ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ରୁଜୁ ଆଇଏନ୍ଏକ୍ସ ମିଡିଆ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ଆଜି ସୁପ୍ରିମକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଛି । ଆସନ୍ତା ୨୬ ତାରିଖ (ସୋମବାର) ପର୍ଯ୍ୟନ୍ତ ଇଡି ତାଙ୍କୁ ଗିରଫ କରିପାରିବ ନାହିଁ । କିନ୍ତୁ ସିବିଆଇ ମାମଲାରେ ତାଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ । ଯାହାଫଳରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ସେ ସିବିଆଇ ହାଜତରେ ରହିବେ । ସୋମବାର ବିଚାରପତି ଆର ଭାନୁମତି ଏବଂ ଏ.ଏସ୍. ବୋପାନାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ । \nଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କ ବିରୋଧରେ ସିବିଆଇ ଦୁର୍ନୀତି ନିବାରଣ ଆଇନ ଓ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିଲା ବେଳେ ଇଡି ମନି ଲଣ୍ଡରିଂ ନିବାରଣ ଆଇନ ଅନୁସାରେ ମାମଲା ରୁଜୁ କରିଛି । ଇଡି ଓ ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଦର୍ଶାଇଥିଲେ ଯେ ସିବିଆଇ ତାଙ୍କୁ ଗିରଫ କରିସାରିଛି । ତେଣୁ ସିବିଆଇ ମାମଲାରେ ତାଙ୍କର ଆଗୁଆ ଜାମିନ ମାମଲା ନିଷ୍ଫଳ ହୋଇଯାଇଛି । ଚିଦାମ୍ବରମଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ ଦର୍ଶାଇଥିଲେ ଯେ ଏ କ୍ଷେତ୍ରରେ ସମ୍ବିଧାନର ଧାରା ୨୧ରେ ମିଳିଥିବା ମୌଳିକ ଅଧିକାର ଉଲ୍ଲଂଘନ କରାଯାଇଛି । ବୁଧବାର ଚିଦାମ୍ବରମଙ୍କର ଆଗୁଆ ଜାମିନ ଆବେଦନ କରାଯାଇଥିଲା । ମାତ୍ର ଶୁଣାଣି ହୋଇ ନପାରିବାରୁ ସିବିଆଇ ତାଙ୍କୁ ଗିରଫ କରିଛି । \nଶୁଣାଣି ବେଳେ ଜଷ୍ଟିସ ଭାନୁମତୀ ଗୁରୁବାର ସିବିଆଇ କୋର୍ଟ ଦେଇଥିବା ରାୟ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏହାର ଉତ୍ତରରେ ସିବଲ କହିଥିଲେ ଯେ ଏହି ରାୟକୁ ଚାଲେଞ୍ଜ କରିବା ଲାଗି ସ୍ୱତନ୍ତ୍ର ଲିଭ୍ ପିଟିସନ ପ୍ରସ୍ତୁତ ହୋଇରହିଛି । ତେଣୁ ମାମଲାର ଶୁଣାଣି ସୋମବାର କରିବାକୁ ସେ ଅନୁରୋଧ କରିଥିଲେ । ସେହିଭଳି ଇଡି ମାମଲାରେ ସେ କହିଥିଲେ ଯେ ଦିଲ୍ଲୀ ହାଇକୋର୍ଟର ଜଣିକିଆ ବିଚାରପତି ଏକତରଫା ରାୟ ଦେଇଛନ୍ତି । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ କହିଥିଲେ ଯେ ଇଡି ମାମଲାରେ ଅନ୍ୟ ସହଅଭିଯୁକ୍ତମାନେ ଜାମିନରେ ଅଛନ୍ତି । ତେଣୁ ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ପର୍ଯ୍ୟନ୍ତ ଆବେଦନକାରୀଙ୍କୁ ଇଡି ଗିରଫ କରିପାରିବ ନାହିଁ । ସୋମବାର ମାମଲାର ଶୁଣାଣି ବେଳେ ଇଡି ଏହା ଉପରେ ନିଜର ଜବାବ ଦାଖଲ କରିପାରିବ । \nଶୁଣାଣି ଶେଷ ହୋଇ ରାୟ ପ୍ରକାଶ ପାଇବା ବେଳକୁ ସଲିସିଟର ଜେନେରାଲ ଜଉମୁଦ ଲଫାପାରେ କୋର୍ଟଙ୍କୁ କିଛି ଦସ୍ତାବିଜ ପ୍ରଦାନ କରିଥିଲେ । କହିଥିଲେ ଚିଦାମ୍ବରମଙ୍କ ଗିରଫଦାରୀ ମାମଲାରେ କୌଣସି ରାୟ ପ୍ରକାଶ କରିବା ପୂର୍ବରୁ ଏହାକୁ ଅନୁଧ୍ୟାନ କରାଯିବା ଉଚିତ । ମାତ୍ର ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ ଏବଂ ସୋମବାର ଏହା ଦାଖଲ କରିବାକୁ କହିଥିଲେ । ଏସବୁ ଦସ୍ତାବିଜ ଅତ୍ୟନ୍ତ ସମ୍ବେଦନଶୀଳ । ଏହାକୁ ଏଭଳି ରଖାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ । \nସୂଚନାଯୋଗ୍ୟ ଯେ ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ବୁଧବାର ରାତିରେ ଚିଦାମ୍ବରମଙ୍କୁ ଗିରଫ କରିଥିଲା । ଗତକାଲି ତାଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରିବା ପରେ ସିବିଆଇ ୫ଦିନିଆ ଅର୍ଥାତ ଆସନ୍ତା ସୋମବାର (୨୬ ତାରିଖ) ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି ।
Comments are closed, but trackbacks and pingbacks are open.