ଉମରକୋଟ,(ବି.ବି.ନୁ୍ୟଜ୍): ଚାକିରି ଲୋଭ ଦେଖାଇ ଠକୁଥିଲେ । ବିଭିନ୍ନ ଗାଁର ଯୁବକଯୁବତୀଙ୍କୁ ଫସାଇ ଲକ୍ଷାଧିକ ଟଙ୍କା ନେଉଥିଲେ । ଶେଷରେ ପୁଲିସ ହାତରେ ଧରାପଡିଲେ ଦମ୍ପତି । ଦମ୍ପତି ସହ ଅନ୍ୟ ଜଣକୁ ମଧ୍ୟ ପୁଲିସ ଗିରଫ କଲା । ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ରବିବାର ଏହି ଘଟଣା ପର୍ଦ୍ଧାଫାସ୍ ହୋଇଛି । ଗିରଫ ଦମ୍ପତି ହେଲେ ଉମରକୋଟ ସହରର ରଞ୍ଜନା ବର୍ମା ଓ ତାଙ୍କ ସ୍ୱାମୀ ଆଶିଷ କୁମାର ପାତ୍ର ଓରଫ୍ ଲିଟୁ । ଅନ୍ୟ ଅଭିଯୁକ୍ତ ହେଲା ଅନୀଲ କୁମାର ବାନାର୍ଜୀ । ଏକ ସମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଏସ୍ପି ନୀତିନ୍ କୁଲଶେଖର ଏହି ସୂଚନା ଦେଇଛନ୍ତି । ଏମାନଙ୍କଠାରୁ ଗୋଟିଏ ଗାଡି(ନଂ-ଓଡି୦୫ଏଏଚ୭୫୪୩), ୩ ଟି ଲାପଟପ୍ ଓ ବିଭିନ୍ନ କାଗଜପତ୍ରକୁ ପୁଲିସ ଜବତ କରିଛି ।
ସୂଚନା ଅନୁସାରେ, ଉକ୍ତ ତିନି ଅଭିଯୁକ୍ତ ମାନବିକ ଅଧିକାର କମିଟି ନାମରେ ଏକ ସଂସ୍ଥା ଗଠନ କରିଥିଲେ । ଜିଲ୍ଲା ସଦର ମହକୁମାରେ ଏହାର କାର୍ଯ୍ୟାଳୟ ଖୋଲିଥିଲେ । ପ୍ରଥମେ ଏମାନେ ବିଭିନ୍ନ ଗ୍ରାମାଞ୍ଚଳକୁ ଗସ୍ତ କରୁଥିଲେ । ଇ-ସୁବିଧା ସଚେତନତା ନାମରେ ବିଭିନ୍ନ ସ୍ଥାନରେ ବୈଠକ କରୁଥିଲେ । ବୈଠକକୁ ସ୍ଥାନୀୟ ଅଞ୍ଚଳର ନାମକରା ବ୍ୟକ୍ତି, ସରକାରୀ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିଙ୍କୁ ଅତିଥିଭାବେ ନିମନ୍ତ୍ରଣ କରୁଥିଲେ । ଗାଁର ବେକାର ଯୁବକଯୁବତୀମାନଙ୍କୁ ଅଧିକ ସଂଖ୍ୟାରେ ଏଥିରେ ସାମିଲ କରୁଥିଲେ । ଏମାନଙ୍କୁ ଚାକିରି ଲୋଭ ଦେଖାଇ ଆରମ୍ଭ କରୁଥିଲେ ଠକେଇ । ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଉଥିଲେ । ପରେ ବିଭିନ୍ନ ଆଳ ଦେଖାଇ ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ । ଖାଲି ଚାକିରି ନୁହେଁ ବିଧାୟକ ସିଟ୍ରେ ଲଢିବାକୁ ମଧ୍ୟ ଯୁବକମାନଙ୍କୁ ପ୍ରଲୋଭିତ କରାଉଥିଲେ । ଦଳୀୟ ଟିକେଟ୍ ମିଳିବା ନେଇ ମଧ୍ୟ ଟଙ୍କା ଆଦାୟ କରୁଥିଲେ । ଏମାନଙ୍କ ଜାଲରେ ଫସି ସ୍ଥାନୀୟ ଚଚ୍ଚା ଗାଁର ଗୌତମ ପୂଜାରୀ ୧ ଲକ୍ଷ ୪୫ ହଜାର, କଚ୍ଚରାପାରର ଦଶମନ୍ତ କଲାର ୪୦ ହଜାର, ରାଇଘରର ରାଇନୁ ଗଣ୍ଡ ୪୦ ହଜାର, ସିଙ୍ଗାରୀର ପ୍ରେମଶିଳା ନାୟକ ୪୦ ହଜାର, ପବିତ୍ର ମହାଙ୍କୁଡ ୫୦ ହଜାର, ସୁକୁମନ୍ ଗଣ୍ଡ ୪୦ ହଜାର, ଲଳିତ କଲାର ୪୦ ହଜାର, ବିଦ୍ୟା ଦାସ ୫୦ ହଜାର, ଉମାକାନ୍ତ କଲାର ୪୦ ହଜାର ଓ ଜୟ ଖରା ୫୦ ହଜାର ଟଙ୍କା ଦେଇଥିଲେ ।
ଏମାନଙ୍କ ବ୍ୟତୀତ ଆହୁରି ଅନେକ ଯୁବକଯୁବତୀ ଚାକିରି ଆଶାରେ ଟଙ୍କା ଦେଇଥିଲେ । ଏହି ଚାକିରି ଆଶାୟୀଙ୍କୁ ଅଭିଯୁକ୍ତମାନେ ପ୍ରଥମେ ସିଲକ୍ ରିସର୍ଚ୍ଚ ପ୍ରାଇଭେଟ ଲିମିଟେଡ୍ ସଂସ୍ଥା ନାମରେ ନିଯୁକ୍ତି ପତ୍ର ଦେଇଥିଲେ । ଏଥିସହ ପ୍ରତି ଗାଁରୁ ମୁଣ୍ଡପିଛା ୩୦ ହଜାର ଟଙ୍କା ଲେଖାଏ ଆଦାୟ କରିଥିଲେ । ଏହି ଟଙ୍କାରେ ଲୋକଙ୍କୁ ଇ-ସୁବିଧା କାର୍ଡ ଯୋଗାଇ ଦେବାକୁ କହିଥିଲେ । ଏହି କାର୍ଡ ଜରିଆରେ ଲୋକେ ସରକାରଙ୍କ ବିଭିନ୍ନ ସୁବିଧା ପାଇପାରିବେ ବୋଲି ଅଭିଯୁକ୍ତମାନେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।
ଟଙ୍କା ଆଦାୟକୁ ନେଇ ଏକ ଖବର ‘ପ୍ରମେୟ’ରେ ମଧ୍ୟ ପ୍ରକାଶ ପାଇଥିଲା । ଆଉ କେତେକ ଚାକିରି ଆଶାୟୀ ଯୁବକଯୁବତୀ ଘରୁ ସୁନା ଗହଣା ଆଣି ବିକ୍ରିବଟା କରି ଟଙ୍କା ଦେଇଥିଲେ । ଏହି ଘଟଣାର କିଛି ଦିନ ପରେ ଯୁବକଯୁବତୀମାନେ ଚାକିରି ନପାଇ ତିନି ଅଭିଯୁକ୍ତଙ୍କୁ ଫୋନ କରିଥିଲେ । ତେବେ କେହି ଫୋନ ନଉଠାଇବାରୁ ଏମାନଙ୍କ ମନରେ ସନେ୍ଦହ ଉପୁଜି ଥିଲା । ଠକେଇର ଶିକାର ହୋଇଥିବା ନିଶ୍ଚିତ ହେବା ପରେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ସୁଯୋଗକୁ ଅପେକ୍ଷା କରି ରହିଥିଲା । ରବିବାର ଏହି ଗ୍ୟାଙ୍ଗ ନବରଙ୍ଗପୁର ଯିବା ସମୟରେ ଗୁଲିପାଟଣା ନିକଟରୁ ପୁଲିସ ଏମାନଙ୍କୁ କାବୁ କରିଥିଲା । ପଚରାଉଚରା ପରେ ନବରଙ୍ଗପୁରସ୍ଥିତ କାର୍ଯ୍ୟାଳୟକୁ ପୁଲିସ ସିଲ୍ କରିଥିବା ବେଳେ ଭୁବନେଶ୍ୱର ରସୁଲଗଡଠାରେ ଅନ୍ୟ ଏକ କାର୍ଯ୍ୟାଳୟ ଥିବା ଜଣାପଡିଛି ।
ଗାଁ ଲୋକଙ୍କ ମଧ୍ୟରେ ଥିବା ବିଭିନ୍ନ ଜମିଜମା ଗଣ୍ଡଗୋଳକୁ ମଧ୍ୟ ଏମାନେ ଜାତୀୟ ମାନବାଧିକାର ସିଟିଜେନ୍ କମିଟି ନାମରେ ମଧ୍ୟସ୍ଥତା କରୁଥିଲେ । ଅନୀଲ କମିଟିର ଅଧ୍ୟକ୍ଷ ଓ ରଞ୍ଜନା ଉପାଧ୍ୟକ୍ଷା ଥିଲେ । ଏହି ଘଟଣା ପରେ ସ୍ଥାନୀୟ ଲୋକେ କହିଛନ୍ତି, ତିନି ବର୍ଷ ତଳେ ଅଭିଯୁକ୍ତମାନଙ୍କ ପାଖରେ ମୋଟର ସାଇକେଲ ଖଣ୍ଡେ ନଥିଲା । ଏବେ ଏମାନଙ୍କ ପାଖରେ ଲକ୍ଷାଧିକ ଟଙ୍କାର ଘର ରହିଛି । ଏମାନଙ୍କ ପିଲାମାନେ ଭୁବନେଶ୍ୱରର ନାମୀଦାମୀ ଅନୁÂାନରେ ପାଠ ପଢିବା ସହ ଚାରି ଚକିଆ ଗାଡି ଧରି ବୁଲୁଛନ୍ତି ।
Comments are closed, but trackbacks and pingbacks are open.