ଖୋର୍ଦ୍ଧା,(ବି.ବି.ନୁ୍ୟଜ୍): ସେସୁକୁ ଟାଟା ପାୱାର ଅଧିଗ୍ରହଣ କରିବା ପରେ କୌଣସି ସେସୁ କର୍ମଚାରୀଙ୍କ ଚାକିରି ଯିବନି ବୋଲି ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଦେଇଥିବା ପ୍ରତିଶ୍ରୁତି ମିଥ୍ୟା ପ୍ରମାଣିତ ହୋଇଛି । ଜୁନ୍ ୧ ତାରିଖରେ ଟାଟା ପାୱାର ସେସୁ ଅଧିଗ୍ରହଣ କରିବା ପରଠାରୁ ପ୍ରାୟ ୭ ହଜାର କର୍ମଚାରୀ ଚାକିରି ହରାଇ ସାରିଥିବା ଅଭିଯୋଗ ହୋଇଛି । ବିଭିନ୍ନ ଫାଞ୍ଚାଇଜ୍ ଅଧୀନରେ କାମ କରୁଥିବା ୬ ହଜାର ୭୦୦ କର୍ମଚାରୀଙ୍କୁ କାମରୁ ଛଟେଇ କରାଯାଇଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ୨୦୦୮ ମସିହାରୁ ଫାଇଲିନ୍, ହୁଡହୁଡ୍, ଫନି ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ କାମ କରି ଆସୁଥିବା ଏହି କର୍ମଚାରୀଙ୍କୁ ଏବେ ହଠାତ୍ କାମରୁ ହଟାଇ ଦିଆଯାଇଛି । ହେଲେ ଏବେ ମହାମାରୀ ସମୟରେ ସରକାରଙ୍କ ଏକରି ପଦକ୍ଷେପକୁ ତୀବ୍ର ନିନ୍ଦା କରିଛି ଓଡ଼ିଶା ପାୱାର ଡିଷ୍ଟିବୁ୍ୟସନ ଫାଞ୍ଚାଇଜ୍ ସଂଘ । ଖୋର୍ଦ୍ଧାର ବରୁଣେଇରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତିନିଧିମାନେ ଯୋଗଦେଇ ଏପରି ଛଟେଇ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କରୋନା ମହାମାରୀ ସମୟରେ ସରକାର କିଭଳି କର୍ମଚାରୀଙ୍କୁ ଛଟେଇ କରିବାକୁ ଅନୁମତି ଦେଲେ, ତାକୁ ନେଇ ସଂଘ ପ୍ରଶ୍ନ କରିଛି । ପୂର୍ବରୁ କୌଣସି କର୍ମଚାରୀଙ୍କ ଚାକିରି ଯିବନି ପ୍ରତିଶ୍ରୁତି ଦେଉଥିବା ସରକାରଙ୍କ ଦୋମୁହାଁ ନୀତିକୁ ଏବେ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଉଛି । ତେବେ ଏନେଇ ଟାଟା ପାୱାର ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
Comments are closed, but trackbacks and pingbacks are open.