ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଗୋଟିଏ ପଟେ ପ୍ରାଣଘାତୀ କୋଭିଡ୍ ଭୟ । ଆଉ ଗୋଟିଏ ପଟେ ମୃତୁ୍ୟ ସହ ଲଢ଼ୁଥିବା ରୋଗୀଙ୍କୁ ବଞ୍ଚାଇବାର ଗୁରୁ ଦାୟିତ୍ୱ । ଘର, ପରିବାରଠୁ ଦୂରରେ ରହି ଏସବୁ ତୁଲାଇବା ଏତେ ସହଜ କଥା ନୁହେଁ । ତଥାପି ଦାୟିତ୍ୱ ତୁଲାଇବାକୁ ହେବ । ତାହା ପୁଣି ମାନସିକ ସନ୍ତୁଳନ ରକ୍ଷା କରି । ଏଥିପାଇଁ ଦରକାର କିଛି ସେକେଣ୍ଡର ମସ୍ତି । ତା’ ପରେ ପୁର୍ନବାର କାମ । କାର୍ତ୍ତବ୍ୟ କରିବାକୁ ହେବ । ଆଜି ସେମିତି ଜଣେ କୋଭିଡ୍ ଯୋଦ୍ଧା ଭୁବନେଶ୍ୱର ଏମ୍ସର ଡାକ୍ତର ସୌରଭ ପାଣିଗ୍ରାହୀ । ଯିଏ କିଛି ସେକେଣ୍ଡର ହାଲ୍କା ମନୋରଞ୍ଜନ କରି ନିଜର ମାନସିକ ଚାପକୁ ଦୂରେଇଛନ୍ତି । କିନ୍ତୁ ସାରା ରାଜ୍ୟରେ ଚର୍ଚ୍ଚାରେ ରହିଛନ୍ତି । ଯାହାଙ୍କୁ ସାଲୁ୍ୟଟ୍ କରୁଛି ସମଗ୍ର ଓଡ଼ିଶା । ଚାପମୁକ୍ତ ହେବାକୁ ପିପିଇ କିଟ୍ ପିନ୍ଧି ସେ ହସ୍ପିଟାଲ୍ ଡାକ୍ତର ରୁମ୍ରେ ନାଚିଛନ୍ତି । ଲକିଂ, ପପିଂ ଡ୍ୟାନ୍ସ କରି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛନ୍ତି । ଅନ୍ୟମାନଙ୍କୁ ଉତ୍ସାହିତ କରିବା ସହ ପ୍ରଶଂସା ପାଇଛନ୍ତି । ଏହାକୁ ଯିଏ ଦେଖିଛି ସିଏ ତାଙ୍କୁ ପ୍ରଶଂସା ନକରି ରହିପାରିନି । ତାଙ୍କର କିଛି ସେକେଣ୍ଡ ଏହି ନାଚର ଭିଡିଓ ଖୁବ୍ କମ ସମୟ ମଧ୍ୟରେ ହଜାର ହଜାର ଦର୍ଶକଙ୍କ ପାଖରେ ପହଞ୍ଚିଯାଇଛି ।
ଡାକ୍ତର ପାଣିଗ୍ରାହୀ କହିଛନ୍ତି, ଡୁ୍ୟଟି ସମୟ ବହୁତ କଷ୍ଟ । ଦୀର୍ଘ ୪ମାସ ହେଇଯିବ ଘରକୁ ଯାଇନି । ବରଗଡ଼ ପଦମପୁରରେ ବାପା ଏବଂ ଭାଇ ରହୁଛନ୍ତି । ପ୍ରତିଦିନ ସେମାନଙ୍କ ସହ କେବଳ ଫୋନ୍ରେ କଥା ହେଉଛି । ୮ରୁ ୧୦ ଘଣ୍ଟା ଡୁ୍ୟଟି । ନିତିଦିନିଆ କାମ ହିସାବରେ କରିବାକୁ ପଡ଼ୁଛି । ଅଧିକାଂଶ ସମୟ ଆଇସିୟୁ ଏବଂ ଜରୁରୀକାଳୀନ ସେବା କେନ୍ଦ୍ରରେ କଟୁଛି । କାମ ସରିଲେ ବାକି ସମୟ କ୍ୟାମ୍ପସ୍ ଭିତରେ ଥିବା ରୁମ୍ରେ । ଯେବେଠୁ ମହାମାରୀ କରୋନା ଡୁ୍ୟଟି ସେବେଠୁ ସବୁକିଛି ଭୁଲିଯାଇଛୁ । ମନରେ ବିଶ୍ୱାସ ଏବଂ ଭଗବାନଙ୍କ ଉପରେ ଭରସା ରଖି ଚାଲିଛୁ । ଦିନରାତି ପିପିଇ କିଟ୍ ପିନ୍ଧି ପରିସ୍ଥିତିକୁ ମୁକାବିଲା କରିବାକୁ ପଡ଼ୁଛି । ଯିଏ ସାମ୍ନାରେ ଲଢ଼ୁଛି ସେ ଜାଣିଛି । ଏଭଳି ସମୟରେ ମନର ସ୍ଥିତି କେମିତି ଥିବ ଅନୁମାନ କରିପାରୁଥିବେ । ସେଇ ଭିତରେ ନିଜକୁ ଚାପମୁକ୍ତ କରିବାକୁ ଚେଷ୍ଟା କରି ନାଚି ଦେଇଥିଲି । ଜାଣି ବି ନଥିଲି ଏହା ଏତେ ଲୋକଙ୍କ ପାଖରେ ପହଞ୍ଚିଯିବ । ନିଜକୁ ଶାନ୍ତି, ମନକୁ ହାଲ୍କା, ଚାପ କମାଇବା ଏବଂ ଶାରୀରିକ ବ୍ୟାୟାମ ଛଡ଼ା ଏହାର ଅନ୍ୟ ଊଦେ୍ଧଶ୍ୟ କିଛି ନାହିଁ ।
ମନରେ ଭୟ ଥିଲେ ବି ପିପିଇ ପିନ୍ଧିଲା ପରେ କେବଳ ସେବା ଛଡ଼ା ମନକୁ ଆଉ କିଛି ଆସେନା ବୋଲି ଡାକ୍ତର ପାଣିଗ୍ରାହୀ କହିଛନ୍ତି । ଏକାମାତ୍ର ଲକ୍ଷ୍ୟ କରୋନାକୁ ଜିତିବା । ଯେତେ ଅଧିକ ରୋଗୀ ଭଲ ହୋଇ ଘରକୁ ଯିବେ ସେତେ ଅଧିକ ଖୁସି ମିଳେ । ଆମେ ଆମର କର୍ତ୍ତବ୍ୟ କରୁଛୁ । ନିୟମ ଅନୁସାରେ ଯାହା ଚିକିତ୍ସା ପଦ୍ଧତି ରହିଛି କରୁଛୁ । କେବଳ ଏତିକି କହିବି, ‘ଘରେ ରୁହନ୍ତୁ, ସତର୍କ ରୁହନ୍ତୁ’ । ସରକାରଙ୍କ କଟକଣା ଓ କୋଭିଡ୍-୧୯ ନିୟମକୁ ପାଳନ କରନ୍ତୁ । ଏହା ଆପଣଙ୍କୁ ଏବଂ ସମାଜକୁ ସୁରକ୍ଷିତ ରଖିପାରିବ । କୋଭିଡ୍ ଯୋଦ୍ଧାମାନଙ୍କୁ ସହଯୋଗ କରନ୍ତୁ, ସମର୍ଥନ ଦିଅନ୍ତୁ । ଆଶ ଏବଂ ବିଶ୍ୱାସ ଆମେ ନିଶ୍ଚିତ ଜିତିବା, କରୋନା ହାରିବ ।
ଡାକ୍ତର ପାଣିଗ୍ରାହୀ ୨୦୧୨ରେ ଏମ୍ବିବିଏସ୍ ପାସ୍ କଲେ । ବୁର୍ଲାରେ ଆନାସ୍ଥେସିଆରେ ପିଜି ପାସ୍ କରି ୨୦୧୭ରେ ଡାକ୍ତର ଭାବେ କାର୍ଯ୍ୟରେ ଯୋଗଦେଲେ । ଗତ ଅଢେ଼ଇ ବର୍ଷ ହେଲା ଭୁବନେଶ୍ୱର ଏମ୍ସରେ ଆନାସ୍ଥେସିଆ ବିଭାଗରେ ରୋଗୀ ସେବା କରି ଆସୁଛନ୍ତି । ଏହି ଅବସରରେ ଡାକ୍ତର ପାଣିଗ୍ରାହୀ କହିଛନ୍ତି, ମୁଁ ପ୍ରଥମରୁ ଏମ୍ସରେ କାମ କରି ଆସୁଛି । ବହୁତ ସମର୍ଥନ ମିଳୁଛି । ଏଠାକାର ସମସ୍ତ ପ୍ରଶାସନିକ ଅଧିକାରୀ, ଡାକ୍ତର, କର୍ମଚାରୀ ସମସ୍ତଙ୍କ ସହଯୋଗ ଓ ପୂର୍ଣ୍ଣ ବିଶ୍ୱାସରେ ଆଗେଇ ଚାଲିଛୁ ।


Comments are closed, but trackbacks and pingbacks are open.