ଚାଷ ଓ ଚାଷୀ ସଂକଟରେ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଚାଷୀଙ୍କୁ ଠିକ୍ ସମୟରେ ବିହନ ମିଳୁନି । ଆବଶ୍ୟକ ବେଳେ ସାର କି କୀଟନାଶକ ମଧ୍ୟ ମିଳୁନି । ଜମିକୁ ସେଚ ନାହିଁ । ଚାଷୀକୁ ଉତ୍ପାଦିତ ସାମଗ୍ରୀର ପ୍ରକୃତ ମୂଲ୍ୟ ମିଳୁନି । ଏପରିକି ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଚାଷୀ ସର୍ବସ୍ୱାନ୍ତ ହେଲେ ମଧ୍ୟ ବୀମା ରାଶି ମିଳୁନି । ସରକାର ଚାଷୀଙ୍କୁ ଅଣଦେଖା ଓ ଅବହେଳା କରି ଚାଲିଛନ୍ତି । ତେଣୁ ଚାଷୀମାନେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରୁଛନ୍ତି ।
ବିଧାନସଭାରେ ଆଜି ବିରୋଧୀ ଦଳ ଏମିତି ଚାଷୀ ଆତ୍ମହତ୍ୟାର ପାପ ସରକାରଙ୍କ ମୁଣ୍ଡରେ ବୋଳିଥିଲା । ମୁଲତବି ଆଲୋଚନା କାଳରେ ବିରୋଧୀ ଦର୍ଶାଇଥିଲେ, ସରକାର ଖାଲି ଚାଷୀଙ୍କ ପ୍ରସଙ୍ଗରେ ମନଲୋଭା ପ୍ରଚାର କରୁଛନ୍ତି । ବାସ୍ତବତା କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ରାଜ୍ୟ ସରକାର କ୍ରମାଗତ ଭାବେ ଚାଷୀଙ୍କ ପ୍ରତି ଅନ୍ୟାୟ କରି ଚାଲିଛନ୍ତି ।
ଶାସକ ଦଳର ସଭ୍ୟମାନେ ଏହାର ପାଲଟା ଜବାବ ରଖିଥିଲେ । ସେମାନେ ଯୁକ୍ତି ଛଳରେ କହିଲେ, ନବୀନ ପଟ୍ଟନାୟକଙ୍କ ସରକାର ଚାଷୀଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ । ସ୍ୱତନ୍ତ୍ର କୃଷି ବଜେଟ, କ୍ୟାବିନେଟ୍ ଓ କୃଷିନୀତି ପ୍ରଣୟନ ସହ ‘କାଳିଆ’ ଭଳି ଅଭିନବ ଯୋଜନା ଏ ସରକାର ହାତକୁ ନେଇଛନ୍ତି । ମାତ୍ର ବିରୋଧୀ ଦଳଙ୍କୁ କାମଳ ରୋଗ ହୋଇଥିବାରୁ ଯାହା ଦେଖିଲେ ହଳଦିଆ ଦିଶୁଛି । ଖାଲି ବିରୋଧ କରିବା ପାଇଁ ବିରୋଧୀ ବିରୋଧ କରୁଛନ୍ତି ।
କୃଷି ସଂପର୍କରେ ଆଜି କଂଗ୍ରେସ ଦଳ ପକ୍ଷରୁ ଆଗତ ମୁଲତବି ପ୍ରସ୍ତାବ ‘କୃଷି ଓ କୃଷକ ସମସ୍ୟା ପ୍ରତି ରାଜ୍ୟ ସରକାର ଉଦାସୀନ’ ଉପରେ ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ସରକାର କ୍ରମାଗତ ଭାବେ ଚାଷୀମାନଙ୍କୁ ଅଣଦେଖା କରି ଚାଲିଛନ୍ତି । ବାରମ୍ବାର ରାଜ୍ୟପାଳଙ୍କ ତୁଣ୍ଡରେ ମିଛ ପ୍ରଚାର କରୁଛନ୍ତି । ସରକାରଙ୍କ ୩୫ଧ ଜଳସେଚନ ଘୋଷଣାର ବାସ୍ତବତା କେତେ ତାହା ସମସ୍ତଙ୍କୁ ଜଣା । ଏ ସରକାର ଗତ ୧୯ ବର୍ଷ ଧରି କ୍ଷମତାରେ ରହିଲେ ମଧ୍ୟ ଜଳସେଚନରେ ବିଫଳ ହୋଇଛି । ମେଗା ଲିଫଟ ପଏଣ୍ଟ ଅଛି, ମାତ୍ର ବିଜୁଳି ନାହିଁ । କୁଇଣ୍ଟାଲ ପିଛା ୧୭୫୦ ଟଙ୍କା ଧାନର ମୂଲ୍ୟ ଧାର୍ଯ୍ୟ ହୋଇଛି । ଚାଷୀ କିନ୍ତୁ ୧୦୦୦/୧୨୦୦ ଟଙ୍କାରେ ବିକ୍ରି କରୁଛନ୍ତି । ଏକର ପିଛା ଚାଷୀମାନେ ୧୨ ୦୦୦ ଟଙ୍କାର କ୍ଷତି ସହୁଛନ୍ତି । ପ୍ରଧାନମନ୍ତ୍ରୀ ଉତ୍ପାଦନ ମୂଲ୍ୟର ଦେଢ଼ଗୁଣା ଏମ୍ଏସ୍ପି ଦେବାକୁ ଘୋଷଣା କରିଥିଲେ । ମାତ୍ର ତାହା କାର୍ଯ୍ୟକାରୀ କଲେନି ।
ରାଜ୍ୟ ସରକାର ଏବେ ‘କାଳିଆ’ ଯୋଜନା ଆରମ୍ଭ କରିଛନ୍ତି । ଏହା ବଦଳରେ ସକରାର ଛତିଶଗଡ଼ ଭଳି ଧାନ ଏମ୍ଏସ୍ପି ୨୫୦୦ ଟଙ୍କା କରନ୍ତୁ । ଚାଷୀ ହକ୍ ପ୍ରାପ୍ୟ ପାଇପାରିବ । ରାଜ୍ୟରେ ପନିପରିବାର ଉଚିତ ମୂଲ୍ୟ ମିଳୁନି । ଶୀତଳଭଣ୍ଡାର ନଥିବାରୁ ଏହା ସଂରକ୍ଷିତ ହୋଇପାରୁନି କି ଚାଷୀ ମୂଲ୍ୟ ପାଉନି । ଭାଗଚାଷୀଙ୍କ ପାଇଁ ସରକାର କିଛି କରୁନାହାନ୍ତି । ଚାଷୀଙ୍କୁ ବୀମାରାଶି ମଧ୍ୟ ମିଳୁନି ।
ବିଜେପି ସଭ୍ୟ ଜୟନାରାୟଣ ମିଶ୍ର କହିଲେ, ଆଉ ଚାଷ ଓ ଚାଷୀଙ୍କୁ ସମ୍ମାନ ମିଳୁନି । ଆମ ଅଞ୍ଚଳରୁ ଲୋକ ଦାଦନ ଗଲେଣି । ଏହାର ମୂଳ କାରଣ ଚାଷରୁ ଲାଭ ମିଳୁନି । ଚାଷ ନାଁ ଧରିଲେ ଲୋକ ମୁହଁ ମୋଡୁଛନ୍ତି । ତଳସ୍ତରରେ କୃଷି ବିଭାଗ ଆଦୌ କାମ କରୁନି । ଠିକଣା ସମୟରେ ଚାଷୀଙ୍କୁ ବିହନ, ସାର, କୀଟନାଶକ କି ବଜାର ମୂଲ୍ୟ ମିଳୁନି । ଚାଷୀମାନେ ସରକାରୀ ବହନ ନପାଇ ଚଢ଼ା ମୂଲ୍ୟରେ ହାଇବ୍ରିଡ ବିହନ ବଜାରରୁ କିଣୁଛନ୍ତି । ମଣ୍ଡି ଅବସ୍ଥା ନକହିବା ଭଲ । ଧାନ ସଂଗ୍ରହ ମିଲର୍ସଙ୍କ ମନମାନିରେ ହେଉଛି । ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତୁ । ବିଜେପି ସଭ୍ୟ ମଦନମୋହନ ଦତ୍ତ କହିଲେ, ସରକାର ଚାଷୀଙ୍କ ଉନ୍ନତିକୁ କେବଳ ପ୍ରଚାରରେ ରଖିଛନ୍ତି । ନିଜ ଉତ୍ପାଦିତ ସାମଗ୍ରୀର ମୂଲ୍ୟ ନପାଇବା ଚାଷୀଙ୍କ ପାଇଁ ବଡ଼ ବିଡ଼ମ୍ବନା । ବିଜେପି ସଦସ୍ୟ ନାଉରୀ ନାଏକ ଅଭିଯୋଗ କଲେ, ରାଜ୍ୟରେ କେତେ ଜମିକୁ ସେଚ ଯାଇଛି ଆଉ କେତେ ଜମିକୁ ଯିବ ତାର ଠିକ୍ ହିସାବ ସରକାରଙ୍କ ପାଖରେ ନାହିଁ । ଚାଷୀଙ୍କୁ ଗତବର୍ଷର ବୀମା ଟଙ୍କା ଏଯାଏ ମିଳିନି । ରାଜ୍ୟ ସରକାର କେତେ ତତ୍ପରତାର ସହ କାମ କରୁଛନ୍ତି ତାହା ଏଥିରୁ ଜଳଜଳ ।
କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କହିଲେ, ରାଜ୍ୟରେ ଚାଷୀ ଅବସ୍ଥା ପୂରା ସଂଗୀନ୍ । ଆଳୁ ମିଶନ ଫେଲ ମାରିଛି । ଚାଷୀଙ୍କୁ ମାଗଣା ବିଜୁଳି କୁଆଡ଼େ ଗଲା? ୩୫ଧ ଜଳସେଚନ ପୂରଣ ହେବାକୁ ଆଉ କେତେ ବର୍ଷ ଲାଗିବ? ପ୍ରତି ପଞ୍ଚାୟତକୁ ଜଳସେଚନ ପାଇଁ ୫ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ପୂରଣ ହେଲାନି କାହିଁକି? ବୀମା ଟଙ୍କା ନଦେଇ ଚାଷୀଙ୍କୁ ହଇରାଣ କରୁଥିବା ଠକ କମ୍ପାନିକୁ ଜେଲରେ ପୂରାଇବାକୁ ସେ ଦାବି କରିଥିଲେ ।
ଶାସକ ଦଳ ପକ୍ଷରୁ ସଭ୍ୟ ପ୍ରଶାନ୍ତ ମୁଦୁଲି କହିଲେ, ଏ ସରକାର କ୍ରମାଗତ ଭାବେ ଚାଷ ଓ ଚାଷୀର ଉନ୍ନତି ପାଇଁ ସଂକଳ୍ପବଦ୍ଧ ଭାବେ କାମ କରି ଚାଲିଛନ୍ତି । ଚାଷୀଙ୍କ ଋଣଛାଡ଼ ଏକ ରୁଗଣ ମାନସିକତା ବୋଲି ଦେଶର ବହୁ ଅର୍ଥନୀତିଜ୍ଞ ସ୍ପଷ୍ଟ କରି ସାରିଛନ୍ତି । ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଆର୍ଥିକ ସହାୟତା ସହ ସଶକ୍ତ କରିବାକୁ ‘କାଳିଆ’ ଆରମ୍ଭ କରିଛନ୍ତି । ବିରୋଧୀ ଦଳର ସଭ୍ୟମାନେ କାମଳ ରୋଗରେ ପୀଡ଼ିତ ଥିବାରୁ ସବୁ ଏବେ ହଳଦିଆ ଦେଖାଯାଉଛି ବୋଲି ସେ ଟିପ୍ପଣୀ ଦେଇଥିଲେ ।
ସରକାରୀ ସଭ୍ୟ ଧ୍ରୁବ ସାହୁ, ରମେଶ ଚନ୍ଦ୍ର ସାଏ ଓ ପ୍ରଶାନ୍ତ ବେହେରା ସରକାରଙ୍କ ପକ୍ଷ ନେଇ କହିଲେ, ସରକାର ଚାଷୀଙ୍କ ପାଇଁ ବହୁତ କିଛି କରିଛନ୍ତି । ସରକାରଙ୍କ ଆନ୍ତରିକତାରୁ ଆମ ଖାଦ୍ୟଶସ୍ୟ ଉତ୍ପାଦନ ବଢ଼ିଛି । ଚାଷୀଙ୍କ ଆୟ ଦିଗୁଣା ହୋଇପାରିଛି । ଚାଷୀ ପରିବାରର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତାକୁ ଚାଷୀ ପରିବାର ଅନୁଭବ କରି ପୁଣି ଆଶୀର୍ବାଦ ଦେଇ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛନ୍ତି । ସ୍ୱତନ୍ତ୍ର କୃଷି ବଜେଟ୍, କୃଷି ନୀତି ସହ କୃଷି କ୍ୟାବିନେଟ୍ ଗଠନ କରି ଏ ସରକାର ଚାଷୀଙ୍କ ପ୍ରତି ନିଜ ପ୍ରତିବଦ୍ଧତାର ପ୍ରମାଣ ଦେଇଛି ବୋଲି ଶାସକ ଦଳର ସଭ୍ୟମାନେ ଯୁକ୍ତି ଦର୍ଶାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons