ବାଙ୍ଗିରିପୋଷି,(ବି.ବି.ନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଭୁଲୁବଣୀ ଗାଁର ଜଣେ ଚାଷୀଙ୍କୁ ଆଜି ହାତୀପଲ ଦଳି ମାରି ଦେଇଛନ୍ତି । ମୃତକ ଜଣକ ହେଲେ ଦାଗଦୁ ମାଝୀ (୫୦) । ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ବନ ବିଭାଗ ପକ୍ଷରୁ ସହାୟତା ପ୍ରଦାନ କରାଯିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।
ବର୍ଷା ପରେ ଏବେ ଚାଷ କାମ ସ୍ୱାଭାବିକ ହୋଇଥିବାରୁ ଚାଷୀମାନେ ଭୋର ସମୟରୁ ହିଁ ନିଜ ଜମିକୁ ଯାଇ ଚାଷକାମରେ ଲାଗି ପଡ଼ୁଛନ୍ତି । ଦାଗଦୁ ମଧ୍ୟ ଆଜି ଭୋର ୪ଟାରେ ବାଙ୍ଗିରିପୋଷି ବନାଞ୍ଚଳ ଅଧୀନ ଜଙ୍ଗଲ ନିକଟସ୍ଥ ନିଜ ଜମିକୁ ଚାଷ କାମରେ ଯାଇଥିଲେ । ସେଠାରେ ସେ ହାତୀପଲଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ । ହାତୀପଲ ତାଙ୍କୁ ଦଳି ଦେଇଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ପକ୍ଷରୁ ତାଙ୍କୁ ଖୋଜାଖୋଜି କରାଯାଇଥିଲା । ପରେ ଚାଷଜମି ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହା ଜଣାପଡ଼ିବା ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ପାଇଁ ଦାବି କରିଥିଲେ । ବାଙ୍ଗିରିପୋଷି ରେଞ୍ଜ ଅଧିକାରୀ ତପନ କୁମାର ଦାସ ଓ ଝାରପୋଖରିଆ ଥାନା ଅଧିକାରୀ ଶରତ ଚନ୍ଦ୍ର ମହାଳିକ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଏଥିସହ ବନ ବିଭାଗ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୪୦ ହଜାର ଟଙ୍କା ସହାୟତା ରାଶିର ଏକ ଚେକ୍ ପ୍ରଦାନ କରାଯାଇଥିବା ବେଳେ ଅବଶିଷ୍ଟ ୩ ଲକ୍ଷ ୬୦ ହଜାର ଟଙ୍କା ପରବର୍ତ୍ତୀ ସମୟରେ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି । ସେହିପରି ସ୍ଥାନୀୟ ତହସିଲଦାର ପଞ୍ଚାୟତ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଏବଂ ରେଡ୍କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି । ଝାରପୋଖରିଆ ପୁଲିସ କେସ୍ ନଂ ୩୩/୧୯ରେ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସୂଚନା ଥାଉକି, ବୁଧବାର ଯଶିପୁର ଥାନା ଅନ୍ତର୍ଗତ ରୁଗୁଡି ପଞ୍ଚାୟତର ଖଣ୍ଡବନ୍ଧ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା । ମୟୂରଭଞ୍ଜ ଜିଲ୍ଲାରେ ହାତୀ ଉପଦ୍ରବ ବଢ଼ିଥିବା ବେଳେ ଏମାନଙ୍କ ଆକ୍ରମଣରେ ମୃତାହତ ହେବାର ଖବର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବନବିଭାଗର ଅବହେଳା କାରଣରୁ ଏମିତି ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ହେଉଥିବା ବେଳେ ଜଙ୍ଗଲ ନିକଟବର୍ତ୍ତୀ ଜମିରେ ଚାଷକାମ କରୁଥିବା ଚାଷୀଙ୍କୁ ସତର୍କ ରହିବା ସହ ଏକଜୁଟ୍ ହୋଇ ଜମିକୁ ଯିବାପାଇଁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।


Comments are closed, but trackbacks and pingbacks are open.