
ଦଶମନ୍ତପୁର,(ବି.ବି.ନୁ୍ୟଜ): ଜୀବନ କଣ ଜାଣିବା ପୂର୍ବରୁ ମା’ବାପା ଛେଉଣ୍ଡ ହୋଇଯାଇଛନ୍ତି ତିନି ଭାଇ । ଏବେ ଅସହାୟ ଅବସ୍ଥାରେ ଚିନ୍ତାରେ ଅଛନ୍ତି ପିଲାମାନେ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଦଶମନ୍ତପୁର ସଦର ମହକୁମା ନୂଆସାହିର ଆଦିବାସୀ ସାହିରେ । ବୃଦ୍ଧା ଜେଜେମା ଟିମାଇ ମୁଦୁଲି ଏବେ ପିଲାମାନଙ୍କୁ ଆଶ୍ରୟ ଦେଇଛନ୍ତି । ସେ ଅତ୍ୟନ୍ତ ଗରିବ ଥିବା ବେଳେ ପାଚିଲା ବୟସରେ କାମଧାମ କରିପାରୁ ନାହାନ୍ତି । ଟିମାଙ୍କ ପରେ କିଏ ଛୁଆମାନଙ୍କ ଯତ୍ନ ନେବ ବୋଲି ଗ୍ରାମବାସୀ ଚିନ୍ତାରେ ପଡିଛନ୍ତି । ପ୍ରଶାସନ ତୁରନ୍ତ ତିନି ଅନାଥ ଛୁଆଙ୍କୁ ଉଦ୍ଧାର କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।
ଗାଁର ବାସ ମୁଦୁଲି, ଧନପତି ମୁଦୁଲି, ବଣ୍ଡ ମୁଦୁଲି ପ୍ରମୁଖ କହିଛନ୍ତି, ୭ବର୍ଷ ତଳେ ପିଲାମାନଙ୍କ ବାପା ଅଭି ମୁଦୁଲିଙ୍କ ପରଲୋକ ଘଟିଥିଲା । ଏବେ ତିନିଦିନ ତଳେ ତାଙ୍କ ସ୍ତ୍ରୀ ସାଇବେନି ମୁଦୁଲି ହଠାତ୍ ଛାତି ଯନ୍ତ୍ରଣାରେ ପୀଡିତ ହୋଇ ଆଖି ବୁଜିିଦେଲେ । ସ୍ୱାମୀ ସ୍ତ୍ରୀ ଥିବା ବେଳେ ପରଘରେ ଦିନମଜୁରିଆ ଭାବେ କାମକରି ତେଲଲୁଣର ସଂସାର ଚଳାଇଆସୁଥିଲେ । ବର୍ତ୍ତମାନ ବୃଦ୍ଧାଙ୍କୁ ସରକାରଙ୍କ ତରଫରୁ ୫ଶହ ଟଙ୍କା ଭତ୍ତା ଓ ମାତ୍ର ୫କେଜି ଚାଉଳ ମିଳୁଛି । ସେଥିରେ ତିନି ଅନାଥ ଶିଶୁ ଓ ବୃଦ୍ଧା ଅତି କଷ୍ଟରେ ଚଳୁଛନ୍ତି । ଏହି ଘଟଣା ପରେ ମଧ୍ୟ ପ୍ରଶାସନ ତରଫରୁ କେହି ସେମାନଙ୍କ ପାଖରେ ପହଞ୍ଚି ନାହାନ୍ତି । ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଦୃଷ୍ଟି ଦେଇ ଏହି ଅନାଥ ଶିଶୁମାନଙ୍କୁ ଥଇଥାନ କଲେ ଭଲ ହେବ ବୋଲି ଗ୍ରାମବାସୀ କହିଛନ୍ତି । ଏସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶଙ୍କୁ ପଚାରିବାରେ ତଦନ୍ତ ପରେ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।


Comments are closed, but trackbacks and pingbacks are open.