ଗୁଣପୁର,(ବି.ବି.ନ୍ୟୁଜ୍): ଚନ୍ଦ୍ରାୟଣ-୨ ର ହୋଇଛି ସଫଳ ଉତକ୍ଷେପଣ । ଭାରତୀୟ ବୈଜ୍ଞାନିକଙ୍କ ଏହି ସଫଳତା ବିଶ୍ୱରେ ଚର୍ଚ୍ଚା ହେଉଥିବାବେଳେ ଏହି ଟିମ୍ରେ ସ୍ଥାନୀୟ ଗୁଣପୁର ଜିଆଇଇଟି ଏକକ ବିଶ୍ୱବିଦ୍ୟାଳୟର ୨ ଜଣ ପୂର୍ବତନ ଛାତ୍ର ସାମିଲ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ।
ଏ ଦୁଇ ପୂର୍ବତନ ଛାତ୍ର ହେଲେ ଅନୁଷ୍ଠାନର ୧୯୯୯-୨୦୦୩ ବ୍ୟାଚ କେମିକାଲ ଇଂଜିନିୟରିଂ ବିଭାଗ ତଥା କଲେଜ ଟପ୍ପର ଶ୍ରୀନିବାସ ପଣ୍ଡା ଓ ସେହି ବିଭାଗର ସଂଗୀତା ଦାଶ । ଐତିହାସିକ ଚନ୍ଦ୍ରଯାନ-୨ର ସଫଳ ଉତ୍କ୍ଷେପଣରେ ଏମାନେ ବିଶିଷ୍ଟ ଭୂମିକା ଗ୍ରହଣ କରଥିବାବେଳେ ଅଧ୍ୟାପକମାନଙ୍କ ପ୍ରେରଣା ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛି ବୋଲି ବୈଜ୍ଞାନିକ ଶ୍ରୀ ପଣ୍ଡା, ସୁଶ୍ରୀ ଦାଶ ସୂଚନା ଦେଇଛନ୍ତି । ଏହି ସଫଳତା ପାଇଁ ଜିଆଇଇଟି ବିଶ୍ୱବିଦ୍ୟାଳୟ ସଭାପତି ଡ.ସତ୍ୟପ୍ରକାଶ ପଣ୍ଡା, ଉପସଭାପତି ଡ.ଚନ୍ଦ୍ରଧ୍ୱଜ ପଣ୍ଡା, ନିର୍ଦ୍ଦେଶକ ଡ.ଜଗଦିଶ ପଣ୍ଡା, କୁଳପତି ଡ.ଗୌତମ ଘୋଷ, ରେଜିଷ୍ଟ୍ରାର ଏନଭି ଜଗନ୍ନାଥ ରାଓ, ବିଭାଗୀୟ ମୁଖ୍ୟ ରାଧାନାଥ ପାଢି ପ୍ରମୁଖ ଏହି ଦୁଇ ପୁରାତନ ଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଆଗାମୀ ଦିନରେ ନିଜର ଗବେଷଣା ବଳରେ ବିଶ୍ୱରେ ସୁନାମ ଆଣିବେ ବୋଲି ଆଶାବ୍ୟକ୍ତ କରିଛନ୍ତି । ସୂଚନା ଅନୁସାରେ, ଶ୍ରୀ ପଣ୍ଡାଙ୍କ ନେତୃତ୍ୱରେ ଏକ ବୈଜ୍ଞାନିକ ଟିମ୍ ଉକ୍ତ ଯାନ ପାଇଁ କଠିନ ଇନ୍ଧନ(ସଲିଡ ଫୁଏଲ) ପ୍ରସ୍ତୁତି ଓ ଯୋଗାଣ ବ୍ୟବସ୍ଥା ସମ୍ପନ୍ନ କରିଛନ୍ତି । ଭାରତର ଏହି ଐତିହାସିକ ଅଭିଯାନରେ ଓଡିଶା ତଥା ବିଶେଷ କରି ଜିଆଇଇଟିର ଦୁଇ ପୁରାତନ ବିଦ୍ୟାର୍ଥୀଙ୍କ ଭୂମିକା ନେଇ ଗର୍ବ ଅନୁଭବ କରିଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଜିଆଇଇଟିରେ ଉଚ୍ଚକୋଟିର ଶିକ୍ଷାଦାନ ପାଇବା ପରେ ଉଭୟ ଶ୍ରୀ ପଣ୍ଡା ଓ ସୁଶ୍ରୀ ଦାଶ କେନ୍ଦ୍ର ସରକାରଙ୍କ ମହାକାଶ ବିଜ୍ଞାନ ଓ ଗବେଷଣା କ୍ଷେତ୍ର ବିକ୍ରମ ସାରାଭାଇ ସ୍ପେଶ୍ ରିସର୍ଚ୍ଚ ସେଣ୍ଟରର ବୈଜ୍ଞାନିକ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି । ଦୁଇ ବିଦ୍ୟାର୍ଥୀ ଅନୁଷ୍ଠାନରେ ଅଧ୍ୟୟନ ସମୟରେ ଗବେଷଣା କ୍ଷେତ୍ରରେ ଆଗ୍ରହ ଦେଖାଇ ବିଭିନ୍ନ କର୍ମଶାଳା ଓ ପ୍ରକଳ୍ପଗୁଡିକରେ ନିଜର ପରକାଷ୍ଠା ପ୍ରଦର୍ଶନ କରିଆସୁଥିଲେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଆମେରିକା, ରୁଷ ଓ ଚୀନ ପରେ ଭାରତ ଚତୁର୍ଥ ରାଷ୍ଟ୍ରଭାବେ ଚନ୍ଦ୍ରପୃଷ୍ଟରେ ନିଜର ରୋଭର୍ ଅବତରଣ କରିବାକୁ ଯାଉଛି ।
Comments are closed, but trackbacks and pingbacks are open.