ବାଲେଶ୍ୱର,(ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ବହୁ ଚର୍ଚ୍ଚିତ ଈଶ୍ୱର ବେହେରା ଘଟଣାର ପୁନରାବୃତ୍ତି ଘଟିଛି । ବିଦେଶୀ ସଂସ୍ଥାକୁ ପ୍ରତିରକ୍ଷା ତଥ୍ୟ ଦେବା ଅଭିଯୋଗରେ ବାଲେଶ୍ୱର ପୁଲିସ୍ ସେଠାରେ କାର୍ଯ୍ୟରତ ୪ ଜଣ ଠିକା କର୍ମଚାରୀଙ୍କୁ ଗିରଫ କରିଛି । ଗିରଫ ଠିକା କର୍ମଚାରୀମାନେ ହେଲେ ବସନ୍ତ ବେହେରା, ପ୍ରକାଶ ବେହେରା, ସେକ୍ ମୁଶାକ । ଅନ୍ୟ ଜଣଙ୍କ ନାମ ଜଣାପଡ଼ିନାହିଁ । ଗିରଫ ସମସ୍ତ ବ୍ୟକ୍ତିଙ୍କ ଘର ଚାନ୍ଦିପୁର ନିକଟସ୍ଥ ଝାମ୍ପୁରା ହାଟ ଅଞ୍ଚଳରେ । ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ବସନ୍ତ ଲଞ୍ଚ ପ୍ୟାଡ୍-୩ରେ ଏସି ଅପରେଟର ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ୨୦୧୫ ଜାନୁଆରୀରେ ସମାନ ଅଭିଯୋଗରେ ଡିଆରଡିଓର କ୍ୟାମେରା ମ୍ୟାନ୍ ଭାବେ କାମ କରୁଥିବା ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକର ଈଶ୍ୱର ବେହେରାକୁ ଗିରଫ କରାଯାଇଥିଲା । ଈଶ୍ୱର କ୍ଷେପଣାସ୍ତ୍ର ପରୀକ୍ଷଣ ଉପରେ ବିଦେଶୀ ଗୁପ୍ତଚର ଏଜେନ୍ସିକୁ ତଥ୍ୟ ପ୍ରଦାନ କରିଥିବା ନେଇ ପ୍ରମାଣ ମିଳିବା ପରେ ଗତ ଫେବ୍ରୁଆରୀରେ ତାକୁ ଆଜୀବନ କାରାଦଣ୍ଡ ହୋଇଥିଲା । ଏଭଳି ଘଟଣା ବାରମ୍ବାର ଘଟିବା ପରେ ଏବେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି ।
ସୂଚନା ମୁତାବକ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ପ୍ରତିରକ୍ଷା ତଥ୍ୟ ଚୋରି ହେଉଥିବା ଖବର କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ପକ୍ଷରୁ ରାଜ୍ୟ ଗୁଇନ୍ଦା ସଂସ୍ଥାକୁ ସୂଚନା ମିଳିଥିଲା । ପରେ ଏଠାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଉପରେ ସତର୍କ ନଜର ରଖାଯାଇଥିଲା । ତେବେ ବସନ୍ତଙ୍କ ନିକଟକୁ ଇଣ୍ଟରନ୍ୟାସନାଲ୍ କଲ୍ ଆସୁଥିବା ଏବଂ ସେ ମଧ୍ୟ ଦେଶ ବାହାରକୁ କଲ୍ କରୁଥିବା ଗୁଇନ୍ଦା ବିଭାଗ ଟ୍ରାକ୍ କରିଥିଲା । କେବଳ ବସନ୍ତ ନୁହେଁ ସେଠାରେ କାମ କରୁଥିବା ଅନ୍ୟ ୩ ଜଣଙ୍କ ମୋବାଇଲକୁ ମଧ୍ୟ ଇଣ୍ଟରନ୍ୟାସନାଲ କଲ୍ ଆସୁଥିଲା । ସେମାନେ ମଧ୍ୟ ସେହିସବୁ ନମ୍ବରରେ ବାରମ୍ବାର କଲ୍ କରିଥିଲେ । ପାକିସ୍ତାନକୁ ଲାଗି ରାଜସ୍ଥାନ ସୀମା ନିକଟରୁ ଏହି ଇଣ୍ଟରନ୍ୟାସନାଲ୍ କଲ୍ ଆସୁଥିଲା । ଏହି ଫୋନ୍ କଲ୍ ମାଧ୍ୟମରେ ବସନ୍ତ ପଡେ଼ାଶୀ ପାକିସ୍ତାନ ଏଜେଣ୍ଟଙ୍କୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ପ୍ରଦାନ କରୁଥିବା ଗୁଇନ୍ଦା ବିଭାଗ ସନେ୍ଦହ କରିଥିଲା । ବିଭାଗ ଏ ସମ୍ପର୍କରେ ବାଲେଶ୍ୱର ପୁଲିସ୍କୁ ଅବଗତ କରିଥିଲା । ରାଜ୍ୟ ଗୁଇନ୍ଦା ବିଭାଗ ତଥ୍ୟ ମୁତାବକ ପୂର୍ବାଞ୍ଚଳ ଡିଆଇଜି ହିମାଂଶୁ ଲାଲ, ବାଲେଶ୍ୱର ଏସ୍ପି ସୁଧାଂଶୁ ଶେଖର ମିଶ୍ରଙ୍କ ନିଦେ୍ର୍ଧଶରେ ଚାନ୍ଦିପୁର ପୁଲିସ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ସୋମବାର ରାତିଅଧିଆ ଚଢ଼ଉ କରି ୫ ଜଣଙ୍କୁ ଉଠାଇ ଆଣିଥିଲା । ତେବେ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ଜଣକୁ ଛଡ଼ାଯାଇଥିଲା ।
ଚାନ୍ଦିପୁର ଆଇଟିଆର ୩ ନମ୍ବର ଲଞ୍ଚ ପ୍ୟାଡ୍ରେ ପୃଥ୍ୱୀ, ଅଗ୍ନୀ ଭଳି କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଥାଏ । ଯାହା ଦେଶର ଅନ୍ୟ କେଉଁଠି ପରୀକ୍ଷଣ କରାଯାଏନି । ଏହି ସବୁ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହେତୁ ବିଶ୍ୱ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ନିଜର ସ୍ୱତନ୍ତ୍ରତା ବଜୟ ରଖିଛି । ଏହି ପରୀକ୍ଷା ଜ୍ଞାନ କୌଶଳର ତଥ୍ୟ ହାସଲ ପାଇଁ ପଡେ଼ାଶୀ ପାକିସ୍ତାନ ସମେତ ଅନ୍ୟ ରାଷ୍ଟ୍ର ଭାରତ ଉପରେ ନଜର ରଖିଥା’ନ୍ତି । ତେବେ ଅଟକ ୪ କର୍ମଚାରୀ ଯଦି ଏହି ତଥ୍ୟ ପ୍ରଦାନ କରିଥିବେ³ ତେବେ ଆଗାମୀ ଦିନରେ ପ୍ରତିରକ୍ଷା ବିଭାଗର ବହୁତ କ୍ଷତି ହେବା ଆଶଙ୍କା କରାଯାଉଛି ।
ଏନେଇ ବାଲେଶ୍ୱର ପୁଲିସ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ସହ ଆଲୋଚନା କରାଯାଇଥିଲା । ତାଙ୍କ କହିବା କଥା³ ଏହି ଘଟଣାରେ କେବଳ ଏହି ୪ଜଣ ନୁହଁନ୍ତି, ଆହୁରି କିଛି କର୍ମଚାରୀଙ୍କ ସମ୍ପୃକ୍ତି ଥିବା ସନେ୍ଦହ କରାଯାଉଛି । ଗିରଫ କର୍ମଚାରୀଙ୍କୁ ପୃଥକ ଭାବେ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା ଚାଲିଛି । ଏବେ ବି ତଦନ୍ତ ଶେଷ ହୋଇନି । ତଦନ୍ତ ସରିବା ପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସବିଶେଷ ସୂଚନା ଦିଆଯିବ ବୋଲି ସେ କହିଥିଲେ । ତେବେ ଏହି ଘଟଣାରେ ଚାନ୍ଦିପୁର ଥାନାରେ କେସ ନଂ ୭୬/୨୧ରେ ମାମଲା ରୁଜୁ ହୋଇଛି । ସେମାନଙ୍କ ବିରୋଧରେ ୟୁ/ଏସ୍ ୧୨୦-ବି/୧୨୧-ଏ/୩୪ ଆଇପିସି, ଆର/ଡବ୍ଲୁ୍ୟ ଧାରା ୩, ୪, ୫ ଅଫିସିଆଲ ତଥ୍ୟ ଦେବା ଅଭିଯୋଗ ଧାରା ଲଗାଯାଇଛି ।
ସୂଚନା ଥାଉକି, ସମାନ ଅଭିଯୋଗରେ ଡିଆରଡିଓର କ୍ୟାମେରା ମ୍ୟାନ ଭାବେ କାମ କରୁଥିବା ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ କଣ୍ଟିପୁର ଅଞ୍ଚଳର ଈଶ୍ୱର ବେହେରା ଗିରଫ ହୋଇଥିଲା । ସେ ବିଦେଶୀ ଗୁପ୍ତଚରଙ୍କୁ ଆଇଟିଆର ସମ୍ବନ୍ଧରେ ତଥ୍ୟ ଲିକ୍ କରୁଥିବା ନେଇ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ରାଜ୍ୟ ଗୁଇନ୍ଦା ବିଭାଗକୁ ଅବଗତ କରିଥିଲା । ପରେ ତା’ ଗତିବିଧି ଉପରେ ନଜର ରଖିବାକୁ ନିଦେ୍ର୍ଧଶ ମିଳିଥିଲା । ଈଶ୍ୱର କ୍ଷେପଣାସ୍ତ୍ର ପରୀକ୍ଷଣ ଉପରେ ବିଦେଶୀ ଗୁପ୍ତଚର ଏଜେନ୍ସିକୁ ତଥ୍ୟ ପ୍ରଦାନ କରିଥିବାର ସମସ୍ତ ପ୍ରମାଣ ମିଳିବା ପରେ ୨୦୧୫ ଜାନୁଆରୀ ୨୪ ତାରିଖରେ ଗିରଫ ହୋଇଥିଲା । ଏହି ଅଭିଯୋଗରେ ତା’ ବିରୋଧରେ ଚାନ୍ଦିପୁର ଥାନାରେ ନଂ୬/୧୫, କ୍ରାଇମବ୍ରାଞ୍ଚରେ ନଂ ୨/୧୫ ମାମଲା ରୁଜୁ କରାଯାଇଥିଲା ।
ଉପରୋକ୍ତ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା । ତଦନ୍ତରେ ଈଶ୍ୱରଙ୍କ ଆକାଉଣ୍ଟକୁ ମୁମ୍ବାଇ, ଆବୁଧାବି, ମିରଟ, ଆନ୍ଧ୍ରପ୍ରଦେଶ, ବିହାର ଆଦି ସ୍ଥାନରୁ ଇଣ୍ଟରନେଟ ବ୍ୟାଙ୍କିଂ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର ହୋଇଥିବା ପ୍ରମାଣ ମିଳିଥିଲା । ପରେ ଚାନ୍ଦିପୁର ପୁଲିସ ଧାରା ୧୨୧, ୧୨୧-ଏ, ୧୨୧-ବି, ୩, ୫ରେ ମାମଲା ରୁଜୁ କରି ଈଶ୍ୱରକୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା । ତଦନ୍ତ ବେଳେ ଈଶ୍ୱର ୯ ଅଙ୍କ ବିଶିଷ୍ଟ ଏକ କଲରେ ଆଇଏସଆଇ ଏଜେଣ୍ଟ ସହ କଥାବାର୍ତ୍ତା ହେଉଥିବା ଜଣାପଡ଼ିଥିଲା । ବିଶେଷତଃ ତା’ର ୬୬୬ ସେକେଣ୍ଡର ଥିବା ଏକ ଭଏସ ରେକର୍ଡ ସାମ୍ପଲ୍ ସାଇଣ୍ଟଫିକ୍ ଲ୍ୟାବ୍କୁ ଯାଇଥିଲ । ଏହା ଈଶ୍ୱରର ବୋଲି ପ୍ରମାଣ ମିଳିଥିଲା । ସେଥିରେ ଟିଭି ସହ ଅନ୍ୟ ଘରୋଇ ସାମଗ୍ରୀ କିଣିବା ପାଇଁ ସେ ଟଙ୍କା ମାଗୁଥିଲା । ଟଙ୍କା ପ୍ରତିବଦଳରେ ସେ ଆଇଏସଆଇ ଏଜେଣ୍ଟକୁ ଚାନ୍ଦିପୁରରେ କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ସମସ୍ତ ତଥ୍ୟ ଜଣାଉଥିଲା । ସେ ଏନେଇ ମିରଟରେ ରହୁଥିବା ପାକିସ୍ତାନ ଗୋଇନ୍ଦା ସସ୍ଥା ଆଇଏସ୍ଆଇର ଅଶିଫ ଅଲ୍ଲୀ ସହ ଯୋଗାଯୋଗରେ ରହୁଥିବା ପ୍ରମାଣ ମିଳିଥିଲା । ଏହି ଘଟଣାର ବିଚାର କରି ଈଶ୍ୱରକୁ ଚଳିତ ବର୍ଷ ଫେବ୍ରୁଆରୀ ୧୧ ତାରିଖରେ ଏଡିଜେଏମ୍ ବିଚାରପତି ଗିରିଜା ଶଙ୍କର ମହାପାତ୍ର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।
ଏଭଳି ଘଟଣା ବାରମ୍ବାର ଘଟିବା ପରେ ଏବେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି । ହୁଗୁଳା ସୁରକ୍ଷା ବ୍ୟବସ୍ଥା ପାଇଁ ଏଭଳି ସବୁ ଘଟଣା ଘଟୁଥିବା ଅବସରପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀମାନେ ପ୍ରତିକ୍ରିୟାରେ କହିଛନ୍ତି । ସେମାନଙ୍କ କହିବା କଥା³ ପୂର୍ବରୁ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରେ କାର୍ଯ୍ୟରତ ସ୍ଥାୟୀ କର୍ମଚାରୀଙ୍କୁ ଭିତରକୁ ମୋବାଇଲ, କ୍ୟାମେରା ଅନୁମତି ବାରଣ ଥିଲା । ଠିକା କର୍ମଚାରୀମାନଙ୍କ ପାଇଁ ଏହି ନିୟମ ଆହୁରି କଡ଼ାକଡ଼ି କରାଯାଉଥିଲା । ଏବେ ଢିଲା ସୁରକ୍ଷା ବ୍ୟବସ୍ଥା ପାଇଁ କାର୍ଯ୍ୟରତ ଠିକା କର୍ମଚାରୀ ଭିତରକୁ ମୋବାଇଲ, କ୍ୟାମେରା ନେଉଛନ୍ତି । ଏମିତିକି ପରୀକ୍ଷଣ ବେଳେ ବେଆଇନ ଭାବେ ଭିଡିଓ ସୁଟିଂ କରିବା ସହ ଫଟୋ ଉଠାଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଛନ୍ତି । ପ୍ରତିରକ୍ଷା ବିଭାଗର ଉଚ୍ଚପଦସ୍ଥ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଏଭଳି ଘଟଣା ଘଟୁଥିବା ସେମାନେ ଅଭିଯୋଗ କରିଛନ୍ତି ।
Comments are closed, but trackbacks and pingbacks are open.