ ଏବଂ ଚନ୍ଦ୍ରପୃଷ୍ଠ ଆଡ଼କୁ ଅଗ୍ରସର ହେବ । ଚନ୍ଦ୍ରର କକ୍ଷପଥରେ ୨୭ ଦିନ ଧରି ଘୂରିବା ପରେ ଏହା ପୃଷ୍ଠଭୂମି ନିକଟତର ହେବ । ଏହି ସମୟରେ ଏହାର ସର୍ବାଧିକ ଗତି ସେକେଣ୍ଡ ପିଛା ୧୦ କିଲୋମିଟର ହେବ ।
ଆମେରିକା, ଚୀନ୍, ଜାପାନ, ରୁଷ ଭଳି ବିକଶିତ ରାଷ୍ଟ୍ର ସାଧାରଣତଃ ଏଭଳି ବ୍ୟୟବହୁଳ ମିଶନରେ ମନୋନିବେଶ କରି ବିଶ୍ୱ ହିତ ପାଇଁ ଅନେକ ଗବେଷଣା କରିଥାନ୍ତି । କିନ୍ତୁ ବିକାଶଶୀଳ ରାଷ୍ଟ୍ର ହୋଇଥିଲେ ହେଁ ଭାରତ ଏ କ୍ଷେତ୍ରରେ ଆଉ ପଛରେ ନାହିଁ । ବିକଶିତ ଦେଶ ସହ କାନ୍ଧରେ କାନ୍ଧ ମିଳାଇ ଭାରତ ମଧ୍ୟ ମୁନ୍ ମିଶନ୍ରେ ବାହାରି ପଡ଼ିଛି । କୌଣସିଥିରେ ଏହା କମ୍ ନୁହେଁ ବୋଲି ଆଜି ତାହା ପ୍ରମାଣ କରିଦେଇଛି ଭାରତ ।
ଭାରତ ଅନେକ ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ନେଇ ଏହି ସଦ୍ୟ ମୁନ୍ ମିଶନ୍ ଆରମ୍ଭ କରିଛି । ଚନ୍ଦ୍ରପୃଷ୍ଠରେ ଜୀବସତ୍ତା ତିଷ୍ଠି ରହିପାରିବ କି ନାହିଁ, ସେଠାରେ ପାଣି ଅଛି କି ନାହିଁ, ତାହା ଯାଞ୍ଚ କରିବ । ଚନ୍ଦ୍ରକୁ ଏହି ଦ୍ୱିତୀୟ ଯାତ୍ରାରେ ଭାରତ ଆହୁରି ଏକ ବଡ଼ ଲକ୍ଷ୍ୟ ରଖିଛି । ତାହା ହେଉଛି ଶକ୍ତିର ଅଭାବ ପୂରଣ କରିବା । ଭାରତର ଏହି ମିଶନ ଯଦି ସଫଳ ହୁଏ, ତେବେ ଆଗାମୀ ୫୦୦ ବର୍ଷ ପାଇଁ ବିଶ୍ୱରେ ଶକ୍ତିର ଅଭାବ ପରିଲକ୍ଷିତ ହେବନାହିଁ ।
ଆମେରିକା, ରୁଷ ଓ ଚୀନ୍ ଭଳି ବୃହତ୍ ରାଷ୍ଟ୍ର ଚନ୍ଦ୍ରପୃଷ୍ଠକୁ ଅନେକ ଥର ମିଶନ ପଠାଇଛନ୍ତି । ଏଥିରେ ଛୋଟବଡ଼ କିଛି ସଫଳତା ମିଳିଛି । କିନ୍ତୁ ଇସ୍ରୋର ଏହି ମିଶନ ସ୍ୱତନ୍ତ୍ର ଲକ୍ଷ୍ୟ ନେଇ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିଥିବାରୁ ବିଶ୍ୱର ନଜର ଏହା ଉପରେ ରହିଛି । ଆମେରିକା ମଧ୍ୟ ଭାରତର ଏହି ମିଶନକୁ ନେଇ ଅନେକ ଆଶାବାଦୀ ରହିଥିବା ବେଳେ ଏଥିପାଇଁ ଇସ୍ରୋକୁ ଭୂୟସୀ ପ୍ରଶଂସା କରିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ପ୍ରଥମ ରାଷ୍ଟ୍ର ଭାବେ ଭାରତ ଚନ୍ଦ୍ରର ସାଉଥ୍ ପୋଲ୍ରେ ଏହାର ଯାନକୁ ଭୂମିଷ୍ଠ କରାଇବ । ୨୦୦୮ ଅକ୍ଟୋବର ୨୨ରେ ଭାରତ ଚନ୍ଦ୍ରକୁ ଏହାର ଚନ୍ଦ୍ରୟାନ-୧ ପଠାଇଥିଲା । ୧୦ ବର୍ଷ ପରେ ଭାରତ ଏହାର ଦ୍ୱିତୀୟ ମିଶନ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons