କେନ୍ଦୁଝର : କେନ୍ଦୁଝର ବନଖଣ୍ଡ ସଦର ବନାଂଚଳ ଭାଲୁଘର ମଠ ନିକଟକୁ ଧାନ ଖାଇବାକୁ ଆସିଥିବା ହାତୀପଲର ଏକ ମାଈ ହାତୀ ଚାଷଜମିରେ ପ୍ରସବ କରିଥିବା ଖବର ମିଳିଛି । ଏହି ଘଟଣାକୁ ନେଇ ବନବିଭାଗ ତରଫରୁ ସଂପୃକ୍ତ ଅଂଚଳରେ ତୀକ୍ଷଣ ନଜର ରଖାଯାଇଥିବାବେଳେ ପ୍ରସବ ପରେ ହାତୀଛୁଆକୁ ନେଇ ମାଈ ହାତୀ ଜଙ୍ଗଲକୁ ଚାଲି ଯାଇଥିବା କୁହାଯାଉଛି ।
ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୧୧ଟା ସମୟରେ ୧୨ଟିକିଆ ହାତୀପଲ ସଦର ବନାଂଚଳ ଭାଲୁଘର ମଠ ନିକଟସ୍ଥ ଚାଷଜମିକୁ ଧାନ ଖାଇବା ପାଇଁ ଆସିଥିଲେ । ଧାନ ଖାଉଥିବା ସମୟରେ ଗୋଟିଏ ହାତୀ ଗର୍ଜନ କରିଥିଲା । ସ୍ଥାନୀୟ ଲୋକେ ଏହା ଶୁଣି ଭୟଭୀତ ହୋଇପଡିଥିଲେ । ହାତୀଟି ଅନେକ ସମୟ ଧରି ଗର୍ଜନ କରିବା ବିଳମ୍ବିତ ରାତିରେ ଚୁପ୍ ହୋଇଯାଇଥିଲା । ରାତିରେ ଗ୍ରାମବାସୀମାନେ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ସେଠାକୁ ଯାଇନପାରି ଦୂରରେ ପରିସ୍ଥିତି ଅନୁଧ୍ୟାନ କରିଥିଲା । ଭୋର ସମୟରେ ହାତୀପଲ ଜଙ୍ଗଲ ମୁହାଁ ହେବା ପରେ ବନବିଭାଗ କର୍ମଚାରୀ ହାତୀ ଗର୍ଜନ କରୁଥିବା ସ୍ଥାନକୁ ଯାଇ ଅନୁଧ୍ୟାନ କରିଥିଲେ । ସେଠାରେ ହାତୀ ଛୁଆ ଜନ୍ମ ସମୟର ଫୁଲ,ନାଭି ଆଦି ପଡିଥିବା ବନବିଭାଗ କର୍ମଚାରୀମାନେ ଦେଖିବାକୁ ପାଇ ମାଈ ହାତୀଟିଏ ରାତିରେ ଛୁଆ ଜନ୍ମ କରିବା କାରଣରୁ ଏଭଳି ଗର୍ଜନ କରୁଥିବା ଅନୁମାନ କରିଥିଲେ । ତେବେ ହାତୀ ପ୍ରସବ କରି ସାରିବା ପରେ ଛୁଆ ହାତୀକୁ ନେଇ ଜଙ୍ଗଲକୁ ଭିତରକୁ ପଳାଇ ଯାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଯଦି ହାତୀ ଛୁଆ ଜନ୍ମ କରିଥାଏ ତେବେ ଆଉ ଅଳ୍ପଦିନ ପରେ ହାତୀଛୁଆ ସାଷ୍ଟାଙ୍ଗ ହୋଇଗଲେ ତାକୁ ଠାବ କରାଯାଇପାରିବ ବୋଲି ବନବିଭାଗ ତରଫରୁ କୁହାଯାଉଛି ।
Comments are closed, but trackbacks and pingbacks are open.