
କୋଲକାତା: ଚିଟ୍-ଫଣ୍ଡ ସ୍କାମ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ( ସିବିଆଇ) ସୋମବାର ପଶ୍ଚିମବଙ୍ଗର ୨୨ଟି ସ୍ଥାନରେ ଚଢ଼ାଉ କରିଛି । ନ୍ୟୁ ଲ୍ୟାଣ୍ଡ ଏଗ୍ରୋ ଇଣ୍ଡଷ୍ଟ୍ରିଜ ନାମକ ଏକ କଂପାନି ଦ୍ୱାରା ବ୍ୟାପକ ମାତ୍ରାରେ ଠକେଇ କରାଯାଇଥିବାରୁ ଏହାର ଯାଞ୍ଚ କରୁଥିବା ସମୟରେ ସିବିଆଇ ଦ୍ୱାରା ଏପରି ଚଢ଼ାଉ କରାଯାଇଛି । ଯେଉଁ ସ୍ଥାନଗୁଡିକରେ ଚଢ଼ାଉ କରାଯାଇଛି, ସେଗୁଡିକ ଉକ୍ତ କଂପାନିର ନିର୍ଦ୍ଦେଶକ ଓ ପ୍ରମୋଟରମାନଙ୍କ ସହ ଜଡିତ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ୨୦୧୭ ମସିହାରେ ଏହି କଂପାନି ବିରୋଧରେ ମାମଲା ଦାୟର କରିଥିଲା । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ କି ଚିଟ୍-ଫଣ୍ଡ ଠକେଇ ଅଭିଯୋଗରେ ଯେଉଁ ଯେଉଁ କଂପାନିଗୁଡିକ ବିରୋଧରେ ପଶ୍ଚିମବଙ୍ଗ ପୁଲିସର ଏସଆଇଟି ଯାଞ୍ଚ କରିଥିଲା, ସିବିଆଇ ସେସବୁ ମାମଲାର ଯାଞ୍ଚ କରୁ ।
ତା’ ପୂର୍ବରୁ ଏହି କଂପାନିର ୨୫୦ ଜଣ ଏଜେଣ୍ଟ ଅଭିଯୋଗ କରିଥିଲେ କି ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ସାଧାରଣ ଲୋକଙ୍କ ଠାରୁ ଅର୍ଥ ସଂଗ୍ରହ କରି ପ୍ରାୟ ୧ କୋଟି ଟଙ୍କା ଲେଖାଏଁ ଉକ୍ତ କଂପାନିରେ ଜମା କରିଥିଲେ । ଅଧିକ ସୁଧ ଦେବାକୁ କଂପାନି ପ୍ରତିଶ୍ରୁତି ଦେବା ପରେ ସେମାନେ ଏପରି କରିଥିଲେ । ମାତ୍ର କଂପାନି ନିଜର ପ୍ରତିଶ୍ରୁତି ରକ୍ଷା କରିନଥିଲା । ସୁଧ ଦେବା ତ ଦୂରର କଥା, ମୂଳଧନ ବି ଫେରାଇ ପାରିନଥିଲା । ପରେ ଏହା ଏକ ଚିଟ-ଫଣ୍ଡ କଂପାନି ବୋଲି ଜଣାପଡିଥିଲା ।
Comments are closed, but trackbacks and pingbacks are open.