ରାୟଗଡ଼ା,(ବି.ବି.ନ୍ୟୁଜ୍): ବାଘୁଣୀ “ସୁନ୍ଦରୀ’କୁ ରାୟଗଡ଼ା ଜିଲ୍ଲାର କୌଣସି ଏକ ଜଙ୍ଗଲରେ ଛାଡ଼ିବାର ଯୋଜନା କରିଛି ବନ ବିଭାଗ । ଚନ୍ଦ୍ରପୁର ବ୍ଲକର ଯେକୌଣସି ସଂରକ୍ଷିତ ଜଙ୍ଗଲରେ ଛାଡ଼ିବା ଲାଗି ଆଲୋଚନା ହେଉଛି । ବନ ଅଧିକାରୀ ଏବଂ ବିଶେଷଜ୍ଞସ୍ତରରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ସରିଛି । ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ପାଞ୍ଚଟି ସଂରକ୍ଷିତ ଜଙ୍ଗଲ, କଲ୍ୟାଣସିଂହପୁର ବ୍ଲକର ନିୟମଗିରି ସଂରକ୍ଷିତ ଜଙ୍ଗଲ କିମ୍ବା କାଶୀପୁର ବ୍ଲକର ଲେଲିଗୁମ୍ମା ସଂରକ୍ଷିତ ଜଙ୍ଗଲରେ ଛାଡ଼ିବାର ଯୋଜନା କରାଯାଇଛି । ଉପରୋକ୍ତ ୩ଟି ବ୍ଲକ ମଧ୍ୟରୁ ଚନ୍ଦ୍ରପୁର ବ୍ଲକରେ ଥିବା ସଂରକ୍ଷିତ ଜଙ୍ଗଲଗୁଡ଼ିକ ବନ୍ୟପ୍ରାଣୀ ପାଇଁ ସୁରକ୍ଷିତ ସ୍ଥାନ ବୋଲି ବନ ବିଭାଗ କହିଛି । କାରଣ ଚନ୍ଦ୍ରପୁର ବ୍ଲକରେ ଗାଁ ସଂଖ୍ୟା ଓ ଲୋକ ସଂଖ୍ୟା କମ୍ ରହିଛି । ସେହି ତୁଳନାରେ ଜଙ୍ଗଲର ପରିମାଣ ଅଧିକ ।
କେବଳ ଚନ୍ଦ୍ରପୁର ନୁହଁ, ଏହି ବ୍ଲକ ସଂଲଗ୍ନ କନ୍ଧମାଳ ଜିଲ୍ଲାର କୋଟଗଡ଼ ଏବଂ ଗଜପତି ଜିଲ୍ଲାର ମୋହନା ବ୍ଲକ ଅଧୀନରେ ମଧ୍ୟ ଅନେକ ସଂରକ୍ଷିତ ଜଙ୍ଗଲ ରହିଛି । ସୁନ୍ଦରୀକୁ ଜଙ୍ଗଲରେ ଛଡ଼ାଗଲେ ଆରାମରେ ସେ ବିଚରଣ କରିପାରିବ । ଏହି କ୍ରମରେ ଚନ୍ଦ୍ରପୁର ହିଁ ସୁନ୍ଦରୀ ପାଇଁ ସୁରକ୍ଷିତ ସ୍ଥାନ ବୋଲି ବନ ବିଭାଗ ଧରିନେଇଛି । ଚନ୍ଦ୍ରପୁର ବ୍ଲକର ଚନ୍ଦ୍ରପୁର ସଂରକ୍ଷିତ ଜଙ୍ଗଲ ୫ ହଜାର ୬୦୦ ହେକ୍ଟର, ଆମଲିମା ସଂରକ୍ଷିତ ଜଙ୍ଗଲ ୭ ହଜାର ୯୦୦ ହେକ୍ଟର, ଦୋଡଗଣ୍ଡା ସଂରକ୍ଷିତ ଜଙ୍ଗଲ ୮ ହଜାର ୬୧ ହେକ୍ଟର, ବିଜାପୁର ସଂରକ୍ଷିତ ଜଙ୍ଗଲ ୩ ହଜାର ୮୩୦ ହେକ୍ଟର ଏବଂ ଚନ୍ଦ୍ରପୁର ଓ ଗୁଡ଼ାରୀ ବ୍ଲକର ମଧ୍ୟବର୍ତ୍ତି ସ୍ଥାନରେ ଥିବା କର୍ଲାଘାଟି ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ୨ ହଜାର ୧୪୨ ହେକ୍ଟର ରହିଛି । ବର୍ତ୍ତମାନ ବାଘୁଣୀ “ସୁନ୍ଦରୀ’ ଅଢ଼େଇ ହେକ୍ଟରରେ ରହୁଥିବା ବେଳେ ତାକୁ ୨୫ ହେକ୍ଟର ଏନକ୍ଲୋଜରକୁ ସ୍ଥାନାନ୍ତର କରିବା ନିମନ୍ତେ ମଙ୍ଗଳବାର ଭବନେଶ୍ୱରରେ ଆୟୋଜିତ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଯଦି ଚନ୍ଦ୍ରପୁର ବ୍ଲକର ଉପରୋକ୍ତ ସଂରକ୍ଷିତ ଜଙ୍ଗଲରେ ଏନକ୍ଲୋଜର ନିର୍ମାଣ କରାଯାଏ, ତେବେ କୌଣସି ଅସୁବିଧା ଉପୁଜିବ ନାହିଁ । ବାଘ ବଂଶବିସ୍ତାର ପାଇଁ ନୂଆ କରିଡ଼ର ହୋଇପାରିବ । ଏହାର ଅନୁଧ୍ୟାନ ଲାଗି ଆସିବେ ଏନ୍ଟିସିଏ ଏବଂ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ବିଶେଷଜ୍ଞ । ସେମାନେ କ୍ଷେତ୍ର ପରିଦର୍ଶନ କରିବା ପରେ ନିଷ୍ପତ୍ତି ନିଆଯିବ ବୋଲି ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।
କାଶୀପୁର ବ୍ଲକର ଲେଲିଗୁମ୍ମା ସଂରକ୍ଷିତ ଜଙ୍ଗଲ ୯ ହଜାର ୭୨୭ ହେକ୍ଟର ଅଞ୍ଚଳରେ ରହିଛି । ଏହାର ପାଶ୍ୱର୍ରେ ଅନ୍ୟ କୌଣସି ବିଶାଳ ଜଙ୍ଗଲ ନଥିବା ଏବଂ ଅନେକ ଗାଁ ସଂରକ୍ଷିତ ଜଙ୍ଗଲ ନିକଟରେ ଥିବାରୁ ସେଠାରେ “ସୁନ୍ଦରୀ’କୁ ଛାଡ଼ିବା ସମ୍ଭାବନା କମ୍ ରହିଛି । ସେହିପରି ନିୟମଗିରି ପାହାଡ଼ରେ ଥିବା ସଂରକ୍ଷିତ ଜଙ୍ଗଲର ଅଧିକାଂଶ ଅଞ୍ଚଳ ରାଜସ୍ୱ ବିଭାଗ ଅଧୀନରେ ଆସୁଛି । ବନ ବିଭାଗ ଅଧୀନରେ ୨ ହଜାର ୮୦୯ ହେକ୍ଟର ଅଞ୍ଚଳ ରହିଛି । ଏହାବ୍ୟତୀତ ଏହି ପାହାଡ଼ରେ ଆଦିମ ଜନଜାତି ଡଙ୍ଗରିଆକନ୍ଧ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି । ତେଣୁ ବାଘୁଣୀ “ସୁନ୍ଦରୀ’କୁ ଉକ୍ତ ଜଙ୍ଗଲରେ ଛଡ଼ାଗଲେ ଡଙ୍ଗରିଆକନ୍ଧଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡ଼ିବାର ଅଧିକ ସମ୍ଭାବନା ରହିଛି । କିନ୍ତୁ ଚନ୍ଦ୍ରପୁର ବ୍ଲକର ବିଭିନ୍ନ ଜଙ୍ଗଲରେ ଅନେକ ବନ୍ୟପ୍ରାଣୀ ରହିଛନ୍ତି । କଲରାପତରିଆଠାରୁ ଆରମ୍ଭ କରି ହାତୀ, ଭାଲୁ ରହିଥିବାରୁ “ସୁନ୍ଦରୀ’ ପାଇଁ ସୁରକ୍ଷା ଦୃଷ୍ଟିକୋଣରୁ ଅସୁବିଧା ହେବନାହିଁ । ଅନ୍ୟପକ୍ଷରେ ନୟାଗଡ଼ ଜିଲ୍ଲାର ସାତକୋଶିଆ ଜଙ୍ଗଲରେ ସୁନ୍ଦରୀକୁ ସୁରକ୍ଷିତ ଭାବେ ଛଡ଼ାଯିବା ଲାଗି ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ବନ ବିଭାଗ କେଉଁଠି “ସୁନ୍ଦରୀ’କୁ ଛାଡ଼ିବା ଲାଗି ନିଷ୍ପତ୍ତି ନେଉଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।
Comments are closed, but trackbacks and pingbacks are open.