
ଆସିକା,(ବି.ବି.ନୁ୍ୟଜ): ଗଞ୍ଜାମ ଜିଲ୍ଲା ଆସିକା ନିକଟସ୍ଥ କଇଁଫୁଲିଆ ଛକ ଠାରେ ‘ହାଇଲେଭଲ୍ ସେତୁ’କୁ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଉଦ୍ଘାଟନ କରିଛନ୍ତି । ଖୁସିର କଥା, ଆଜି ଆସ୍କାରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁର ଉଦ୍ଘାଟନ କରାଯାଇଛି । ବ୍ରିଟିଶ ସମୟର ଦୁଇଟି ପୁରୁଣା ସେତୁ ବଦଳରେ ଏହାକୁ ନିର୍ମାଣ କରାଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳର ରାସ୍ତା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ (ଲିଙ୍କ୍)ଭାବେ କାର୍ଯ୍ୟ କରିବ । ଆସ୍କା, ଭଞ୍ଜନଗର, ଛତ୍ରପୁର ଓ ଅନ୍ୟାନ୍ୟ ସହରରୁ ଭୁବନେଶ୍ୱରକୁ ଦୂରତା ମଧ୍ୟ କମିବ । ଏହାଦ୍ୱାରା ସାଢେ ୩ ଲକ୍ଷରୁ ଅଧିକ ଲୋକଙ୍କ ଯାତାୟାତରେ ସୁବିଧା ହୋଇପାରିବ ।
ଗଞ୍ଜାମ ଜିଲ୍ଲା ଆମ ରାଜ୍ୟର ଏକ ସମୃଦ୍ଧ ଜିଲ୍ଲା ଓ ବାଣିଜ୍ୟ କେନ୍ଦ୍ର । ଜିଲ୍ଲାର ଜନସାଧାରଣ ସେମାନଙ୍କ ପରିଶ୍ରମ ପାଇଁ ସୁନାମ କରିଛନ୍ତି । ଏହି ସେତୁ ଦ୍ୱାରା ଜିଲ୍ଲାର ବାଣିଜ୍ୟ କାରବାର, ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆହୁରି ଉନ୍ନତି ଆସିବ ବୋଲି ମୁଁ ଆଶା କରୁଛି ।
ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ମୋ ସରକାର ଭିତ୍ତିଭୂମିର ବିକାଶ ପାଇଁ ନିÂାର ସହ କାମ କରୁଛି । ସଡ଼କ, ସେତୁ ନିର୍ମାଣରେ ଆଖି ଦୃଷିଆ ବିକାଶ ତଥା ଉନ୍ନୟନ କାର୍ଯ୍ୟ କରାଯାଉଛି । ପର୍ଯ୍ୟଟନ, କ୍ରୀଡ଼ା ଆଦି କ୍ଷେତ୍ରରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ କରାଯାଉଛି । ଚଳିତ ଆର୍ଥିକ ବର୍ଷ ପାଇଁ ୧୦୦୦ କିଲୋମିଟର ରାସ୍ତା ଓ ୩୦ଟି ବଡ଼ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୨୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହାସହିତ ବିଜୁ ସେତୁ ଯୋଜନାରେ ପ୍ରାୟ ୧୦୦୦ କୋଟି ଟଙ୍କା ଓ ଗ୍ରାମ ସଡ଼କ ପାଇଁ ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।
ରାଜ୍ୟର ଭିତ୍ତିଭୂମି ଆପଣମାନଙ୍କ ସମ୍ପତ୍ତି । ଆପଣଙ୍କ ଟଙ୍କାରେ, ଆପଣଙ୍କ ସୁବିଧା ପାଇଁ ଏହା ନିର୍ମାଣ କରାଯାଉଛି । ତେଣୁ ଆପଣମାନେ ଏହି ସମ୍ପତ୍ତିର ସୁରକ୍ଷା ଉପରେ ଧ୍ୟାନ ଦେବେ ବୋଲି ମୁଁ ଆଶା କରୁଛି ।
ଗଞ୍ଜାମ ଜିଲ୍ଲା କୋଭିଡ୍ ପରିଚାଳନା କ୍ଷେତ୍ରରେ ସାରା ଦେଶରେ ସୁନାମ ଅର୍ଜନ କରିଛି । ଏଥିପାଇଁ ଜିଲ୍ଲାର ଜନସାଧାରଣଙ୍କୁ ମୁଁ ଧନ୍ୟବାଦ ଦେଉଛି । କିନ୍ତୁ ବିପଦ ଏବେ ବି ଯାଇନାହିଁ । ଦ୍ୱିତୀୟ ଲହରି ଭୟ ରହିଛି । ତେଣୁ ଆପଣମାନଙ୍କୁ ମୋର ନିବେଦନ, ଆପଣମାନେ କୋଭିଡର ସବୁ ନିୟମକୁ ପାଳନ କରନ୍ତୁ । ମାସ୍କ ପିନ୍ଧୁନ୍ତୁ, ହାତ ଧୁଅନ୍ତୁ ଓ ଭିଡ଼ ଜାଗାରେ ସାମାଜିକ ଦୂରତା ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଆସ୍କା ଏମ୍ପି, ବିଧାୟିକା ଜିଲ୍ଲା ପରିଷଦ ସଭାପତି ଓ ଜିଲ୍ଲାପାଳ ପ୍ରମୁଖ ଉଦ୍ବୋଧନ ଦେଇଥିଲେ ।
ପୂର୍ତ୍ତ ବିଭାଗ ଅଧିନରେ ଥିବା, ଆସିକା ଠାରୁ ଗାଜଲବାଡ଼ି ଭାୟା ସୋରଡା-ପିପଳପଙ୍କା ରାସ୍ତାରେ ଗମନାଗମନକୁ ଦୃଷ୍ଟିରେ ରଖି, ରାଜ୍ୟ ସରକାରଙ୍କ ପକ୍ଷରୁ ୩କୋଟିରୁ ଊଦ୍ଧ୍ୱର୍ ବ୍ୟୟ ଅଟକଳରେ ନିର୍ମିତ ସେତୁକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବ୍ରିଟିଶ ଅମଳର ପୁରୁଣା ସେତୁ ନୂତନ ଭାବେ ନିର୍ମାଣ କରାଯାଇଛି । ଯାହାକି ବନ୍ୟା ଦାଉରୁ ଅଞ୍ଚଳବାସୀ ରକ୍ଷା ପାଇବା, ଯାତାୟାତ କ୍ଷେତ୍ରରେ ଅଧିକ ସୁଗମ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପ୍ରକାଶ ଥାଉକି ଆସିକା ଗଞ୍ଜାମ ଜିଲ୍ଲାର ମଧ୍ୟବର୍ତ୍ତୀ ଅଞ୍ଚଳ ଅଟେ । ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଏବଂ ବ୍ୟବସାୟୀକ ପେଣ୍ଠସ୍ଥଳଭାବେ ପରିଚିତ । ଏ ସେତୁ ହେବାରୁ ଆସିକାରୁ କବିସୂର୍ଯ୍ୟନଗର, କୋଦଳା, ଖଲ୍ଲିକୋଟ ଦେଇ ଭୁବନେଶ୍ୱର, ଆସିକାରୁ ବୁଗୁଡା ଓ ନୟାଗଡ ଏବଂ ବଳିପଦର, ବେଲଗୁଣ୍ଠା, ଭଞ୍ଜନଗର ଓ ଜଗନାଥପ୍ରସଦ ଅଞ୍ଚଳକୁ ଯିବାପାଇଁ ଏହି ସେତୁ ଦେଇ ଯିବାକୁ ପଡିଥାଏ । ଆୟୋଜିତ କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ପିଡିଡିଆର୍ଡିଏ ସିଦେ୍ଧ ଦତାତ୍ତେ୍ରୟ ଭାଉସାହେବ, ଜିଲା ପରିଷଦ ସଭାନେତ୍ରୀ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଆସିକା ତହସିଲଦାର ସଦାନନ୍ଦ ସେଠୀ, ବିଡିଓ ରୋଶନ ଶତପଥୀ, ଆସିକା ପୁଲିସ ଉପଖଣ୍ଡ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ, ଥାନା ଅଧିକାରୀ ପ୍ରଶାନ୍ତ ସାହୁ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ ଟେଟେ ସମେତ ବହୁ ପ୍ରଶାସନିକ ଅଧିକାରୀ ଏବଂ ଆସିକା ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକଙ୍କ ସମେତ ବହୁ ସରପଞ୍ଚ ଓ ସମିତିସଭ୍ୟ ଯୋଗଦେଇଥିଲେ ।
Comments are closed, but trackbacks and pingbacks are open.