ବେଙ୍ଗାଲୁରୁ: ଚନ୍ଦ୍ର ଅଭିମୁଖେ ଯାତ୍ରା କରୁଥିବା ଚନ୍ଦ୍ରଯାନ-୨ ଆଜି ଚନ୍ଦ୍ରର ଶେଷ କକ୍ଷରେ ପ୍ରବେଶ କରିଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଆଜି ସନ୍ଧ୍ୟା ୬ଟା ୨୧ରେ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏଥିପାଇଁ ମାତ୍ର ୫୨ ସେକେଣ୍ଡ ସମୟ ଲାଗିଥିଲା । ମହକାଶ ଯାନର ସମସ୍ତ ପ୍ରକ୍ରିୟା ଠିକ୍ ଥିବା ଇସ୍ରୋ କହିଛି । ଏଥିସହିତ ଚନ୍ଦ୍ରଯାନ-୨ ଲ୍ୟାଣ୍ଡିଂ କରିବାର ୬ ଦିନିଆ କାଉଣ୍ଟ ଡାଉନ ଆରମ୍ଭ ହୋଇଛି ।
ଇସ୍ରୋ ଅଧ୍ୟକ୍ଷ କେ. ଶିବନଙ୍କ ସୂଚନା ଅନୁଯାୟୀ ଆସନ୍ତାକାଲି (ସୋମବାର) ଦିନ ୧୨ଟା ୪୫ରୁ ୧ଟା ୪୫ ମିନିଟ ମଧ୍ୟରେ ଚନ୍ଦ୍ରଯାନ-୨ର ଅର୍ବିଟର ଠାରୁ ଲ୍ୟାଣ୍ଡର ବିକ୍ରମ ପୃଥକ ହୋଇ ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ । ଲ୍ୟାଣ୍ଡର ବିକ୍ରମ ନିଜ ସହିତ ରୋଭର ପ୍ରଜ୍ଞାନକୁ ମଧ୍ୟ ନେଇଯିବ । ୩ ତାରିଖରେ ଲ୍ୟାଣ୍ଡର ବିକ୍ରମ ଠିକ୍ ଭାବେ କାର୍ଯ୍ୟ କରୁଛି କି ନାହିଁ ତାହା ଜାଣିବା ଲାଗି ଇସ୍ରୋ ବୈଜ୍ଞାନିକମାନେ କିଛି ପରୀକ୍ଷା କରିବେ । ଏହି ସମୟରେ ଲ୍ୟାଣ୍ଡର ବିକ୍ରମର ଇଞ୍ଜିନକୁ ୩ ସେକେଣ୍ଡ ପାଇଁ ଅନ୍ କରିବେ ଏବଂ ଏହାର କକ୍ଷରେ କେତେକ ପରିବର୍ତ୍ତନ କରିବେ । ସେପ୍ଟେମ୍ବର ୪ ତାରିଖରେ ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ରର ସବୁଠାରୁ ଅଧିକ ନିକଟତର କରାଯିବ । ଚନ୍ଦ୍ରଠାରୁ ଏହି କକ୍ଷର ଦୂରତା ସର୍ବାଧିକ ୯୭ କି.ମି. ଓ ସର୍ବନିମ୍ନ ୩୫ କି.ମି. ରହିବ । ୩ ଦିନ ଧରି ଲ୍ୟାଣ୍ଡର ବିକ୍ରମ ଏହି କକ୍ଷରେ ରହି ଚନ୍ଦ୍ରକୁ ପ୍ରଦକ୍ଷିଣ କରିବ । ଏହି ସମୟରେ ବୈଜ୍ଞାନିକମାନେ ଲ୍ୟାଣ୍ଡର ବିକ୍ରମ ଓ ତା ଭିତରେ ଥିବା ରୋଭର ପ୍ରଜ୍ଞାନର ଅବସ୍ଥା ସମ୍ପର୍କରେ ଯାଞ୍ଚ କରିବେ ।
ସେପ୍ଟେମ୍ବର ୭ ତାରିଖ ବିଳମ୍ବିତ ରାତି ୧ଟା ୫୫ ମିନିଟ୍ରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଲ୍ୟାଣ୍ଡିଂ କରିବ । ଲ୍ୟାଣ୍ଡରକୁ ସଫତଳା ପୂର୍ବକ ସଫ୍ଟ ଲ୍ୟାଣ୍ଡିଂ କରାଇବା ଲାଗି ଇସ୍ରୋ ବୈଜ୍ଞାନିକମାନେ ଦୃଢ଼ ଆଶାବାଦୀ ଅଛନ୍ତି । ସେହି ମୁହୂର୍ତ୍ତ ହିଁ କେବଳ ସେମାନଙ୍କ ପାଇଁ ନୁହେଁ, ଦେଶବସୀଙ୍କ ପାଇଁ ସବୁଠାରୁ ଖୁସିର ମୁହୂର୍ତ୍ତ ହେବ । ବେଙ୍ଗାଲୁରୁସ୍ଥିତ ଇସ୍ରୋର କମାଣ୍ଡ ସେଣ୍ଟରରେ ଚନ୍ଦ୍ରଯାନ-୨ର ସମସ୍ତ ଗତିବିଧି ଅନୁଧ୍ୟାନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ସ୍କୁଲର ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀଙ୍କ ସହିତ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ କାର୍ଯ୍ୟାଳୟଠାରେ ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଂର ସିଧା ପ୍ରସାରଣ ଦେଖିବେ । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୨ ଜଣ ଲେଖାଏଁ ଛାତ୍ରଛାତ୍ରୀ ଏଥିରେ ସାମିଲ ଅଛନ୍ତି ।
ସୂଚନାଯୋଗ୍ୟ ଯେ ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୨’ ଗତ ଜୁଲାଇ ୨୨ ତାରିଖ ଅପରାହ୍ନ ୨ଟା ୪୩ରେ ସଫଳତାର ସହ ମହାକାଶକୁ ପ୍ରେରଣ କରାଯାଇଥିଲା । ଆନ୍ଧ୍ରପ୍ରଦେଶର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପ୍ରକ୍ଷେପଣ ଯାନ ଜିଏସ୍ଏଲ୍ଭି ମାର୍କ-୩ ଏମ୍୧ (ବାହୁବଳୀ) ଚନ୍ଦ୍ରୟାନ-୨କୁ ଧରି ମହାକାଶ ଯାତ୍ରା କରିଥିଲା । ପ୍ରକ୍ଷେପଣର ମାତ୍ର ୧୬ ମିନିଟ୍ ୩୩ ସେକେଣ୍ଡରେ ମହାକାଶଯାନକୁ ନିର୍ଦ୍ଧିଷ୍ଟ କକ୍ଷପଥରେ ଅବସ୍ଥାପିତ କରିଥିଲା । ପୃଥିବୀର କକ୍ଷପଥରେ ଏହା ୨୩ ଦିନ ଧରି ଘୁରିବୁଲିବା ପରେ ଅଗଷ୍ଟ ୧୪ରେ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଥିଲା । ଚନ୍ଦ୍ରରେ ଜଳ, ବିକଳ୍ପ ଶକ୍ତି, ହିଲିୟମ ଓ ମୂଲ୍ୟବାନ ଖଣିଜ ପଦାର୍ଥର ଅନୁସନ୍ଧାନ କରିବା ହେଉଛି ଚନ୍ଦ୍ରୟାନ-୨ ଅଭିଯାନର ପ୍ରମୁଖ ଲକ୍ଷ୍ୟ ।
କେବଳ ଭାରତ ନୁହେଁ, ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଓ ସମଗ୍ର ବିଶ୍ୱ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂ ଉପରେ ନଜର ରଖିଛନ୍ତି । ପ୍ରଥମ କରି ଚନ୍ଦ୍ରଯାନ-୨ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଲ୍ୟାଣ୍ଡିଂ କରୁଥିବାରୁ ତାକୁ ନେଇ ବିଶ୍ୱବ୍ୟାପୀ ଉତ୍ସୁକତା ପ୍ରକାଶ ପାଇଛି । ନାସାର ପୂର୍ବତନ ମହାକାଶଚାରୀ ଡୋନାଲ୍ଡ ଏ. ଥୋମାସ କହିଛନ୍ତି ଭାରତର ଏହି ମିଶନ ସଫଳ ହେଲେ ୫ ବର୍ଷ ଭିତରେ ଆମେରିକା ଚନ୍ଦ୍ରର ଦକ୍ଷିଣ ମେରୁକୁ ମହାକାଶଚାରୀ ପଠାଇବ । ସେ କହିଛନ୍ତି ଆମେରିକା ଚନ୍ଦ୍ରର ବିଷୁବରେଖା ଅଞ୍ଚଳରେ ଲ୍ୟାଣ୍ଡିଂ କରିଛି । କିନ୍ତୁ ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିନାହିଁ । ଚନ୍ଦ୍ରର ଦଣିକ୍ଷ ମେରୁ ଅଞ୍ଚଳ ସ୍ୱତନ୍ତ୍ର । ସେଠାରେ ଜଳ ବରଫ ଆକାରରେ ରହିଥିବା ସେ ବିଶ୍ୱାସ କରୁଛନ୍ତି । ଚନ୍ଦ୍ରରେ ମଣିଷ ବାସ କରିପାରିବ କି ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ସେଠାରେ ରହିବା କଷ୍ଟକର ବ୍ୟାପାର । କାରଣ ବିକୀରଣ ସମସ୍ୟା ରହିଛି । ଦିନ ତାପମାତ୍ରା ୧୦୦ ଡିଗ୍ରୀ ସେଲ୍ସିୟସ ହୋଇଯାଉଥିବା ବେଳେ ରାତି ତାପମାତ୍ରା ମାଇନସ ୧୦୦ ଡିଗ୍ରୀ ସେଲ୍ସିୟସ ହେଉଥିବା ସେ କହିଛନ୍ତି ।
Comments are closed, but trackbacks and pingbacks are open.