ଚାକିରି ନାଁରେ ଠକେଇ, ଯୁବକ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଚାକିରିର ପ୍ରଲୋଭନ ଦେଖାଇ ଜଣେ ଯୁବକଙ୍କ ଠାରୁ ୪୫ ହଜାର ଟଙ୍କା ଠକିନେବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ତାଙ୍କ ନାମ ବୁବୁନ ଓରଫ ବିକାଶ ସ୍ୱାଇଁ(୩୫) । ଘର ସହିଦନଗର ପ୍ଲଟ୍ ନଂ-୭୧୩ ।
ପୁଲିସ ସୂଚନା ଅନୁଯାୟୀ, ଆଚାର୍ଯ୍ୟବିହାରରେ ରହୁଥିବା ପ୍ରସନ୍ନଜ୍ୟୋତି ମଲ୍ଲ(୨୫)ଙ୍କ ସହ କିଛିଦିନ ତଳେ ବୁବୁନଙ୍କର ସାକ୍ଷାତ ହୋଇଥିଲା । ସାକ୍ଷାତରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ଯୋଡ଼ି ହୋଇଥିଲା । ପରେ ବୁବୁନ ପ୍ରସନ୍ନଜ୍ୟୋତିଙ୍କୁ କେନ୍ଦ୍ର ସରକାରଙ୍କ ଫୁଡ୍ ଆଣ୍ଡ୍ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆରେ ଚାକିରି କରାଇ ଦେବି ବୋଲି କହିଥିଲେ । କିଛି ଟଙ୍କା ଅଗ୍ରୀମ ସୂତ୍ରରେ ଦେଲେ ମୁଁ ତୁମକୁ ଚାକିରିରେ ରଖାଇଦେବି ବୋଲି କହିଥିଲେ । ପ୍ରଥମେ ସେପ୍ଟେମ୍ବର ୨୭ରେ ବୁବୁନ ପ୍ରସିନ୍ନଜ୍ୟୋତିଙ୍କ ଠାରୁ ୧୫ଶହ ଟଙ୍କା ନେଇଥିଲେ । ପରେ ଉପରିସ୍ଥ ଅଫିସରଙ୍କୁ ଟଙ୍କା ଦେବାକୁ ପଡ଼ିବ କହି ଅକ୍ଟୋବର ୨ରେ ୩ ହଜାର, ୮ରେ ୫ ହଜାର ଓ ସେହିମାସ ୧୪ ତାରିଖରେ ୫ ହଜାର ଟଙ୍କା ନେଇଥିଲେ । ପରେ ତାଙ୍କୁ ୨ ଲକ୍ଷ ଟଙ୍କା ଦେଲେ ତୁମ ଚାକିରି ପକ୍କ୍ା ବୋଲି କହିଥିଲେ । ପସନ୍ନଜ୍ୟୋତି ସେହିମାସ ୨୮ ତାରିଖରେ ଆଉ ୩୦ ହଜାର ଟଙ୍କା ଦେଇଥିଲେ । ବୁବୁନ୍ ପ୍ରସନ୍ନଜ୍ୟୋତିଙ୍କ ଠାରୁ ତାଙ୍କ ସମସ୍ତ ସାର୍ଟିଫିକେଟ୍, ଆଧାରକାର୍ଡ ଓ ଫଟୋ ଆଦି ନେଇଥିଲେ । ସମସ୍ତ ଟଙ୍କା ପ୍ରସନ୍ନଜ୍ୟୋତି ଫୋନ୍ ପେ ରେ ଦେଇଥିଲେ । ତା’ପରେ ବୁବୁନ ଆଉ ପ୍ରସନ୍ନଜ୍ୟୋତିଙ୍କୁ ଧରାଛୁଆଁ ଦେଇ ନଥିଲେ । ଫୋନ୍ କଲେ ମଧ୍ୟ ଫୋନ୍ ଉଠାଇ ନଥିଲେ । ତେଣୁ ପ୍ରସନ୍ନଜ୍ୟୋତି ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ସେ ଏନେଇ ଗତକାଲି ସହିଦନଗର ଥାନାରେ ଅଭିଯୋଗ କରିଥିଲେ । ପ୍ରସନ୍ନଜ୍ୟୋତିଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ଠକେଇ ମାମଲା ରୁଜୁ କରିଥିଲା । ଗତକାଲି ରାତିରେ ପୁଲିସ ବୁବୁନଙ୍କୁ ତାଙ୍କ ଘରେ ଚଢ଼ଉ କରି ଗିରଫ କରିଥିଲା । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons