କୋରାପୁଟ: ସାହା ଭରସା କେହି ନାହିଁ । ଦିନେ ଖାଇଲେ ଦିନେ ଉପାସ । ତମାମ ଜୀବନ ଦୁଃଖକଷ୍ଟରେ ବିତିଛି । ବାର୍ଦ୍ଧକ୍ୟରେ ବି ସେମାନଙ୍କୁ ବିତାଇବାକୁ ପଡୁଛି ବିଡମ୍ବିତ ଜୀବନ । ସାଥୀ ହୋଇ ଆଗକୁ ବଢିବା ରାସ୍ତାରେ ଆସିଛି ବିରାଟ ପ୍ରତିବନ୍ଧକ । ସ୍ୱାମୀ-ସ୍ତ୍ରୀ ଉଭୟ ଅସୁସ୍ଥ । ଜଣଙ୍କ ଆଖିକୁ ଦିଶୁନି, ଅନ୍ୟ ଜଣେ ପକ୍ଷାଘାତରେ ପୀଡିତ । ଯେଉଁଠି ଶୁଖିଲା ପେଟକୁ ଦାନା ମୁଠାଏ ବଡ଼ କଷ୍ଟରେ ମିଳୁଛି, ସେଠି ଚିକିତ୍ସା ପାଇଁ ଅର୍ଥ ବା ଆସନ୍ତା କୁଆଡୁ । ଏହି କାରଣରୁ ପରିଣତ ବୟସରେ ସେମାନଙ୍କୁ ଯନ୍ତ୍ରଣା ସହ ଜିଇଁବାକୁ ପଡୁଛି । ଏହି ଅସହାୟ ବୃଦ୍ଧ ଦମ୍ପତି ହେଲେ କୋରାପୁଟ ଜିଲ୍ଲା ସୁନାବେଡ଼ା ପୌରାଞ୍ଚଳ ଚର୍ଚ୍ଚ କଲୋନିର ଲଛମନ ଜାନୀ ଓ ହରସମଣୀ ।
ଯୁବାବସ୍ଥାରୁ ସୁନାବେଡ଼ା ବସଷ୍ଟାଣ୍ଡରେ ଖଲାସୀ କାମ କରୁଥିଲେ ଲଛମନ । ଯାହାକିଛି ରୋଜଗାର କରୁଥିଲେ, ସେଥିରେ ତାଙ୍କ ପରିବାର ଦୁଃଖେକଷ୍ଟେ ଚଳି ଯାଉଥିଲା । ଗତ ୩ ବର୍ଷ ହେଲା ପନôୀ ପକ୍ଷାଘାତରେ ଆକ୍ରାନ୍ତ । ୬୫ ବର୍ଷରେ ଉପନୀତ ଲଛମନଙ୍କ ଆଖିକୁ ବର୍ଷେହେଲା ଆଉ ଠିକ୍ରେ ଦିଶୁନି । ବନ୍ଦ ହୋଇଯାଇଛି ଖଲାସୀ କାମ । ସନ୍ତାନ କହିଲେ ଏକମାତ୍ର ପୁଅ । ସେ ବି ତା ପରିବାର ସହ ଅଲଗା ରହୁଛନ୍ତି । ହୋଟେଲରେ ଦିନ ମଜୁରିଆ ଭାବେ କାମକରି ବହୁ କଷ୍ଟରେ ନିଜର ୪ପ୍ରାଣୀ କୁଟୁମ୍ବ ଚଳାଉଛନ୍ତି । ତେଣୁ ବାର୍ଦ୍ଧକ୍ୟରେ ବାପାମାଙ୍କ ଚିକିତ୍ସା କରିବା ଲାଗି ତାଙ୍କ ପାଖରେ ସମ୍ବଳ ନାହିଁ । ଏଣେ ଅର୍ଥାଭାବରୁ ଚିକିତ୍ସା ସୁବିଧା ନପାଇ ଲଛମନ ଓ ତାଙ୍କ ପନôୀ ଭାଗ୍ୟକୁ ଆଦରି ଘରର ଚାରିକାନ୍ଥ ଭିତରେ ପଡ଼ି ରହିଛନ୍ତି ।
ସରକାରଙ୍କ ତରଫରୁ ଲଛମନ ଓ ତାଙ୍କ ସ୍ତ୍ରୀଙ୍କୁ ଚାଉଳ ଏବଂ ଭତ୍ତା ମିଳୁଛି । ସେଥିରେ ପେଟକୁ ଭାତ ମୁଠାଏ ମିଳୁଛି । କୋଭିଡ୍ ସମୟରେ ସ୍ୱେଚ୍ଛାସେବୀ ସେକ୍ ଇବ୍ରାହିମ ଓ ତାଙ୍କ ସ୍ତ୍ରୀ ସାହେବା ପରବିନ ଏହି ଦୁଃଖୀ ଦମ୍ପତିଙ୍କୁ ଭେଟି ରେସନ ସାମଗ୍ରୀ ଯୋଗାଇ ଦେଇଛନ୍ତି । ସେମାନେ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି, ବୃଦ୍ଧ ଦମ୍ପତିଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ । ନହେଲେ ଆଗାମୀ ଦିନରେ ଲଛମନ ଓ ତାଙ୍କ ସ୍ତ୍ରୀଙ୍କ ଦୁର୍ଦ୍ଧଶା ଆହୁରି ବଢିଯିବ । ବାସ୍ତବରେ ଅସହାୟ ବୃଦ୍ଧବୃଦ୍ଧାଙ୍କ ଲାଗି ସରକାରଙ୍କ ଅନେକ ଯୋଜନା ରହିଛି । କେବଳ ଜିଲ୍ଲା ପ୍ରଶାସନ ଟିକିଏ ସଦୟ ହେଲେ, ଯନ୍ତ୍ରଣାରୁ ମୁକ୍ତିି ପାଇପାରନ୍ତେ ଏହି ବୃଦ୍ଧ ଦମ୍ପତି । ଜଣଙ୍କ ଦୃଷ୍ଟିଶକ୍ତି ଫେରିପାରନ୍ତା ଏବଂ ଅନ୍ୟ ଜଣେ ପକ୍ଷାଘାତର ପଞ୍ଝାରୁ ମୁକୁଳି ଜୀବନର ଶେଷ ସମୟରେ ପରସ୍ପରର ସହାୟକ ହୋଇପାରନ୍ତେ ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.