ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶବ ରଖି ରାସ୍ତା ରୋକ

Get real time updates directly on you device, subscribe now.

ବାରିପଦା,(ବି.ବି.ନ୍ୟୁଜ): ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ପ୍ରସୂତି ବିଭାଗ ପାଲଟିଛି ମୃତ୍ୟୁର ଯନ୍ତା । ସପ୍ତାହକ ମଧ୍ୟରେ ଚିକିତ୍ସା ଅବହେଳାରୁ ୨ଜଣ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗତ ରବିବାର ଜଣେ ପ୍ରସୂତି ଏକ ସନ୍ତାନ ଜନ୍ମ ଦେବା ପରେ ତାର ମୃତ୍ୟୁ ହୋଇଥିବା ବେଳେ ପୁଣି ଆଜି ଜଣେ ଗର୍ଭବତୀ ମହିଳାଙ୍କ ସମେତ ଗର୍ଭରେ ଥିବା ଦୁଇ ସନ୍ତାନଙ୍କର ମୃତ୍ୟୁ ଘଟିଛି । ଗୁରୁବାର ସକାଳ ୮ଟାରେ ଅଲଟ୍ରାସାଉଣ୍ଡ କରାଯିବା ପରେ ତାଙ୍କ ପେଟରେ ଥିବା ଦୁଇ ସନ୍ତାନଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ହେଲେ ଅଲଟ୍ରାସାଉଣ୍ଡ ରିପୋର୍ଟ ଆସିବା ପରେ ମଧ୍ୟ ଡାକ୍ତର ଗର୍ଭବତୀ ମହିଳା ଜଣଙ୍କୁ ସିଜରିଙ୍ଗ(ଅପରେସନ୍) କରାଇ ନଥିଲେ । ଦୀର୍ଘ ୭ ଘଣ୍ଟା ଧରି ସେହି ମହିଳା ଜଣକ ବେଡ୍ରେ ଛଟପଟ ହେଉଥିଲେ ବି ଡାକ୍ତର ଓ ନର୍ସଙ୍କ ଦେଖାଦର୍ଶନ ମିଳି ନଥିଲା । ଫଳରେ ଅପରାହ୍ନ ୩ଟାରେ ପେଟରେ ଥିବା ଦୁଇ ସନ୍ତାନଙ୍କ ସମେତ ପ୍ରସୂତିଙ୍କର ମୃତ୍ୟୁ ହୋଇଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଶୁକ୍ରବାର ଗର୍ଭବତୀ ମହିଳା ଜଣଙ୍କର ଶବ ବ୍ୟବଚ୍ଛେଦ କରାଯିବା ପରେ ଚିକିତ୍ସା ଅବହେଳାରୁ ମା’ ଛୁଆଙ୍କର ମୃତ୍ୟୁ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ମହିଳାଙ୍କ ଶବକୁ କାନ୍ଧରେ ଧରି ପରିବାର ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ନ୍ୟାୟ ଦାବିରେ ଉତ୍ୟକ୍ତ ଲୋକେ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଶବ ରଖି ରାସ୍ତାରେ ଧାରଣା ଦେଇଥିଲେ । ତୁରନ୍ତ ଏହି ଘଟଣାର ଖବର ପାଇ ବାରିପଦା ଏସ୍ଡିପିଓ ଓ ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ସିଡିଏମ୍ଓ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ । ସମସ୍ତ ଦାବି ପୂରଣ କରାଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା ।
ସୂଚନା ମୁତାବକ ଗତ ମଙ୍ଗଳବାର ଖୁଣ୍ଟା ଥାନା ଅନ୍ତର୍ଗତ ଘଣ୍ଟଶିଳା (ପିତାଝରୀ) ଗ୍ରାମର ଦାଶରଥି ମୁର୍ମୁଙ୍କ ଗର୍ଭବତୀ ସ୍ତ୍ରୀ ବାଙ୍ଗୀ ମୁର୍ମୁ(୨୩)ଙ୍କୁ ଚିକିତ୍ସା କରାଇବା ପାଇଁ ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଅଣାଯାଇଥିଲା । ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ବାଙ୍ଗୀ ମୁର୍ମୁଙ୍କର ପ୍ରସବ ସମୟ ହୋଇନାହିଁ ବୋଲି କହି ମେଡିକାଲରେ ଆଡମିସନ୍ କରାଇଥିଲେ । ଯନ୍ତ୍ରଣା ହେଲେ ଡାକ୍ତରଙ୍କୁ ଡାକିବାକୁ ରୋଗୀ ପାଖରେ ଥିବା ଆଶା ଦିଦିଙ୍କୁ ନର୍ସମାନ କହିବା ସହିତ ନର୍ମାଲରେ ପ୍ରସବ କରାଇବେ ବୋଲି କହିଥିଲେ । ମାତ୍ର ରାତି ପାହିବା ପରେ ବାଙ୍ଗୀଙ୍କର କୌଣସି ପ୍ରସବ ଯନ୍ତ୍ରଣା ନ ହେବାରୁ ଏନେଇ ତାର ସ୍ୱାମୀ ଦାଶରଥି ଡାକ୍ତରଙ୍କୁ ଜଣାଇଥିଲେ । ସ୍ତ୍ରୀର ଆଉ ଥରେ ଅଲଟ୍ରାସାଉଣ୍ଡ କରିବାକୁ କାର୍ଯ୍ୟରତ ଡାକ୍ତର କହିବା ପରେ ସ୍ତ୍ରୀର ଅଲଟ୍ରାସାଉଣ୍ଡ କରାଯାଇଥିଲା । ବୁଧବାର ସକାଳ ୮ ଟାରେ ଅଲଟ୍ରା ସାଉଣ୍ଡ ରିପୋର୍ଟ ଆସିବା ପରେ ବାଙ୍ଗୀଙ୍କ ପେଟରେ ଥିବା ଦୁଇ ସନ୍ତାନର ମୃତ୍ୟୁ ହୋଇଥିବା ସ୍ୱାମୀ ଜାଣିବାକୁ ପାଇଥିଲା । ସ୍ତ୍ରୀ ପେଟରେ ଥିବା ଦୁଇ ସନ୍ତାନଙ୍କର ମୃତ୍ୟୁ ଖବର ଶୁଣିବା ପରେ ସ୍ୱାମୀ ଭାଙ୍ଗି ପଡ଼ିଥିଲେ ମଧ୍ୟ ଏହି ଘଟଣା ଡିୟୁଟିରେ ଥିବା ଡାକ୍ତର ଓ ନର୍ସମାନଙ୍କୁ ଜଣାଇଥିଲେ । ନର୍ସ ଓ ଡାକ୍ତରମାନେ ଏସବୁ ଜାଣିବା ପରେ ବାଙ୍ଗୀଙ୍କର ଅପରେସନ୍ ନ କରାଇ ନର୍ମାଲରେ ପ୍ରସବ ହୋଇଯିବ ବୋଲି ପୁଣି କହିଥିଲେ । ଅପରାହ୍ନ ପ୍ରାୟ ସାଢେ ୨ଟାରେ ବାଙ୍ଗୀ ମୁର୍ମୁ ଗର୍ଭ ଯନ୍ତ୍ରଣା ଅନୁଭବ କରିବା ପରେ ଆଶା କର୍ମୀ ଡାକ୍ତରଙ୍କୁ ଡାକିବାକୁ ନର୍ସଙ୍କୁ କହିଥିଲେ । ଡାକ୍ତର ଏବେ ନାହାନ୍ତି ବୋଲି ନର୍ସମାନେ କହି କିଛି ସମୟ ଅପେକ୍ଷା କରିବାକୁ କହିଥିଲେ । ବହୁ ଜୋରରେ ଗର୍ଭଯନ୍ତ୍ରଣା ହେଉଥିବାରୁ ଆଶା କର୍ମୀ ଏହାକୁ ସହ୍ୟ କରି ନପାରି ସେ ଆଉ ଦାଶରଥି ଦୁଇ ଜଣ ମିଶି ବାଙ୍ଗୀଙ୍କୁ ବେଡ୍ରୁ ପ୍ରସୂତି କକ୍ଷ(ଲେବର ରୁମ୍)କୁ ନେଇଯାଇଥିଲା । ପ୍ରସୂତି କକ୍ଷରେ ସେ ୧୦ରୁ ୧୫ ମିନିଟ୍ ଛଟପଟ ହେବା ପରେ ନର୍ସ ଓ ଡାକ୍ତର ଆସି ପହଞ୍ଚିଥିଲେ । ହେଲେ ଡାକ୍ତର ପହଞ୍ଚିବା ପରେ ବାଙ୍ଗିଙ୍କୁ ଅକ୍ସିଜେନ ଓ ଏକ ଇଞ୍ଜେକ୍ସନ୍ ଦେଇଥିଲେ । ଇଞ୍ଜେକ୍ସନ୍ ଦେବା ମାତ୍ରେ ତାର ମୃତ୍ୟୁ ହୋଇଥିବା ବାଙ୍ଗୀର ସ୍ୱାମୀ ଦାଶରଥି ଅଭିଯୋଗ କରିଛନ୍ତି । ସ୍ତ୍ରୀର ମୃତ୍ୟୁ ଖବର ଶୁଣିବା ପରେ ପରିବାର ଲୋକମାନେ ଧର୍ଯ୍ୟହରା ହୋଇ ବାଙ୍ଗୀର ଶବ ବ୍ୟବଚ୍ଛେଦ କରିବାକୁ ଦାବି କରିଥିଲେ । ଡାକ୍ତର ଓ ନର୍ସଙ୍କର ଅବହେଳା ଓ ଦାୟିତ୍ୱହୀତା ପାଇଁ ମା’ ସହିତ ପେଟରେ ଥିବା ଦୁଇ ସନ୍ତାନଙ୍କର ମୃତ୍ୟୁ ଘଟିଯାଇଥିବା ପରିବାର ଲୋକ କହିଛନ୍ତି । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ଯେ, ସକାଳ ୮ଟାରେ ବାଙ୍ଗୀଙ୍କ ପେଟରେ ଥିବା ଦୁଇ ସନ୍ତାନଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଜାଣିବା ପରେ ମଧ୍ୟ କାହିଁକି ତାର ଅପରେସନ(ସିଜରିଙ୍ଗ) କରାଗଲା ନାହିଁ । ଉପଯୁକ୍ତ ସମୟରେ ସିଜରିଙ୍ଗ କରାଯାଇଥିଲେ ବାଙ୍ଗୀର ଜୀବନ ବଞ୍ଚି ଯାଇଥାନ୍ତା ବୋଲି ସ୍ୱାମୀ ଦାଶରଥି ଦାବି କରିଛନ୍ତି ।
ଶୁକ୍ରବାର ଦିନ ୧୧ଟା ପର୍ଯ୍ୟନ୍ତ ମୃତ ଶରୀର ଶବ ବ୍ୟବଛେଦ ଗୃହରେ ପଡ଼ି ରହିବା ପରେ ପ୍ରାୟ ଦିନ ସାଢେ ୧୧ଟାରେ ବାଙ୍ଗୀ ମୁର୍ମୁଙ୍କ ଶବ ବ୍ୟବଚ୍ଛେଦ ହୋଇଥିଲା । ଶବ ବ୍ୟବଚ୍ଛେଦ ପରେ ଘରକୁ ସ୍ତ୍ରୀର ଶବ ଆଣିବା ପାଇଁ ଆମ୍ବୁଲାନ୍ସ କିମ୍ବା ସ୍ୱର୍ଗରଥ କିଛି ସୁବିଧା ନଥିଲା । ଫଳରେ ସ୍ଥାନୀୟ ଲୋକ ଓ କିଛି ସାମାଜିକ ଅନୁଷ୍ଠାନର ସହାୟତାରେ ସ୍ତ୍ରୀର ଶବ କାନ୍ଧରେ ଧରି ଦାଶରଥି ମେଡିକାଲରୁ ଚାଲି ଚାଲି ଆସିଥିଲା । ନ୍ୟାୟ ପାଇବା ପାଇଁ ସେ ଓ କିଛି ସାମାଜିକ ଅନୁଷ୍ଠାନର କର୍ମୀମାନେ ଦିନ ସାଢେ ୧୨ଟାରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଲେ । ସେଠାରେ ସ୍ତ୍ରୀର ଶବକୁ ରାସ୍ତାରେ ରଖି ସେମାନେ ବସି ରହିଥିଲେ । ଫଳରେ ରାସ୍ତାରେ ଗାଡିମୋଟର ଚଳାଚଳ ପୂରା ଠପ ହୋଇଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ବାରିପଦା ଏସ୍ଡିପିଓ, ବାରିପଦା ବିଧାୟକ ପ୍ରକାଶ ସୋରେନ୍ ଓ ସିଡିଏମଓ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଜା କରିଥିଲେ । କିନ୍ତୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଧାରଣରୁ ହଟିବୁ ନାହିଁ ବୋଲି ପରିବାର ଲୋକ ଜିଦ୍ ଧରି ବସି ରହିଥିଲେ । ଅପରାହ୍ନ ସାଢେ ୩ଟାରେ ବାରିପଦା ତହସିଲଦାରଙ୍କ ଜରିଆରେ ରେଡ୍କ୍ରସ ତରଫରୁ ୧୦ ହଜାର ଟଙ୍କା ଓ ବିଧାୟକ ଶ୍ରୀ ସୋରେନ୍ଙ୍କ ପକ୍ଷରୁ ୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା । ପରେ ମୃତକଙ୍କ ପରିବାର ଲୋକଙ୍କୁ ଅନ୍ୟାନ୍ୟ ସରକାରୀ ସହାୟତ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ସହିତ ଉପଯୁକ୍ତ ତଦନ୍ତ କରାଯାଇ ଡିୟୁଟିରେ ଥିବା ଡାକ୍ତର ଓ ନର୍ସଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons