ବାଙ୍ଗିରିପୋଷି/ମୋରଡ଼ା/ଗୋପବନ୍ଧୁନଗର,(ବି.ବି.ନୁ୍ୟଜ୍): ମୟୂରଭଞ୍ଜ ଜିଲ୍ଲାର ପୃଥକ ପୃଥକ ସ୍ଥାନରେ ୪ଟି ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତୁ୍ୟ ହୋଇଥିବା ୬ ଜଣ ଗୁରୁତର ହୋଇଛନ୍ତି । ବାଙ୍ଗିରିପୋଷି ଦ୍ୱାରଶୁଣୀ ଘାଟିରେ ଏକ ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତୁ୍ୟ ହୋଇଛି । ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି । ମୋରଡ଼ା ଥାନା ଅନ୍ତର୍ଗତ ମୋରଡ଼ା-ବାଘଡ଼ା ରାସ୍ତାରେ ଏକ ଗଛରେ ପିଟି ହୋଇ ଓଲଟିବା ଫଳରେ ଟ୍ରକ୍ରେ ଥିବା ୨ ଜଣ ଶ୍ରମିକଙ୍କ ମୃତୁ୍ୟ ହୋଇଛି । ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି । ସେହିପରି ଗୋପବନ୍ଧୁନଗର ବ୍ଲକ ଖୁଣ୍ଟା ଥାନା ଅନ୍ତର୍ଗତ ଉଦଳା-ବୈଶିଙ୍ଗା ରାସ୍ତାରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଉଦଳା-ବାଲେଶ୍ୱର ରାସ୍ତାର କାଠପାଳ ନିକଟରେ ଏକ ବାଇକ୍କୁ ଅଜଣା ଗାଡ଼ି ଧକ୍କା ଦେବାରୁ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି ।
ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥର ଦ୍ୱାରଶୁଣୀ ଘାଟିରେ ଶୁକ୍ରବାର ଅପରାହ୍ଣରେ ଏକ ଟ୍ରକ୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତୁ୍ୟ ହୋଇଛି । ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି । ତିରିଂ ଥାନା ଅନ୍ତର୍ଗତ ଇନ୍ଦଖୋଳି ଗ୍ରାମର ଦୁଃଖୁଶ୍ୟାମ ହାଁସଦାଃ, ନିଜ ପତ୍ନୀ ରୁକ୍ମଣୀ ଓ ପୁଅଙ୍କ ସହ ଏକ ବାଇକ୍(ଓଡି୧୧ଏନ୪୮୩୯)ଘାଟି ରାସ୍ତା ଚଢ଼ି ଘରକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ମାଲବାହୀ ଟ୍ରକ୍(ସିଜି୦୪ଡି୪୬୭୫) ତାଙ୍କୁ ଧକ୍କା ଦେଇଥିଲା । ବାଇକ୍କୁ ଧକ୍କା ଦେବା ପରେ ଟ୍ରକ୍ଟି ମଧ୍ୟ ଓଲଟି ପଡିÿଥିଲା । ଘଟଣାସ୍ଥଳରେ ଦୁଃଖୁଶ୍ୟାମଙ୍କ ମୃତୁ୍ୟ ହୋଇଥିବା ବେଳେ ତାଙ୍କ ପତ୍ନୀ ଓ ପୁଅ ଗୁରୁତର ଆହତ ହୋଇଛନ୍ତି । ବାଙ୍ଗିରିପୋଷି ଦମକଳ ବାହିନୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେଠାରୁ ତାଙ୍କୁ ବାରିପଦା ମେଡିକାଲଙ୍କୁ ସ୍ଥାନାନ୍ତର କରାଯାଇଛି । ଏନେଇ ବାଙ୍ଗିରିପୋଷି ଥାନାରେ କେସ୍ ନଂ ୧୭୯/୨୦ରେ ଏକ ମାମଲା ରୁଜୁ ହୋଇଛି । ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି ।
ଅନ୍ୟପଟେ ମୋରଡ଼ା ଥାନା ଅନ୍ତର୍ଗତ ମୋରଡ଼ା-ବାଘଡ଼ା ରାସ୍ତାର ବ୍ରାହ୍ମଣମାରା ନିକଟରେ ଏକ ଟ୍ରକ୍(ଓଡି-୧୧ବି-୦୦୯୨) ଭାରମାସ୍ୟ ହରାଇ ଗଛରେ ପିଟି ହୋଇ ଓଲଟି ପଡିଥିଲା । ଫଳରେ ଟ୍ରକ୍ରେ ଥିବା ୫ ଜଣ ଶ୍ରମିକଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘଟଣା ସ୍ଥଳରେ ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଓ ଜଣେ ସାମାନ୍ୟ ଆହତ ହୋଇଥିଲେ । ମୃତକମାନେ ହେଲେ ମୋରଡା ଅଞ୍ଚଳର କାଳିଆ ମହାନ୍ତ(୪୫) ଓ ସାଲୁ ମହାକୁଡ଼ ଓରଫ୍ ରବିନ୍ଦ୍ର(୪୦) । ଦୁଇ ଗୁରୁତର ଶ୍ରମିକ ହେଲେ ମହେଶ୍ୱର ମାରାଣ୍ଡି(୩୫) ଓ ବାବୁ ବେହେରା(୩୦) । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ୧୦୮ ଯୋଗେ କିଶାନତାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରୁ ୨ ଜଣଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୋରଡା ପୁଲିସ କେସ୍ ନଂ ୧୬୮/୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
ସେହିପରି ଗୋପବନ୍ଧୁନଗର ବ୍ଲକ ଖୁଣ୍ଟା ଥାନା ଅନ୍ତର୍ଗତ ଉଦଳା-ବୈଶିଙ୍ଗା ରାସ୍ତାର ଗଡ଼ିଆମାଳ ଛକ ନିକଟରେ ଆଜି ସନ୍ଧ୍ୟା ସମୟରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୋପବନ୍ଧୁନଗର ବ୍ଲକ କୁଆମରା ଗାଁର ରାଧାମୋହନ ସିଂ(୨୦) ଓ ଗେଜା ସିଂ(୧୮) ଏକ ବାଇକ୍ରେ ପୁରୁଣା ବାରିପଦା ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ଧକ୍କା ଦେଇଥିଲା । ଫଳରେ ଉଭୟ ରାସ୍ତାରେ ଘୋଷାଡି ହୋଇ ଯାଇଥିଲେ । ପୁରୁଣା ବାରିପଦା ଅଗ୍ନିଶମ କର୍ମଚାରୀ ଉଭୟଙ୍କୁ ଉଦ୍ଧାର କରି କୁଆମରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଗେଜା ସିଂଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ରାଧାମୋହନଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଅପରପକ୍ଷ ବାଇକ୍ ଆରୋହୀ ଫେରାର ହୋଇଯାଇଥିଲେ । ଅନ୍ୟପଟେ ଉଦଳା-ବାଲେଶ୍ୱର ରାସ୍ତାର କାଠପାଳ ନିକଟରେ ଏକ ବାଇକ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ବାଇକ୍ ଆରୋହୀ ସଜନାଗଡ଼ ସ୍ଥିତ ବୁଟା ଶିମିଳି ଗ୍ରାମର ଦୀପକ ସିଂ(୩୫) ଗୁରୁତର ହୋଇଛନ୍ତି । ତାଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତିି କରାଯାଇଛି ।
Comments are closed, but trackbacks and pingbacks are open.