
ଦାମନଯୋଡି,(ବି.ବି.ନୁ୍ୟଜ): ଚାକିରି ଦିଅ । ନହେଲେ ନେଇଥିବା ଜମି ଫେରାଅ । ଆଜି ଏଭଳି ଚେତାବନୀ ଦେଇ ଦାମନଯୋଡି ନାଲ୍କୋ ବିସ୍ଥାପିତମାନେ ମାଥାଲପୁଟ କଲୋନି ଛକଠାରେ ଖଣିରାସ୍ତା ଅବରୋଧ କରି ଆନେ୍ଦାଳନ କରିଛନ୍ତି । ବିସ୍ଥାପିତ ପରିବାରର ଶତାଧିକ ମହିଳା ରାସ୍ତାରୋକ କରିବା ଫଳରେ ପଞ୍ଚପଟମାଳିରୁ ଆଜି ନାଲ୍କୋକୁ ଖଣି ପରିବହନ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ରାତି ୮ଟା ସୁଦ୍ଧା ପ୍ରଶାସନ ପକ୍ଷରୁ ଆଲୋଚନା ଜାରି ରହିଥିଲେ ମଧ୍ୟ ଧାରଣାରୁ କେହି ହଟି ନଥିଲେ ।
ନାଲ୍କୋ ବିସ୍ଥାପିତ ୧୫ଖଣ୍ଡ ଗାଁର ୬ଶହ ପରିବାରର ମହିଳା ଓ ପୁରୁଷମାନେ ଆଜି ଏକାଠି ହୋଇ ବିସ୍ଥାପିତ କଲୋନି ଛକରେ ଖଣି ରାସ୍ତାକୁ ବନ୍ଦ କରି ଧାରଣା ଦେଇଛନ୍ତି । ଜମି ହରାଇଥିବା ପ୍ରତ୍ୟେକ ପରିବାରର ଜଣଙ୍କୁ ନିଯୁକ୍ତି ପ୍ରଦାନ, ବିଧବା ମହିଳାଙ୍କୁ ଥଇଥାନ ଓ ବସଚୁ୍ୟତ ପରିବାରର ବେକାରୀ ଯୁବକ ଯୁବତୀଙ୍କୁ କର୍ମଯୋଗାଣ କରି ରୋଜଗାରକ୍ଷମ କରିବା ଆଦି ତିନୋଟି ଦାବି କରାଯାଇଛି । ଦାବିଗୁଡିକ ପୂରଣ ନହେବା ପର୍ଯ୍ୟନ୍ତ ରାସ୍ତାରୋକରୁ ହଟିବେ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଆନେ୍ଦାଳନକାରୀମାନେ ଟାୟାର ଜାଳି ରାସ୍ତାରୋକ କରି ଧାରଣା ଦେଇଛନ୍ତି । ଖବରପାଇ ଘଟଣାସ୍ଥଳରେ ପୁଲିସ, ପ୍ରଶାସନ ଓ ନାଲ୍କୋ ଅଧିକାରୀ ପହଞ୍ଚିଥିଲେ । ପ୍ରଶାସନ ତରଫରୁ ଅତିରିକ୍ତ ତହସିଲଦାର ସେଠାରେ ପହଞ୍ଚି ଆନେ୍ଦାଳନରତ ମହିଳାଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସୁଫଳ ମିଳି ନଥିଲା । ଦାବିଗୁଡିକ ସମ୍ପର୍କରେ ନାଲ୍କୋ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ରାସ୍ତାରୁ ହଟିବେ ନାହିଁ ବୋଲି ଗ୍ରାମବାସୀ ଜିଦ୍ରେ ଅଟଳ ରହିଛନ୍ତି । ସମସ୍ୟାର ସମାଧାନ ପାଇଁ କଥାବାର୍ତ୍ତା ଜାରି ରହିଛି ।
Comments are closed, but trackbacks and pingbacks are open.