ଚାଷୀଙ୍କୁ ଦିଲ୍ଲୀ ପ୍ରବେଶ ଅନୁମତି

Get real time updates directly on you device, subscribe now.

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦିଲ୍ଲୀରେ ଆନେ୍ଦାଳନ କରିବାକୁ ପଞ୍ଜାବରୁ ଆସୁଥିବା ଚାଷୀଙ୍କୁ ଶେଷରେ ପ୍ରବେଶ ଅନୁମତି ମିଳିଛି । ତେବେ ରାମଲୀଳା ମୈଦାନ ବଦଳରେ ସେମାନେ ଉତ୍ତର ଦିଲ୍ଲୀର ବୁରାରୀସ୍ଥିତ ନିରଙ୍କରୀ ଗ୍ରାଉଣ୍ଡରେ ଶାନ୍ତିପୂର୍ଣ୍ଣ ଆନେ୍ଦାଳନ କରିବା ଲାଗି ଦିଲ୍ଲୀ ସରକାର ଅନୁମତି ଦେଇଛନ୍ତି । ଫଳରେ ଚାଷୀମାନେ ଦିଲ୍ଲୀରେ ପ୍ରବେଶ କରିଥିଲା ବେଳେ ସୀମାରେ ଲାଗିଥିବା ଉତ୍ତେଜନା ହ୍ରାସ ପାଇଛି । ଦିଲ୍ଲୀ ସରକାର ମଧ୍ୟ ବୁରାରୀ ଗ୍ରାଉଣ୍ଡରେ ଚାଷୀଙ୍କ ଲାଗି ସବୁ ପ୍ରକାର ସୁବିଧା ଉପଲବ୍ଧ କରିବାକୁ ଘୋଷଣା କରିଛନ୍ତି ।
ଚାଷୀମାନେ ଦିଲ୍ଲୀରେ ପ୍ରବେଶକୁ ନେଇ ଦିନ ତମାମ ଉତ୍ତେଜନା ଲାଗି ରହିଥିଲା । ପଞ୍ଜାବରୁ ଆସୁଥିବା ହଜାର ହଜାର ଚାଷୀଙ୍କୁ ଗତକାଲି ଦିଲ୍ଲୀ-ପଞ୍ଜାବ ଓ ଦିଲ୍ଲୀ-ହରିଆଣା ବର୍ଡର ସିଲ୍ କରି ଅଟକାଇ ରଖାଯାଇଥିଲ । ଯାହାକୁ ନେଇ ପୁଲିସ ଓ ଚାଷୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଚାଷୀଙ୍କ ଆନେ୍ଦାଳନ ଯୋଗୁ ଦିଲ୍ଲୀ-ପାନିପତ୍ ଓ ଦିଲ୍ଲୀ-ଗୁରଗାଓଁ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ନରେଲା ଠାରେ ପୁଲିସ ଚାଷୀଙ୍କ ଉପରେ ମାଣିମାଡ଼ କରିବା ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । ଦିଲ୍ଲୀ-ଗୁରଗାଓଁ ରାସ୍ତାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ଆଇନ ଶୃଙ୍ଖଳା ରକ୍ଷା ଓ ଚାଷୀଙ୍କ ଉପରେ ନଜର ରଖିବାକୁ ଡ୍ରୋନ କ୍ୟାମେରା ନିୟୋଜିତ ହୋଇଥିଲା । ହରିଆଣା ଦେଇ ଆସୁଥିବା ଚାଷୀଙ୍କୁ ରୋକିବା ଲାଗି ସିଂଘୁ ଠାରେ ପୁଲିସ କଣ୍ଟାତାର ବ୍ୟାରିକେଡ କରିଥିଲା । ସେହିଭଳି ସୋନିପତ୍ ଠାରେ ପୁଲିସ ରାଜପଥକୁ ଖୋଳିଦେଇଥିଲା । କିନ୍ତୁ ଚାଷୀମାନେ ଦିଲ୍ଲୀରେ ପ୍ରବେଶ କରିବା ଲାଗି ଅଡି ବସିଥିଲେ । ସେମାନେ ପୁଲିସ ବ୍ୟାରିକେଡ ଭାଙ୍ଗିଦେବା ସହ ଢେ଼ଲାପଥର ମାଡ଼ କରିଥିଲେ । ଏଥିସହ ବଳପୂର୍ବକ ଧସେଇ ପଶିଥିଲେ । ପୁଲିସ ସେମାନଙ୍କୁ ବାଧା ଦେଇଥିଲା । ଫଳରେ ଉଭୟ ପକ୍ଷ ହାତାହାତି ହୋଇଥିଲେ । ଶେଷରେ ଏକ ପୁଲିସ ଟିମ୍ ଚାଷୀଙ୍କ ସହ ଆଲୋଚନା କରି ବୁରାରୀ ଗ୍ରାଉଣ୍ଡରେ ଆନେ୍ଦାଳନ ଲାଗି ଅନୁମତି ଦିଆଯାଇଥିବା ଜଣାଇବା ପରେ ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ପୁଲିସ ସ୍ୱରାଜ ଇଣ୍ଡିଆର ମୁଖ୍ୟ ଯୋଗେନ୍ଦ୍ର ଯାଦବଙ୍କ ସମେତ ୨୬ ଚାଷୀ ନେତାଙ୍କୁ ଗିରଫ କରିନେଇଥିଲା ।
ଦିଲ୍ଲୀ ପୁଲିସ ସହରରେ ଥିବା ୯ଟି ଷ୍ଟାଡିୟମକୁ ଅସ୍ଥାୟୀ ଜେଲ୍ କରି ସେଠାରେ ଚାଷୀଙ୍କୁ ରଖିବା ଲାଗି ସରକାରଙ୍କୁ ପ୍ରସ୍ତାବ ଦେଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । କହିଥିଲେ ଚାଷୀଙ୍କ ଦାବି ଯଥାର୍ଥ । କେନ୍ଦ୍ର ସରକାର ସେମାନଙ୍କ ଦାବି ମାନିବା ଉଚିତ । ସେମାନଙ୍କୁ ଜେଲ୍ରେ ରଖିବା ସମାଧାନର ବାଟ ନୁହେଁ । ସେପଟେ ଚାଷୀଙ୍କୁ ଦିଲ୍ଲୀରେ ପ୍ରବେଶ ଅନୁମତି ମିଳିଥିବାରୁ ତାକୁ ସ୍ୱାଗତ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ । ଟୁଇ୍ଟ କରି ସେ କହିଛନ୍ତି କୃଷି ଆଇନକୁ ନେଇ ଚାଷୀଙ୍କ ମନରେ ଯେଉଁ ଉଦ୍ବେଗ ରହିଛି ତାହା ଦୂର କରିବା ଲାଗି କେନ୍ଦ୍ର ସରକାର ସେମାନଙ୍କ ସହ ଆଲୋଚନା କରିବା ଉଚିତ । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଚାଷୀମାନଙ୍କୁ ଆଲୋଚନା ଲାଗି ଡିସେମ୍ବର ୩ ତାରିଖରେ ଡାକିଛନ୍ତି । କହିଛନ୍ତି ଚାଷୀଙ୍କ ଚିନ୍ତା ଓ ସମସ୍ୟା ଦୂର କରିବା ଲାଗି ସରକାର ପ୍ରସ୍ତୁତ । ତେଣୁ ଚାଷୀମାନେ ଆନେ୍ଦାଳନ ପ୍ରତ୍ୟାହାର କରିବାକୁ ସେ ନିବେଦନ କରିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚାଷୀ ଆନେ୍ଦାଳନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି ଚାଷୀମାନେ ସତ୍ୟର ଯୁଦ୍ଧ ଲଢ଼ୁଛନ୍ତି । ବିଶ୍ୱର କୌଣସି ସରକାର ଚାଷୀଙ୍କୁ ଏହି ଯୁଦ୍ଧରୁ ରୋକିପାରିବେନି ।
ଇତିମଧ୍ୟରେ ଦିଲ୍ଲୀ ସୀମାରେ ସୃଷ୍ଟି ହୋଇଥିବା ଉତ୍ତେଜନା ପରିସ୍ଥିତି ସ୍ୱାଭାବିକ ହେବା ପରେ ମେଟ୍ରୋ ସେବା ପୁଣି ଆରମ୍ଭ ହୋଇଛି । ଚାଷୀଙ୍କ ଦିଲ୍ଲୀ ଚାଲୋ ଅଭିଯାନ ଯୋଗୁ ଗତ ଦୁଇଦିନ ହେଲା ମେଟ୍ରୋ ସେବା ପ୍ରଭାବିତ ହୋଇଥିଲା । ସନ୍ଧ୍ୟା ୫ରୁ ଦିଲ୍ଲୀର ସବୁ ଲାଇନରେ ମେଟ୍ରୋ ସେବା ଆରମ୍ଭ ହୋଇଛି । ସେପଟେ ହରିଆଣା ସରକାର ପଞ୍ଜାବ ସଂଲଗ୍ନ ସୀମାକୁ ମଧ୍ୟ ଆଜି ଖୋଲିଛନ୍ତି । ଚାଷୀମାନେ ଯେଭଳି ଦିଲ୍ଲୀ ଯାଇ ନ ପାରିବେ ସେଥିପାଇଁ ଗତକାଲିଠାରୁ ସୀମାକୁ ସିଲ୍ କରିଥିଲେ । ସୀମାରେ ଆଜି ପୁଲିସ ଓ ଚାଷୀମାନେ ମୁହାଁମୁହିଁ ହୋଇଥିଲେ । ତେବେ ଦିଲ୍ଲୀରେ ପ୍ରବେଶ କରିବା ଲାଗି ଚାଷୀଙ୍କୁ ଅନୁମତି ମିଳିବା ପରେ ହରିଆଣା ସରକାର ସୀମା ଖୋଲିଦେଇଛନ୍ତି । ଯାହାଫଳରେ ଚାଷୀମାନେ ଏବେ ନିର୍ବିଘ୍ନରେ ଦିଲ୍ଲୀ ଆସିପାରିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons