ଚାକିରିର ପ୍ରଲୋଭନ ଦେଖାଇ ୫୦ ଲକ୍ଷ ଠକେଇ

Get real time updates directly on you device, subscribe now.

ଲହୁଣିପଡ଼ା: ଶିକ୍ଷିତ ଯୁବକଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଜାଲ ନିଯୁକ୍ତି ପତ୍ର ଦେଇ ସେମାନଙ୍କ ଠାରୁ ୫୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଠକି ନେଇଥିଲେ ଆନ୍ତଃରାଜ୍ୟ ଠକ ଦଳ । ଏ ନେଇ ଅଭିଯୋଗ ହେବା ପରେ ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ପୁଲିସ୍ ଘଟଣାର ତଦନ୍ତ କରି ଏକ ଆନ୍ତଃଜିଲ୍ଲା ଠକ ଦଳର ୩ଜଣ ସଦସ୍ୟଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୨ଟି ମୋବାଇଲ, ୬ଟି ବ୍ୟାଙ୍କ ଆକାଉଣ୍ଟ ଖାତା, ବିଭିନ୍ନ କମ୍ପାନୀର ଷ୍ଟାମ୍ପ୍, ଜାଲ ନିଯୁକ୍ତି ପତ୍ର, ଛାପା ମେସିନ ଜବତ କରାଯାଇଛି । ରାଜ୍ୟ ବାହାରେ ରହିଛି ଏମାନଙ୍କ ନେଟୱାର୍କ ।
ଲହୁଣିପଡ଼ା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବଣାଇଁ ଉପଖଣ୍ଡ ପୁଲିସ୍ ଅଧିକାରୀ ସୌରଭ ଓତା, ଥାନା ଅଧିକାରୀ ସନ୍ତୋଷ କୁମାର ଜେନା ସୂଚନା ଦେଇଥିଲେ ଯେ, ଲହୁଣିପଡ଼ା ନିବାସୀ ଚିନ୍ମୟ କୁମାର ସାହୁ ଗତ ମାସ ୨୪ ତାରିଖରେ ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ ଯେ, ସେ ଏବଂ ତାଙ୍କ ସାଙ୍ଗ ଅମିତ କୁମାର ଲାକ୍ରା, ପପନ କୁମାର ସା, ୟୁନୁସ ଆନସାରୀଙ୍କ ଠାରୁ ଲମ୍ସି ଗ୍ରାମର ସନ୍ତୋଷ କୁମାର ପାତ୍ର ରେଲୱେ ବିଭାଗରେ ଚାକିରିର ମିଥ୍ୟା ପ୍ରଲୋଭନ ଦେଖାଇ ପର୍ଯ୍ୟାୟ କ୍ରମେ ଲକ୍ଷାଧିକ ଟଙ୍କା ବିଭିନ୍ନ ଆକାଉଣ୍ଟରେ ଡିପୋଜିଟ କରିବା ପାଇଁ କହିଥିବା ବେଳେ ଶିକ୍ଷିତ ବେକାରୀ ଥିବାରୁ ଚାକିରି ଆଶାରେ ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ କରିଥିଲେ । ଏହିଭଳି ଆଉ କିଛି ଯୁବକ ଏହି ଠକାମିର ଶିକାର ହୋଇଥିବା ଏତଲାରେ ଦର୍ଶାଇଥିଲେ । ଥାନା ଅଧିକାରୀ ଶ୍ରୀ ଜେନାଙ୍କ ତତ୍ତ୍ୱାବଧାନରେ ପୁଲିସ୍ ଏହାର ତଦନ୍ତ ଆରମ୍ଭ କରିଥିଲା । ପୁଲିସ୍ ପ୍ରାଥମିକ ତଦନ୍ତ ଚଳାଇ ଲମ୍ସି ଗ୍ରାମର ସନ୍ତୋଷ ପାତ୍ରଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ଏହି ଘଟଣାରେ କେନ୍ଦୁଝର ଅଞ୍ଚଳର ତାରାକାନ୍ତ ଜେନା ଓରଫ ସାହାଣି, କେନ୍ଦ୍ରାପଡ଼ା ମାର୍ଶାଘାଇ ଅଞ୍ଚଳର ଦୀପକ କୁମାର ରାଉତ ମୁଖ୍ୟ ବୋଲି ଜାଣିବାକୁ ପାଇଥିଲେ । ସେମାନଙ୍କୁ ମଧ୍ୟ ପୁଲିସ୍ ଧରିଥିଲା । ସମ୍ପୃକ୍ତ ତିନି ଜଣ ଓ ଆଉ କିଛି ସହଯୋଗୀ ମିଶି ପ୍ରାୟ ୮ ଜଣଙ୍କ ଠାରୁ ୫୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଜାଲ ନିଯୁକ୍ତି ପତ୍ର ଦେଇ ଠକି ନେଇଛନ୍ତି । ଦେଢ଼ ବର୍ଷ ହେଲା ଏହି ଠକାମି ଚାଲି ଆସିଥିବା ବେଳେ ଶିକ୍ଷିତ ଯୁବକମାନେ ଚାକିରି ଆଶାରେ ଟଙ୍କା ଦେଇ ଚାଲିଥିଲେ । ରେଲୱେର ଗ୍ରୁପ୍ ‘ଏ’ ପାଇଁ ୨୦ ଲକ୍ଷ ଓ ଅନ୍ୟାନ୍ୟ ପଦବୀ ପାଇଁ ସେମାନେ ଟଙ୍କା ଧାର୍ଯ୍ୟ କରୁଥିଲେ ବୋଲି ପୁଲିସ୍ କହିଛି । ଖାଲି ଓଡ଼ିଶା ନୁହଁ ବୋକାରୋ, କୋଲକାତା ଇତ୍ୟାଦି ଅଞ୍ଚଳର ଯୁବକମାନଙ୍କୁ ଫସେଇ ସେଠାରେ ନିଯୁକ୍ତି ଦିଆଯିବ ବୋଲି ଏଭଳି ଠକେଇ କରିଥିବା ତଦନ୍ତ କାଳରେ ପୁଲିସ୍ ଜାଣିବାକୁ ପାଇଥିଲା । ଠକେଇର ଶିକାର ହୋଇଥିବା ୮ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ ରେଲୱେରେ ଏବଂ ୨ ଜଣଙ୍କୁ ଏସ୍ବିଆଇରେ ନିଯୁକ୍ତିର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିଥିଲେ । ଠକ ଦଳର ୩ ଜଣଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରି ଅନ୍ୟମାନଙ୍କୁ ଧରିବା ଲାଗି ଉଦ୍ୟମ ଜାରି ରଖିଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons