ଚାକିରି ନାଁରେ ଯୁବତୀଙ୍କଠାରୁ ଲୁଟ୍

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ଷ୍ଟେସନ୍ରେ ପରିଚୟ । ପରେ ମଉସା ବୋଲି ପାଇଲା ସମ୍ମାନ । ଧରମ ଝିଆରୀ କରି ଲୁଟିବାକୁ କଲା ଯୋଜନା । ଚାକିରି ଦେବ ବୋଲି କହି କଲା ବାହାନା । ଯୋଜନା କରି ପୁରୀ ନେଇ ଚାଲିଆସିଲା । ଲଜ୍ରେ ରଖି ଅଧରାତିରେ ଲୁଟିଲା । କିନ୍ତୁ ଲୁଟ୍ରେ ସଫଳ ହେଲା ନାହିଁ । ମାଡି ବସିଲା ପୁଲିସ । ଶେଷରେ ଲୁଟେରା ମଉସା ଜେଲ ଗଲା । ଏହି ଲୁଟେରା ଜଣକ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ଅଶୋକ ପାତ୍ର (୪୦) । ଘଟଣାଟି ପୁରୀରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।
ପୁଲିସ କହିଛି ଯେ, ଅଶୋକ ଜଣେ ଲୁଟେରା । ବିଭିନ୍ନ ସମୟରେ ଲୋକଙ୍କୁ ଲୁଟିବା ତା’ର କାମ । ଗତ ୩ ତାରିଖରେ ସେ କଟକ ଷ୍ଟେସନରେ ଛିଡା ହୋଇଥିଲା । ତା’ ନିକଟର ପହଞ୍ଚିଥିଲେ ଜଣେ ଯୁବତୀ । ଯୁବତୀଙ୍କ ଘର ବାଲୁଗାଁ । ସେ କଟକ କୌଣସି ଏକ ପରୀକ୍ଷା ଦେବା ପାଇଁ କଟକ ଯାଇଥିଲେ । ଫେରିବାବେଳେ ସେ ଷ୍ଟେସନ୍ ଆସିଥିଲେ । ସେଠାରେ ଆଶୋକ ସହ ଭେଟ ହୋଇଥିଲା । ଅଶୋକ ତାଙ୍କୁ ମିଠା ମିଠା କଥା କହି ନିଜକୁ ଜଣେ ସରକାରୀ କର୍ମଚାରୀର ପରିଚୟ ଦେଇଥିଲା । ତାକୁ ବିଶ୍ୱାସ କରିଥିଲେ ଯୁବତୀ । ତେଣୁ ମଉସା ବୋଲି ଡାକି ଅଶୋକକୁ ବେଶ୍ ସମ୍ମାନ ମଧ୍ୟ ଦେଲେ ଯୁବତୀ । ତା’ ପରେ ଅଶୋକ ଆରମ୍ଭ କଲା ତା’ର ପୁରୁଣା ଫର୍ମୁଲା । ଯୁବତୀଙ୍କ ସମ୍ପର୍କରେ ପ୍ରଥମେ ସମସ୍ତ ତଥ୍ୟ ସଂଗ୍ରହ କରିଥିଲା । ଯୁବତୀ ଚାକିରି ଖୋଜୁଥିବା ଜାଣିବା ପରେ ତାଙ୍କୁ ସାହାଯ୍ୟର ହାତ ବଢାଇବ ବୋଲି ପ୍ରତିଶ୍ରୁତି ଦେଲା ଅଶୋକ । ତାଙ୍କୁ ଚାକିରି କରାଇଦେବ ବୋଲି କହି ପୁରୀ ଆସିବା ପାଇଁ କହିଥିଲା । ଚାକିରି ପାଇବା ଆଶାରେ ରାଜି ହୋଇଗଲେ ଯୁବତୀ ।
ଯୋଜନା ଅନୁସାରେ ୪ ତାରିଖ ଦିନ ଯୁବତୀଙ୍କୁ ନେଇ ପୁରୀରେ ପହଞ୍ଚିଥିଲା ଆଶୋକ । ଯୁବତୀଙ୍କୁ ପୁରୀରେ ବୁଲାଇବା ପରେ ଚାକିରି ସମ୍ପର୍କରେ ସନ୍ଧ୍ୟାରେ ଜଣେ ବାବୁଙ୍କ ସହ କଥା ହେବାକୁ ପଡ଼ିବ ବୋଲି କହିଥିଲା । ସନ୍ଧ୍ୟା ହେଲା ସତ । କିନ୍ତୁ କୌଣସି ବାବୁ ଦେଖା ହେଲେ ନାହିଁ । ତେଣୁ ସକାଳେ ସେ ବାବୁଙ୍କୁ ଭେଟିବାକୁ ହେବ ବୋଲି କହି ଯୁବତୀଙ୍କୁ ନେଇ ଏକ ଲଜ୍ରେ ରହିଥିଲା ଅଶୋକ । ଯୁବତୀ ଶୋଇଯିବା ପରେ ସୁବର୍ଣ୍ଣ ସୁଯୋଗକୁ ଆଉ ହାତଛଡା କରିନଥିଲା ଅଶୋକ । ମଧ୍ୟ ରାତିରେ ଯୁବତୀଙ୍କ ଭ୍ୟାନିଟିରୁ ୮ ହଜାର ଟଙ୍କା ଓ ସେ ପିନ୍ଧିଥିବା ସମସ୍ତ ଅଳଙ୍କାର ଗଣ୍ଠିଲି କରିଥିଲା । ଠିକ୍ ସେହି ସମୟରେ କିଛି ଅଘଟଣ ଘଟୁଥିବା ଜାଣିପାରିଥିଲେ ଯୁବତୀ । ହଠାତ୍ ଉଠିପଡି ବାହାରକୁ ଦୌଡିଥିଲେ । ବାହାର ପଟୁ କବାଟ ଲକ୍ କରି ଚିକ୍ରାର କରିଥିଲେ । ଏଥିସହ ପିସିଆର୍କୁ ଖବର ମଧ୍ୟ ଦେଇଥିଲେ ।
ଖବର ପାଇ ପିସିଆର୍ ଘଟଣା ସ୍ଥଳରେ ପହଞ୍ଚିଥିଲା । କବାଟ ଖୋଲିବା ପରେ ଅଶୋକ ଦୌଡ଼ିବାକୁ ଉଦ୍ୟମ କରିବାବେଳେ ପୁଲିସ ତାକୁ ମାଡି ବସିଥିଲା । ପିସିଆର୍ ଅଶୋକକୁ ସମୁଦ୍ରକୂଳ ଥାନା ପୁଲିସ ଜିମା ଦେଇଥିଲା । ଏନେଇ ଯୁବତୀ ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତାକୁ ଗିରଫ କରିଛି । ରବିବାର ଅଶୋକକୁ କୋର୍ଟଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ପଠାଇ ଦିଆଯାଇଛି । ତା’ ଠାରୁ ଲୁଟ୍ ଟଙ୍କା ଓ ଅଳଙ୍କାର ଜବତ କରାଯାଇ ଯୁବତୀଙ୍କୁ ହସ୍ତାନ୍ତର କରିଛି ପୁଲିସ । ବିଚରା ଯୁବତୀ କାନମୁଣ୍ଡା ଆଉଁସି ଘରକୁ ଫେରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons