
ଫୁଲବାଣୀ, (ବି.ବି.ନୁ୍ୟଜ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ବେଲକଟି ଗ୍ରାମରେ ବୁଧବାର ଘଟିଛିି ଏକ ଅଭାବନୀୟ ଘଟଣା । ବନ୍ଦ ହୋଇଯାଇଥିବା ଏକ ପୁରୁଣା ସ୍କୁଲ ଘରର ଲୁହା ଗ୍ରୀଲ୍ ତଳେ ଚାପି ହୋଇ ଜଣେ ୮ ବର୍ଷ ନାବାଳିକାଙ୍କ ମୃତୁ୍ୟ ହୋଇଛି । ମୃତା ନାବାଳିକା ହେଲେ ଆଡ଼ାସିକୁପା ଗ୍ରାମର ସଞ୍ଜିବ ପ୍ରଧାନଙ୍କ ଝିଅ ରିଶିକା ପ୍ରଧାନ ।
ସୂଚନା ଅନୁଯାୟୀ, ସମ୍ପୃକ୍ତ ବିଦ୍ୟାଳୟରେ କମ୍ ଛାତ୍ରଛାତ୍ରୀ ଥିବାରୁ କିଛିଦିନ ତଳେ ତାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା । ତେବେ ଆଜି ସେହି ବିଦ୍ୟାଲୟ ନିକଟରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିଲା । ଏ ସମୟରେ ଗ୍ରାମର କେତେକ ଛୋଟ ପିଲା ବିଦ୍ୟାଳୟ ପ୍ରାଙ୍ଗଣରେ ଖେଳୁଥିଲେ । ସେ ସମୟରେ ଦୁର୍ବଳ ଅବସ୍ଥାରେ ଥିବା ସ୍କୁଲର ଲୁହା ଫାଟକ ସମେତ ସିମେଣ୍ଟ୍ ପିଲର ପିଲାମାନଙ୍କ ଉପରେ ଭାଙ୍ଗି ପଡ଼ିଥିଲା । ପିଲର ତଳେ ଚାପି ହୋଇ ରହିଯାଇଥିଲେ ରିଷିକା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଜି.ଉଦୟଗିରି ଡାକ୍ତରଖାନାକୁ ନେଇଥିଲେ । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଥିଲା । ଏହି ଦୁର୍ଘଟଣାରେ ଅନ୍ୟ ଦୁଇଜଣ ନାବାଳିକା ଆହତ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି ।


Comments are closed, but trackbacks and pingbacks are open.