ଚାଷୀ ନାଁ’ରେ କୋଟିଏ ଟଙ୍କାର କାରବାର

Get real time updates directly on you device, subscribe now.

ବଲାଙ୍ଗିର,(ବି.ବି.ନୁ୍ୟଜ୍): ରାଉରକେଲା, ଭୁବନେଶ୍ୱର, କଟକ ପରେ ବଲାଙ୍ଗିରରେ ଜିଏସଟି ଠକେଇ ଅଭିଯୋଗ ସାମ୍ନାକୁ ଆସିଛି । ଜଣେ ଚାଷୀଙ୍କ ନାଁରେ ଜାଲ୍ କମ୍ପାନି ଖୋଲାଯାଇ ୧କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଜିଏସଟି ଠକେଇ ହୋଇଛି । ଜିଏସଟି ବିଭାଗ ଏନେଇ ସୂଚନା ପାଇବା ପରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ୍ ଅନ୍ତର୍ଗତ ଘଣ୍ଟମାଳ ଗ୍ରାମର ଚାଷୀ ରୋହିତ ଭୋଇଙ୍କ ପୁଅ ରବିନ୍ଦ୍ରଙ୍କୁ ଭେଟି ଜେରା କରିଥିଲେ । ଅଧିକାରୀମାନଙ୍କଠାରୁ ସମସ୍ତ ବିଷୟ ଶୁଣି ରବିନ୍ଦ୍ର ପ୍ରଥମେ ଆଚମ୍ବିତ ହେବାସହ ସେ କୌଣସି କମ୍ପାନୀ ଖୋଲିନାହାନ୍ତି କିମ୍ବା ଜିଏସଟି କାରବାର କରିନାହାନ୍ତି ବୋଲି କହିଥିଲେ । ରବିନ୍ଦ୍ରଙ୍କ ଜୀବନଶୈଳୀ ଓ ପରିବାରିକ ସ୍ଥିତି ଦେଖିବାପରେ ଅଧିକାରୀମାନେ ଫେରି ଆସିଛନ୍ତି । ଅପରପକ୍ଷେ, ନିଜ ଅଜାଣତରେ କୋଟିକୋଟି ଟଙ୍କାର ଆର୍ଥିକ ଦେଣନେଣ ହୋଇଥିବା ଜାଣିବା ପରେ ରବିନ୍ଦ୍ର ଆଜି ସଇଁନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ରବିନ୍ଦ୍ର ଘଣ୍ଟମାଲ ଗାଁରେ ନିଜ ବାପାଙ୍କ ସହିତ ରୁହନ୍ତି ଏବଂ ତାଙ୍କୁ ଚାଷ କାର୍ଯ୍ୟରେ ସହାୟତା କରିଥାଆନ୍ତି । ତାଙ୍କର ପ୍ରାୟ ସାଢେ଼ ୩ ଏକର ଜମି ରହିଛି । ଗତକାଲି ଅପରାହ୍ନରେ ୩ଜଣ ବ୍ୟକ୍ତି ବଲାଙ୍ଗିରର ଜିଏସଟି ବିଭାଗରୁ ଆସିଛୁ କହି ତାଙ୍କ ଘରେ ପହଞ୍ଚିଥିଲେ । ପରେ ରବିନ୍ଦ୍ରଙ୍କୁ କିଛି କାଗଜପତ୍ର ଦେଖାଇ ୩ମାସ ଭିତରେ ତୁମର କମ୍ପାନୀ ‘ସିନ୍ଧୁଜା ଷ୍ଟିଲ’ ନାଁରେ ପ୍ରାୟ ୧କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଜିଏସଟି କାରବାର କରିଛ ବୋଲି ପଚାରିଥିଲେ । ହେଲେ କମ୍ପାନୀ ଏବଂ କୋଟିକୋଟି ଟଙ୍କାର ଦେଣନେଣ ସମ୍ପର୍କରେ ଶୁଣିବା ପରେ ରବିନ୍ଦ୍ର ଏହାକୁ ବାରଣ କରିଥିଲେ । ସେ ଜଣେ ଚାଷୀପୁଅ, ତାଙ୍କର କୌଣସି କମ୍ପାନୀ ନାହିଁ କିମ୍ବା ସେ ଜିଏସଟି ଜମା/ଉଠାଣ ସମ୍ପର୍କରେ କିଛି ବି ଜାଣି ନାହାନ୍ତି ବୋଲି କହିଥିଲେ । ଏହାପରେ ବିଭାଗୀୟ ଅଧିକାରୀମାନେ ରବିନ୍ଦ୍ରଙ୍କୁ ତାଙ୍କ ଜମି ପ୍ରମାଣପତ୍ର, ଇଲେକ୍ଟ୍ରି ବିଲ, ଜମି ଖତିୟାନ, ସତ୍ୟପାଠ ଆଦି ପ୍ରମାଣପତ୍ର ଲାଗିଥିବାର ନକଲ ଦେଖାଇବା ପରେ ତାଙ୍କ ସହ ଠକେଇ ହୋଇଥିବା କହିଥିଲେ । କାରଣ ଗତ ମଇ ମାସରେ ତାଙ୍କ ଗାଁର ମହେନ୍ଦ୍ର ସାହୁ ନାମକଜଣେ ବ୍ୟକ୍ତି ତାଙ୍କୁ ଚାଷ ପାଇଁ ଋଣ କରାଇଦେବାକୁ କହି ତାଙ୍କର ସମସ୍ତ ପ୍ରମାଣପତ୍ର ମାଗିନେଇଥିଲେ ବୋଲି କହିଥିଲେ । ଶେଷରେ କୌଣସି ଉପାୟନପାଇ ରବିନ୍ଦ୍ର ଆଜି ସଇଁନ୍ତଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଜିଏସଟି ବିଭାଗ ତରଫରୁ ତାଙ୍କୁ ଦିଆଯାଇଥିବା ସୂଚନାଅନୁସାରେ, ସିନ୍ଧୁଜା ଷ୍ଟିଲ ନାମରେ ଖୋଲାଯାଇଥିବା ଏହି କମ୍ପାନୀର ମାଲିକ ହେଉଛନ୍ତି ରବିନ୍ଦ୍ର ଭୋଇ । ଉକ୍ତ କମ୍ପାନୀ ନାମରେ ଜିଏସଟି ଆକାଉଣ୍ଟ ଖୋଲିବାକୁ ୭୬୮୨୦୫୨୦୯୨ ନମ୍ବରକୁ ବ୍ୟବହାର କରାଯାଇଛି । ଯାହା ବର୍ତ୍ତମାନ ସ୍ୱିଜ ଅଫ ରହିଥିବା ଜାଣିବାକୁ ମିଳିଛି । ଅଗଷ୍ଟ ୧ତାରିଖରେ ଏହି କାରବାର ହୋଇଥିବା ବେଳେ ଏଯାଏଁ ରବିନ୍ଦ୍ର କୌଣସି ଖବର ପାଇନଥିଲେ । ତେବେ ପୁଲିସ ରବିନ୍ଦ୍ରଙ୍କ ଲିଖିତ ଅଭିଯୋଗ ଗ୍ରହଣ କରିବା ପରେ ଏହାର ତଦନ୍ତ ଆରମ୍ଭ କରିବ ବୋଲି କହିଛି । ଏସମ୍ପର୍କରେ ଟିଟିଲାଗଡ଼ ଏସଡ଼ିପିଓ ସୁରେନ୍ଦ୍ର ଶତପଥିଙ୍କୁ ପଚାରିବାରୁ ସେ କହିଥିଲେ, ଘଟଣାଟି ଜିଏସଟି ସମ୍ପର୍କିତ ଅଟେ, ତେଣୁ ଅଭିଯୋଗ ପରେ ଏକ ମାମଲା ରୁଜୁ କରି ବିକ୍ରି କର ବିଭାଗ(ସେଲ୍ସ ଟ୍ୟାକ୍ସ)କୁ କୁହାଯିବ । ପରିବର୍ତ୍ତୀ ନିଦେ୍ର୍ଧଶକ୍ରମେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଗତ କିଛିଦିନ ହେଲା ଓଡ଼ିଶାରେ ମିଛ କମ୍ପାନୀ ନାଁରେ ଜିଏସଟି ଠକେଇର ଏକାଧିକ ମାମଲା ସାମ୍ନାକୁ ଆସିଛି । ପାଇପ ମିସ୍ତ୍ରୀ, ଅଟୋରିକ୍ସା ଚାଳକଙ୍କ ଭଳି ଛୋଟମୋଟ ଶ୍ରମିକଙ୍କ ନାଁରେ କୋଟିକୋଟି ଟଙ୍କାର ଜିଏସଟି ଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିଲା । କିନ୍ତୁ ବଲାଙ୍ଗିରରେ ଜଣେ ଚାଷୀଙ୍କ ପୁଅ ନାଁରେ କୋଟିଏରୁ ଉଦ୍ଧ୍ୱର୍ ଟଙ୍କାର ଜିଏସଟି ହେରଫେର ଜଣାପଡିବା ପରେ ଘଟଣାଟି ଆଲୋଡନ ସୃଷ୍ଟି କରିଛି । ଆଗାକୁ ଆଉ କାହାକାହା ନାଁରେ ଏଭଳି ନକଲି ମିଛ କମ୍ପାନୀ ଖୋଲି ଜିଏସଟି ଚାଲାଣ କରାଯାଇଥିବା ଦେଖିବାକୁ ରହିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons