ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସୋମବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍ଙ୍କୁ ଡବଲ୍ ଝଟ୍କା ଲାଗିଛି । ସୁପ୍ରିମକୋର୍ଟ ତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଅନ୍ୟପକ୍ଷରେ ସିବିଆଇ କୋର୍ଟ ଚିଦାମ୍ବରମ୍ଙ୍କ ରିମାଣ୍ଡ ଅବଧିକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।ସିବିଆଇ କୋର୍ଟରେ ଚିଦାମ୍ବରମ୍ଙ୍କ ପକ୍ଷରୁ କଂଗ୍ରେସ ନେତା ତଥା ବରିଷ୍ଠ ଓକିଲ ଅଭିଷେକ ମନୁ ସିଙ୍ଘଭି ମାମଲା ପରିଚାଳନା କରୁଥିଲେ । ଶୁଣାଣି ବେଳେ ଚିଦାମ୍ବରମ୍ଙ୍କ ପତ୍ନୀ ନଳିନୀ ଏବଂ ପୁଅ କାର୍ତ୍ତି ଉପସ୍ଥିତ ଥିଲେ । ସିବିଆଇ ଗିରଫଦାରିକୁ ବିରୋଧ କରି ହୋଇଥିବା ଆବେଦନର ଶୁଣାଣି ହୋଇଥିଲା । କିନ୍ତୁ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିବା ସହ ତାଙ୍କୁ ୩୦ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ପଠାଇଛନ୍ତି ।ଏହା ପୂର୍ବରୁ ସୁପ୍ରିମକୋର୍ଟ ବିଚାରପତି ଆର୍ ଭାନୁମତୀ ଏବଂ ବିଚାରପତି ଏ ଏସ୍ ବୋପାନ୍ନାଙ୍କ ଖଣ୍ଡପୀଠ ଚିଦାମ୍ବରମ୍ଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ଖଣ୍ଡପୀଠ କହିଥିଲେ, ସିବିଆଇ ଦ୍ୱାରା ଚିଦାମ୍ବରମ୍ଙ୍କୁ ଗିରଫ କରାଯାଇଥିବାରୁ ଏଭଳି ଆଗୁଆ ଜାମିନ ଆବେଦନର ଆଉ କୌଣସି ଅର୍ଥ ନାହିଁ । କିନ୍ତୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସମ୍ଭାବ୍ୟ ଗିରଫଦାରିକୁ ଖଣ୍ଡପୀଠ ଦିନକ ପାଇଁ ରୋକିଛନ୍ତି । ଆଜି ଇଡି ଆବେଦନର ଶୁଣାଣି ଥିଲା । କିନ୍ତୁ ମଙ୍ଗଳବାର ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି । ଆଇଏନ୍ଏକ୍ସ ମିଡିଆ ମାମଲାରେ ଚିଦାମ୍ବରମ୍ଙ୍କୁ ଗିରଫ କରି ରିମାଣ୍ଡରେ ନେବା ପାଇଁ ଇଡି ଆବେଦନ କରିଥିଲା ।ସୁପ୍ରିମକୋର୍ଟ କହିଛନ୍ତି, ସିବିଆଇର ଗିରଫଦାରି ପରେ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି କରାଯାଇ ପାରିବ ନାହିଁ । ସିବିଆଇ ମାମଲାରୁ ଆଶ୍ୱସ୍ତି ପାଇବା ପାଇଁ ଚିଦାମ୍ବରମ୍ଙ୍କୁ ତଳ କୋର୍ଟରେ ଦ୍ୱାରସ୍ଥ ହୋଇ ନିୟମିତ ଜାମିନ ପାଇଁ ଆବେଦନ କରିବାକୁ ହେବ । ନିୟମିତ ଜାମିନ ପାଇଁ ଉପଯୁକ୍ତ ନ୍ୟାୟାଳୟରେ ଆବେଦନ କରାଯିବା ଦରକାର । ଏହି ରାୟ ଦେଇ ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ । ଦିଲ୍ଲୀ ହାଇକୋର୍ଟ ଅଗଷ୍ଟ ୨୧ରେ ଚିଦାମ୍ବରମ୍ଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିବା ପରେ ସିବିଆଇ ତାଙ୍କୁ ଗିରଫ କରିଥିଲା ।ଚଳିତମାସ ୨୧ ତାରିଖରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଚିଦାମ୍ବରମ୍ଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗିରଫ କରିଥିଲା । ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ୨୬ ଅଗଷ୍ଟ ପର୍ଯ୍ୟନ୍ତ ଚିଦାମ୍ବରମ୍ଙ୍କୁ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ । କୋର୍ଟରେ ହାଜର କରିବା ପୂର୍ବରୁ ସିବିଆଇ ଚିଦାମ୍ବରମ୍ଙ୍କୁ ମାରାଥନ୍ ଜେରା କରିଥିଲା ।ସୁପ୍ରିମକୋର୍ଟରେ ଆଜି ଶୁଣାଣି ଚାଲିଥିଲା ବେଳେ ଚିଦାମ୍ବରମ୍ଙ୍କ ତରଫରୁ କଂଗ୍ରେସ ନେତା ତଥା ବରିଷ୍ଠ ଓକିଲ କପିଲ ସିବଲ ଯୁକ୍ତି ରଖିଥିଲେ । ସେ କହିଥିଲେ, ସିବିଆଇ ଚିଦାମ୍ବରମ୍ଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେଇଥିଲା । କିନ୍ତୁ ଏହି ୫ ଦିନ ମଧ୍ୟରେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ବାବଦରେ କିଛି ପଚରା ଯାଇନାହିଁ । ଚିଦାମ୍ବରମ୍ଙ୍କୁ କେବଳ ତାଙ୍କ ବିଦେଶୀ ବ୍ୟାଙ୍କ ଆକାଉଣ୍ଟ ବାବଦରେ ଜେରା କରାଯାଇଥିଲା । ଏହି ପ୍ରଶ୍ନର ଉତ୍ତର ଦେବାକୁ ଚିଦାମ୍ବରମ୍ ମନାକରିଥିଲେ ।ଉଲ୍ଲେଖଯୋଗ୍ୟ, ଆଇଏନ୍ଏକ୍ସ ମିଡିଆ ମାମଲାରେ ସିବିଆଇ ଏବଂ ଇଡି ଚିଦାମ୍ବରମ୍ ଓ ତାଙ୍କ ପରିବାର ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ଆଇଏନ୍ଏକ୍ସ ମିଡିଆକୁ ବିଦେଶୀ ସଂସ୍ଥାରୁ ୩୦୫ କୋଟି ଟଙ୍କାର ଏଫ୍ଡିଆଇ ଆସିଥିଲା । ଏଥିପାଇଁ ଏଫ୍ଆଇପିବିର ମଞ୍ଜୁରି ଆବଶ୍ୟକ ଥିଲା । ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିବା ନେଇ କିଛି ସମସ୍ୟା ରହିଥିବା ସତ୍ତେ୍ୱ ତତ୍କାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ଚିଦାମ୍ବରମ୍ଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍ଙ୍କ ଦ୍ୱାରା ମାମଲାର ଦଫାରଫା ହୋଇଥିଲା । ଏଥିରେ କାର୍ତ୍ତି ମଧ୍ୟସ୍ଥତା କରିଥିଲେ ଏବଂ ବେଆଇନ ଭାବେ ଏଫ୍ଆଇପିବି ଅଧିକାରୀଙ୍କୁ ପ୍ରଭାବିତ କରି ଏଫ୍ଡିଆଇକୁ ମଞ୍ଜୁରି କରାଇଥିଲେ । ଏଥିପାଇଁ ସେ ବିପୁଳ ଟଙ୍କା ଲାଞ୍ଚ ନେଇଥିଲେ, ଯାହା କାର୍ତ୍ତିଙ୍କ ସେଲ୍ କମ୍ପାନି ଜରିଆରେ ପ୍ରାପ୍ତ ହୋଇଥିଲା ।
Comments are closed, but trackbacks and pingbacks are open.