ଜେକେପୁର,(ବି.ବି.ନୁ୍ୟଜ୍): ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ସାନ ଚାନ୍ଦିଲି ଗାଁରେ ଜ୍ୱର ଆତଙ୍କ । ଗତ ୪ ଦିନରେ ୪ଜଣଙ୍କ ଜୀବନ ଗଲାଣି । ଏବେବି ଗାଁରେ ୪୦ରୁ ଅଧିକ ଲୋକ ଆକ୍ରାନ୍ତ ଅଛନ୍ତି । ପ୍ରାଣ ହରାଇଥିବା ୪ଜଣ ହେଲେ ସଂଯୁକ୍ତା କୁମାର, ପଞ୍ଚମୀ ଦୀପ, ରାଧିକା ନାଏକ ଓ ସୀମାଦ୍ରୀ ସିଂ । ଏହି ଘଟଣା ପରେ ଡାକ୍ତର ସୁଭଦ୍ରା ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଗାଁରେ ପହଞ୍ଚି ଜ୍ୱର ବ୍ୟାପିବାର କାରଣ ଖୋଜୁଛି । ଆକ୍ରାନ୍ତମାନଙ୍କ ଚିକିତ୍ସା କରିଛି । ଜ୍ୱରରେ ପୀଡିତ ଥିବା ଲୋକଙ୍କୁ ଔଷଧ ପ୍ରଦାନ କରାଯାଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରାଣ ହରାଇଥିବା ୪ଜଣଙ୍କୁ ପ୍ରଥମେ ଜ୍ୱର ହୋଇଥିଲା । ସେମାନେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନଯାଇ କ୍ୱାକ୍ ଏବଂ ଔଷଧ ଦୋକାନୀଙ୍କ ପରାମର୍ଶକ୍ରମେ ଔଷଧ ଖାଇଥିଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବା ପରେ ପରିବାର ପକ୍ଷରୁ ସେମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ରକ୍ତ ପରୀକ୍ଷା ପରେ ସେମାନଙ୍କ ଦେହରେ ପ୍ଲେଟ୍ଲେଟ୍ କମିଯାଇଥିବା ଜଣାପଡିଥିଲା । ପ୍ରଥମେ ରାଧିକାଙ୍କୁ ଏଠାରୁ ବ୍ରହ୍ମପୁର ବଡ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତ ୪ ତାରିଖରେ ତାଙ୍କର ମୃତୁ୍ୟ ହୋଇଥିଲା । ସେହିପରି ୫ ତାରିଖରେ ପ୍ରାଣ ହରାଇଥିଲେ ସଂଯୁକ୍ତା । ବ୍ରହ୍ମପୁର ନିଆଯିବା ବାଟରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ସେହି ୫ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସୀମାଦ୍ରିଙ୍କୁ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ବେଳେ ତାଙ୍କର ମଧ୍ୟ ବାଟରେ ମୃତୁ୍ୟ ହୋଇଥିଲା । ୭ ତାରିଖରେ ଜିଲ୍ଲା ହସ୍ପିଟାଲ୍ରେ ଆଖି ବୁଜିଥିଲେ ପଞ୍ଜମୀ ।
ସାନଚାନ୍ଦିଲି ଗାଁରେ ଗତ ୪ ଦିନରେ ୪ଜଣଙ୍କ ମୃତୁ୍ୟ ପରେ ପହଞ୍ଚିଛି ଡାକ୍ତରୀ ଟିମ୍ । ସେମାନେ ଘର ଘର ବୁଲି ଜ୍ୱରର କାରଣ ଖୋଜିବା ସହ ରକ୍ତ ନମୁନା ସଂଗ୍ରହ କରିଥିବା ଜଣାପଡିଛି । ଘର ଚାରିପାଶ୍ୱର୍ରେ ପଡିଥିବା ଆବର୍ଜନା ଏବଂ ବିଭିନ୍ନ ସ୍ଥାନରେ ଜମିଥିବା ପାଣିକୁ ତୁରନ୍ତ ସଫା କରିବା ଲାଗି ପରାମର୍ଶ ଦେଇଛନ୍ତି । ଡାକ୍ତର ସୁଭଦ୍ରା କହିଛନ୍ତି, ୪ଜଣଙ୍କ ମଧ୍ୟରୁ ଜଣେ ଜଣ୍ଡିସ୍ରେ, ଜଣେ ଟାଇଫଏଡ୍ରେ ଏବଂ ଅନ୍ୟ ୨ଜଣ ଚିକେନ୍ ଗୁନିଆରେ ପ୍ଲେଟ୍ଲେଟ୍ କମିବା କାରଣରୁ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ ଗାଁ ଲୋକେ ଅଭିଯୋଗ କରିଛନ୍ତି ଯେ, ଠିକ୍ ସମୟରେ ସେମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇପାରୁନାହିଁ । ସ୍ୱାସ୍ଥ୍ୟକର୍ମୀ ଏବଂ ଅଙ୍ଗନବାଡି କର୍ମୀଙ୍କ ଦେଖା ମିଳୁନାହିଁ । ଚାନ୍ଦିଲି ପଞ୍ଚାୟତରେ ପ୍ରାୟ ୨୨ ହଜାର ଲୋକ ରହୁଛନ୍ତି । ଏହାକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ଲୋକଙ୍କ ଚିକିତ୍ସା ଲାଗି ଅତ୍ୟାଧୁନିକ ଡାକ୍ତରଖାନା ସୁବିଧା କରିବା ଦରକାର ।
Comments are closed, but trackbacks and pingbacks are open.