ବନ୍ତଳା,(ବି.ବି.ନୁ୍ୟଜ): ରବିବାର ବିଳମ୍ବିତ ରାତିରେ ସାତକୋଶିଆ ଅଭୟାରଣ୍ୟରେ ଠାବ ହୋଇଥିବା ଅସୁସ୍ଥ ମାଈହାତୀର ମୃତୁ୍ୟ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ସୋମବାର ପୂର୍ବାହ୍ନରେ ହାତୀ ଆଖି ବୁଜିଛି ବୋଲି ଡିଏଫ୍ଓ ରାମାସ୍ୱାମୀ ପି. ସୂଚନା ଦେଇଛନ୍ତି । ହାତୀର ଦେଢ଼ ବର୍ଷର ଶାବକ ଉଦ୍ଧାର ହୋଇଥିଲା ବେଳେ ତାକୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି ।
ରବିବାର ରାତିରେ ବନ କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ଜିଲିଣ୍ଡା ବନାଞ୍ଚଳର କଟରଙ୍ଗ ସଂରକ୍ଷିତ ଜଙ୍ଗଲରେ ବିଳମ୍ବିତ ରାତି ପ୍ରାୟ ୩ଟା ବେଳେ ଏକ ମାଈହାତୀ ସହ ଦେଢ଼ ବର୍ଷର ଶାବକ ଠାବ କରିଥିଲେ । ମାଈହାତୀଟି ତଳେ ଭୂଇଁରେ ପଡ଼ି ରହିଥିବା ବେଳେ ଠିଆ ହେବାକୁ ସୁଦ୍ଧା ଅକ୍ଷମ । ଛୁଆ ହାତୀଟି ପାଖରେ ଠିଆ ହୋଇ ରହିଥିଲା । ଆଜି ସକାଳେ ସାତକୋଶିଆ ଡିଏଫ୍ଓ ରାମାସ୍ୱାମୀ. ପି, ଏସିଏଫ୍ ରାଜକିଶୋର ସ୍ୱାଇଁ, ଶୁଭେନ୍ଦୁ ବେହେରା, ସାତକୋଶିଆ ବନ୍ୟପ୍ରାଣୀ ଚିକିତ୍ସକ କିଶୋର ସାହୁଙ୍କ ସମେତ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀର ଚିକିତ୍ସା କରିଥିଲେ । ଚିକିତ୍ସା ସତ୍ତେ୍ୱ ହାତୀର ପଛ ଗୋଡ଼ ଦୁଇଟି ଅଚଳ ହୋଇପଡ଼ିଥିବାରୁ ଉଠିପାରି ନଥିଲା । ୩୦ଟି ସାଲାଇନ୍ ସହ ଆଣ୍ଟିବାୟୋଟିକ୍ ଆଦି ଦିଆଯାଇଥିଲା ।
ପଛ ଗୋଡ଼ର ଆଣ୍ଠୁ ପାଖରେ କ୍ଷତ ଦେଖାଯାଇଥିଲା । କ୍ଷତ ଜନିତ ଅସୁସ୍ଥତତା ଏବଂ ସ୍ନାୟବିକ ସମସ୍ୟା ଯୋଗୁଁ ହାତୀଟି ତଳେ ପଡ଼ି ଆଉ ଉଠିପାରିନଥିବା ବନବିଭାଗ ପକ୍ଷରୁ କୁହାଯାଇଛି । ଚିକିତ୍ସା ଚାଲିଥିବା ବେଳେ ପୂର୍ବାହ୍ନ ୧୧ଟା ସମୟରେ ମାଈହାତୀଟିର ମୃତୁ୍ୟ ହୋଇଥିଲା । ହାତୀର ବୟସ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ବ୍ୟବଚ୍ଛେଦ ପରେ ହାତୀର ମୃତଦେହ ମାଟିଖୋଳି ପୋତି ଦିଆଯାଇଛି ।


Comments are closed, but trackbacks and pingbacks are open.