ବାଲେଶ୍ୱର,(ବି.ବି.ନ୍ୟୁଜ୍): ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅଧୀନସ୍ଥ ପଦ୍ମପୁର ଗ୍ରାମରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବରରୁ ପ୍ରକାଶ, ପଦ୍ମପୁର ଗ୍ରାମର କାର୍ତ୍ତିକ ବେହେରାଙ୍କ ପୁଅ ସୁମନ୍ତ (୪୫) ବିରଳା କମ୍ପାନୀର ଜଣେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ତେବେ ୩ ମାସ ହେବ କମ୍ପାନୀରୁ ଛଟେଇ ହେଇ ଘରେ ରହୁଥିଲେ । ଛଟେଇ ପରେ ତାଙ୍କୁ ପରିବାର ପୋଷଣ ପାଇଁ ବହୁ ଅସୁବିଧା ହେଉଥିଲା । ପତ୍ନୀ, ପୁଅ ଝିଅ ତିନି ଜଣଙ୍କୁ ନେଇ ତାଙ୍କ ସଂସାର । ବିରଳା ଟାୟାର୍ସରୁ ଚାକିରି ହରାଇବା ପରେ ସେ ବିଭିନ୍ନ ବ୍ୟାଙ୍କ୍ ତଥା ବେସରକାରୀ ଭାବେ ଋଣ ଆଣି ଚାଷ କାର୍ଯ୍ୟ କରିଥିଲେ । ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୩ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଋଣ ଆଣିଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ଏତଦ୍ ବ୍ୟତୀତ ସେ ଗ୍ରାମର ବହୁ ଲୋକଙ୍କ ଠାରୁ ହାତ ଉଧାରି ଆଣି ପ୍ରାୟ ପାଞ୍ଚ ଏକର ଜମିରେ ସେ ଚାଷ କରିଥିଲେ । ବର୍ଷା ନହେବାରୁ ସମସ୍ତ ବିହନ ଗଜା ମରୁଡ଼ି ହୋଇଯାଇଛି । ଏହି ସମସ୍ତ କଥା ଭାବି ସମ୍ଭବତଃ ସେ ମାନସିକ ଭାରସାମ୍ୟ ହରାଇଥିଲେ । ମଙ୍ଗଳବାର ସକାଳେ ଘରେ ଥିବା କୀଟନାଶକ ଓøଷଧ ଖାଇ ଦେଇଥିଲେ । ଏହା ଜାଣି ପାରି ପରିବାର ଲୋକେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବାହ୍ନ ୧୧ଟାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଚାନ୍ଦିପୁର ଥାନା ଅଧିକାରିଣୀ ମିନତି ବିଶ୍ୱାଳ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ୧୦/୧୯ନଂ ରୁଜୁ କରିବା ସହ ଅନୁସନ୍ଧାନ ଜାରି ରଖିଛନ୍ତି ।
Comments are closed, but trackbacks and pingbacks are open.